ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ : କର କ୍ଲିନିକ୍କୁ ନ ଯିବା ପାଇଁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ
ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ୬୦ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ନୂଆ ରୋଗୀ ଚିହ୍ନଟ ହେବା ପରେ ସେ କେଉଁ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ତାହା ଜାଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତୃତୀୟ କରୋନା ଆକ୍ରାନ୍ତ ଭୁବନେଶ୍ବର ବାସିନ୍ଦା ଥିବା ସୂଚନା ମିଳିଛି। ତାଙ୍କୁ ଏବେ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି। ସଂକ୍ରମିତ ଜଣକ କିଛି ଦିନ ତଳେ କୌଣସି କାର୍ଯ୍ୟରେ ପରିବାର ସହ ପଞ୍ଜାବ ଯାଇଥିଲେ। ସେଠାରୁ ଦିଲ୍ଲୀ ଦେଇ ଭୁବନେଶ୍ବର ଫେରିବା ପରେ ନିଜର ଏବଂ ପରିବାରର ନାମ ପଞ୍ଜୀକରଣ କରିବା ସହିତ ନିଜ ଘରେ ଏକାନ୍ତବାସରେ ରହୁଥିଲେ। ତେବେ ଘରକୁ ଫେରିବାର କିଛି ଦିନ ପରେ ତାଙ୍କୁ ଥଣ୍ଡା, ସର୍ଦ୍ଦି, କାଶ ଓ ଜ୍ବର ହେବାରୁ ସେ ଭୁବନେଶ୍ବର କର କ୍ଲିନିକ୍ରେ ଭର୍ତ୍ତି ହୋଇଥିଲେ। ସେଠାରେ ରୋଗ ଉପଶମ ନ ହେବାରୁ କ୍ଲିନିକ୍ କର୍ତ୍ତୃପକ୍ଷ ତାଙ୍କୁ ଡିସ୍ଚାର୍ଜ କରିଦେଇଥିଲେ ଏବଂ ସେ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ତାଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ଆଜି ସନ୍ଧ୍ୟାରେ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା କର କ୍ଲିନିକ୍କୁ ନ ଯିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣଙ ପରାମର୍ଶ ଦିଆଯାଇଛି। କର କ୍ଲିନିକ୍ରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କ ସ୍କ୍ରିନିଂ ଆରମ୍ଭ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୬ ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ୧୯ ତାରିଖରେ ଦ୍ବିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ପ୍ରଥମ କରୋନା ରୋଗୀ ଏବେ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଦ୍ବିତୀୟ ରୋଗୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଯାଉଛି। କିନ୍ତୁ ଏହା ବାସ୍ତବ କ୍ଷେତ୍ରରେ କେତେ ପ୍ରତିଫଳିତ ହେଉଛି ତାହା ତର୍ଜମାସାପେକ୍ଷ। ଅନ୍ୟପକ୍ଷରେ ଖୋଦ୍ ରାଜଧାନୀରେ ଥିବା ବସ୍ତି ଅଞ୍ଚଳରେ ଏହି ସଚେତନତାର ବାର୍ତ୍ତା ଓ ସାମାଜିକ ଦୂରତ୍ବ ପ୍ରଭାବହୀନ ହୋଇଥିବା ଦେଖାଯାଇଛି। ବସ୍ତିବାସିନ୍ଦାଙ୍କ ମଧ୍ୟରେ ସଚେତନତା ଓ ସାମାଜିକ ଦ୍ବରତ୍ବର ଅଭାବ ଗୋଷ୍ଠୀ ସଂକ୍ରମଣ ପାଇଁ ପଥ ପରିଷ୍କାର କରୁଛି। ଲକ୍ ଡାଉନ୍ ପରେ କେରଳ, ଗୁଜୁରାଟ, ମହାରାଷ୍ଟ୍ର ଭଳି କରୋନା ପ୍ରଭାବିତ ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ଭୁବନେଶ୍ବର ଫେରି ଭିନ୍ନ ଭିନ୍ନ ବସ୍ତିରେ ରହିଥିବା ସୂଚନା ମିଳିଛି। ଏହି ଲୋକମାନେ ସାମାଜିକ ଦୂରତ୍ବ ନିୟମକୁ କେତେଦୂର ପାଳନ କରୁଛନ୍ତି ତାହା ସୁନିଶ୍ଚିତ କରାଯାଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ପ୍ରଶାସନର ହସ୍ତକ୍ଷେପ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।
Comments are closed.