ଛତ୍ରପୁର: ଶ୍ରମିକ ପରିଚୟପତ୍ର ବି ନକଲି। ଗଞ୍ଜାମ ଜିଲାର ବିଭିନ୍ନ ବ୍ଲକରେ ଜାଲ ଶ୍ରମିକ କାର୍ଡ ଦେଇ ଲକ୍ଷଲକ୍ଷ ଟଙ୍କା ଠକି ନେଇଛନ୍ତି ଏକ ଗୋଷ୍ଠୀ। ସହାୟତା ପାଇଁ ଆବେଦନ ବେଳେ କାର୍ଡଗୁଡିକ ନକଲି ବୋଲି ଜଣାପଡିଛି। ଛତ୍ରପୁର ବ୍ଲକର ଏକାଧିକ ପଞ୍ଜାୟତ, ଗଞ୍ଜାମ ବ୍ଲକ ଓ ଶେରଗଡ ବ୍ଲକରେ ଲୋକେ ପାଇଥିବା ଶ୍ରମିକ ପରିଚୟପତ୍ର ଜାଲ ବୋଲି ସ୍ପଷ୍ଟ ହେବା ପରେ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଗୋଷ୍ଠୀକୁ ଧରିବାକୁ ଦାବି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ତିନିମାସ ତଳେ ଏପେକ୍ସ ଓଡିଶା ନେଟ କେଫ ସଂସ୍ଥାର କର୍ମଚାରୀ ପରିଚୟ ଦେଇ କେତେକ ବ୍ୟକ୍ତି ଜିଲାକୁ ଆସି ବିଭିନ୍ନ ଜନସେବାକେନ୍ଦ୍ର ସମେତ ନେଟ ଜୋନରେ ପହଞ୍ଚି କଥାବାର୍ତ୍ତା କରିଥିଲେ। ଯେଉଁମାନଙ୍କ ନାମରେ ରେସନ କାର୍ଡ ରହିଛି ସେମାନଙ୍କୁ ଶ୍ରମିକକାର୍ଡ ଦିଆଯିବ। ଯେଉଁ ବ୍ୟକ୍ତି ଶ୍ରମିକ କାର୍ଡ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଜଣ ପିଛା ୩ରୁ ୪ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ସଂପୃକ୍ତ କର୍ମଚାରୀମାନେ କହିଥିଲେ। ଶ୍ରମିକ ପରିଚୟପତ୍ର ପାଇବାକୁ ହେଲେ ଆବେଦନକାରୀଙ୍କୁ ରେସନ କାର୍ଡ, ଆଧାରକାର୍ଡ , ଫଟୋ ଏବଂ ବ୍ୟାଙ୍କ ପାସବୁକର ଜେରକ୍ସ କପି ଦେବାକୁ ପଡିବ । ଏହି ପ୍ରକ୍ରିୟା ଶେଷ ହେବାର ମାସକ ପରେ ଆବେଦନକାରୀଙ୍କୁ ପରିଚୟପତ୍ର ଯୋଗାଇ ଦିଆଯିବ ବୋଲି ମଧ୍ୟ କୁହାଯାଇଥିଲା।
ଜିଲାର ବିଭିନ୍ନ ବ୍ଲକରେ ଥିବା ନେଟ ଜୋନ ଓ ଜନସେବାକେନ୍ଦ୍ରକୁ ଆସି ଲୋକେ ଶ୍ରମିକକାର୍ଡ ପାଇଁ ଆବେଦନ କରିଥିଲେ। ଏପେକ୍ସ ଓଡ଼ିଶା ନେଟ କେଫ କର୍ମଚାରୀମାନେ କହିବା ପ୍ରକାରେ ଆବେଦନକାରୀଙ୍କୁ ଆବଦନର ମାସକ ଭିତରେ ଶ୍ରମିକ କାର୍ଡ ମଧ୍ୟ ଯୋଗାଇ ଦିଆଯାଇଥିଲା। ପାଇଥିବା ଶ୍ରମିକକାର୍ଡ ଧରି ଶେରଗଡର କିଛି ଲୋକ ଛତ୍ରପୁର ଜିଲା ଶ୍ରମ କାର୍ୟ୍ୟାଳୟକୁ ଆସି ସହାୟତା ରାଶି ପାଇଁ ଆବେଦନ କରିଥିଲେ। ତେବେ ସଂପୃକ୍ତ ବ୍ୟକ୍ତିମାନେ ସାଥିରେ ଆଣିଥିବା ଶ୍ରମିକ ପରିଚୟପତ୍ରଗୁଡିକ ଯାଞ୍ଚ ବେଳେ ନକଲି ବୋଲି ଜଣାପଡିଥିଲା। ଜାଲ ସିଲ ଓ ଦସ୍ତଖତ କରାଯାଇଥିବା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ଶ୍ରମ କାର୍ୟ୍ୟାଳୟରୁ ଏଭଳି ସୂଚନା ପାଇବା ପରେ ପରିଚପତ୍ରଧାରୀ ନିରାଶରେ ଘରକୁ ଫେରି ଯାଇଛନ୍ତି।
ଛତ୍ରପୁର ବ୍ଲକର ସୁନ୍ଦରପୁରର ଏକ ଜନସେବା ଜରିଆରେ ୧୮୩ ଜଣ , ପୋଟଲାମପୁର, ମାଧପୁର ସମେତ ବିଭିନ୍ନ ପଞ୍ଚାୟତ ଓ ଗଞ୍ଜାମ ବ୍ଲକରେ ମଧ୍ୟ ବହୁ ଲୋକ ଏଭଳି ଜାଲ ଶ୍ରମିକ କାର୍ଡ ପାଇଥିବା ଜଣାପଡିଛି। ବାସ୍ତବରେ କେଉଁମାନେ ଏଭଳି କାମରେ ଜଡିତ ଅଛନ୍ତି ଏବଂ ଏହାର ମାଷ୍ଟରମାଇଣ୍ଡ କିଏ ତାହା ଠାବ କରିବାକୁ ଠକେଇର ଶିକାର ଲୋକେ ଦାବି କରିଛନ୍ତି। ଅଧିକାଂଶ ଲୋକଙ୍କୁ ଚଳିତମାସ ୫ ତାରିଖରେ ପ୍ରଦାନ କରାଯାଇଥିବା କାର୍ଡଗଡିକ ଜାଲ ବୋଲି ଜଣାପଡିଛି। ଜାଲ ଶ୍ରମିକ କାର୍ଡ ଘଟଣାକୁ ସ୍ବୀକାର କରିଛନ୍ତି ଜିଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ। ଶ୍ରମିକ ପରିଚୟପତ୍ର ପ୍ରଦାନ ନିମନ୍ତେ ଜନସେବା କେନ୍ଦ୍ରକୁ କେବେ ବି ଦାୟିତ୍ୱ ଦିଆଯାଇନାହିଁ। ଘଟଣା ସମ୍ପର୍କରେ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରମ ଅଧିକାରୀ କହିଛନ୍ତି।



