ଅଙ୍ଗୁଳି ସାହାଯ୍ୟରେ ଫୋନ୍ ବାର୍ତ୍ତାଳାପ
ସ୍ମାର୍ଟ ଯୁଗରେ ସବୁକିଛି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଏଇ କିଛି ବର୍ଷ ତଳେ ଆରମ୍ଭ ହୋଇଥିବା ମୋବାଇଲ୍ ଯୁଗର ଏବେ ନୂତନ ନାମ ହେଉଛି ‘ସ୍ମାର୍ଟଫୋନ୍ର ଯୁଗ’।
ପ୍ରତ୍ୟେକ ବୟସର ଲୋକେ ଏଇ ଉଚ୍ଚ କ୍ଷମତା ସମ୍ପନ୍ନ ସ୍ମାର୍ଟଫୋନ୍ର ଉପଯୋଗ କରିବାକୁ ଆଗ୍ରହୀ। ପ୍ରତିଦିନ ବିଶ୍ବବଜାରରେ ନୂତନ ଡିଜାଇନର ସ୍ମାର୍ଟଫୋନ୍ ବ୍ୟବସାୟ ଚାଲୁଛି। ଏସବୁ ଭିତରେ କୋରିଆର ଏକ ନାମୀ କମ୍ପାନୀ ପ୍ରଥମକରି ବିଶ୍ବସ୍ତରରେ ଭିନ୍ନ ଡିଜାଇନର ସ୍ମାର୍ଟଫୋନ୍ ପ୍ରବେଶ କରାଇଛି।
ଜଣେ ବ୍ୟକ୍ତି ହାତରେ ସ୍ମାର୍ଟଫୋନ୍ ନ ଧରିଲେ ମଧ୍ୟ କେବଳ ଅଙ୍ଗୁଳି ନିର୍ଦେଶରେ ହିଁ କଥାବାର୍ତ୍ତା ହୋଇପାରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ରିଷ୍ଟ୍ ବ୍ୟାଣ୍ଡ୍ ଆକୃତିର ଏହି ଯନ୍ତ୍ରକୁ ଯେ କେହି ନିଜ ହାତରେ ପିନ୍ଧିପାରିବ। ସ୍ମାର୍ଟଫୋନ୍କୁ ବ୍ଲୁଟୁଥ୍ ସହାୟତାରେ ଏହା ଦ୍ବାରା ଯୋଗାଯୋଗ କରାଯିବ। ଯେତେବେଳେ କେହି ଆପଣଙ୍କୁ ଫୋନ୍ କରିବେ, ଫୋନ୍ ନ ଉଠାଇ ବ୍ୟାଣ୍ଡ୍ରେ ଲାଗିଥିବା ଏକ ସୁଇଚ୍କୁ ଟିପି ଅଙ୍ଗୁଳିକୁ କାନ ପାଖରେ ରଖିବେ। ବାସ୍… ମନଭରି ଯେତେ ସମୟ ଇଚ୍ଛା ବାର୍ତ୍ତାଳାପ କରନ୍ତୁ।
ନିର୍ମାଣକାରୀ ସଂସ୍ଥା ତରଫରୁ କୁହାଯାଇଛି କାନରେ ବ୍ଲୁଟୁଥ୍ ଡିଭାଇସ୍ ଲଗାଇବାର ଆବଶ୍ୟକତା ନାହିଁ କିମ୍ବା ଫୋନ୍ ଧରିବାର ମଧ୍ୟ ନାହିଁ। ‘ବଡ଼ି କଣ୍ଡକସନ୍ ଟେକ୍ନୋଲୋଜି’ରେ ଏହି ଯନ୍ତ୍ର ତିଆରି ହୋଇଛି। ଏହାର ମୂଲ୍ୟ ୫୦ହଜାର ଟଙ୍କା କମ୍ପାନୀ ତରଫରୁ ଧାର୍ୟ୍ୟ କରାଯାଇଛି।