ବର୍ଷକୁ ୮ମାସ ହେବ ଗ୍ରୀଷ୍ମକାଳ!

0

ନୂଆଦିଲ୍ଲୀ : ଚଳିତ ବର୍ଷ ଫେବୃଆରୀ ମାସରୁ ଗ୍ରୀଷ୍ମର ପ୍ରଭାବ ଅନୁଭୂତ ହୋଇଥିବାବେଳେ ଉତ୍ତାପ ଏବେ ୪୦ଡିଗ୍ରୀ ଟପିଲାଣି। ମେ’ ଶେଷବେଳକୁ ତାପମାତ୍ରା କେତେ ହେବ କହିବା ଅସମ୍ଭବ। ଭାରତରେ ଗ୍ରୀଷ୍ମ ଋତୁ ସାଧାରଣତଃ ୪ରୁ ୫ମାସ ଯାଏ ଅନୁଭୂତ ହୋଇଥାଏ; କିନ୍ତୁ ଆଗକୁ ଏହା ୮ମାସରେ ପହଞ୍ଚିଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବୈଜ୍ଞାନିକଙ୍କ ମତାନୁଯାୟୀ, ବିଶ୍ୱ ତାପମାନ ତଥା ସବୁଜ ଗୃହ ବାଷ୍ପକୁ ଯଦି ନିୟନ୍ତ୍ରଣ କରା ନ ଯାଏ ତାହାହେଲେ ଗ୍ରୀଷ୍ମ ପ୍ରବାହ ଗୋଟିଏ ବର୍ଷରେ ୮ମାସ ଯାଏ ବଳବତ୍ତର ରହିବ। ପୃଥିବୀ ପୃଷ୍ଠରେ ଉତ୍ତାପ ୨ଡିଗ୍ରୀ ସେଣ୍ଟିଗ୍ରେଡ୍‌ ବୃଦ୍ଧି ପାଇ ୨୦୭୦ ସୁଦ୍ଧା ଏଭଳି ଅବସ୍ଥା ସୃଷ୍ଟି ହେବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।
ବୈଜ୍ଞାନିକଙ୍କ କହିବାନୁଯାୟୀ, ପୃଥିବୀ ପୃଷ୍ଠ କେବଳ ଉତ୍ତପ୍ତ ହେଉ ନାହିଁ; ବରଂ ଗୁଳୁଗୁଳି ଅସହ୍ୟ ହେଉଛି। ଉତ୍ତାପ ଓ ଗୁଳୁଗୁଳି ଯୋଗୁ ସୃଷ୍ଟ ସ୍ଥିତିକୁ ବୈଜ୍ଞାନିକମାନେ କହୁଛନ୍ତି ‘ୱେଟ୍‌-ବଲ୍‌ବ ଟେମ୍ପରେଚର୍‌’। ପାଣିପାଗ ପରିବର୍ତ୍ତନ ଯୋଗୁଁ ଏଭଳି ଗ୍ରୀଷ୍ମପ୍ରବାହ କ୍ରମଶଃ ବୃଦ୍ଧି ପାଉଛି। ୨୦୭୦ସୁଦ୍ଧା ଏହା ୧୦୦ରୁ ୨୫୦ଗୁଣ ବୃଦ୍ଧିପାଇବାର ଆଶଙ୍କା ରହିଛି। ବିଶେଷକରି ଜଳବାୟୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ଗାଙ୍ଗେୟ ସମତଳ ଭୂମି ଅଞ୍ଚଳରେ ଏହା ସର୍ବାଧିକ ଅନୁଭୂତ ହେବ ବୋଲି ସେମାନେ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି। ମୋଟ ୧୮ଟି ଜଳବାୟୁ ମଡେଲ, ପାଞ୍ଚଟି ଜନସଂଖ୍ୟା ବୃଦ୍ଧି ଓ ପ୍ରଦୂଷଣ ଦୃଶ୍ୟପଟ ଆଦିର ଅନୁଧ୍ୟାନ ଆଧାରରେ ଆମେରିକାର ବୈଜ୍ଞାନିକମାନେ କହିଛନ୍ତି ଯେ ୱେଟ୍‌-ବଲ୍‌ବ ଉତ୍ତାପ ବୃଦ୍ଧି ମଣିଷର ସହନଶକ୍ତିଠାରୁ ଅଧିକ ହେବ। ଭାରତ ସହିତ ଚୀନ୍‌ ଓ ମଧ୍ୟପ୍ରାଚ୍ୟରେ ଏହା ସର୍ବାଧିକ ପ୍ରଭାବ ପକାଇବ। ମୁକୁଳା କ୍ଷେତ୍ରରେ କାମ କରୁଥିବା ଶ୍ରମଜୀବୀ ଏହାର ଅଧିକ ଶିକାର ହେବେ ଓ ସେମାନେ ଶ୍ୱାସକ୍ରିୟା ଜନିତ ରୋଗ, ଝାଡ଼ାବାନ୍ତି ଓ ହୃଦ୍‌ରୋଗରେ ଅଧିକ ଆକ୍ରାନ୍ତ ହେବେ।
ଅପରପକ୍ଷରେ ‘ଡ୍ରାଏ-ବଲ୍‌ବ ଟେମ୍ପରେଚର୍‌’ ହିସାବରେ ପ୍ରତି ବର୍ଷ ବାୟୁମଣ୍ଡଳର ଉତ୍ତାପ ୫୦ରୁ ୧୨୫ଗୁଣ ବଢ଼ିବା ଆଶଙ୍କା ରହିଛି। ୱେଟ୍‌-ବଲ୍‌ବ ଟେମ୍ପରେଚର୍‌ ବାୟୁମଣ୍ଡଳର ଉତ୍ତାପ ଓ ଗୁଳୁଗୁଳି ଉପରେ ନିର୍ଭର କରେ। ମାନବ ସମାଜର ସ୍ଥିତି ରକ୍ଷା ପାଇଁ ୱେଟ୍‌-ବଲ୍‌ବ ଟେମ୍ପରେଚର୍‌ରେ ବାୟୁ ମଣ୍ଡଳର ଉତ୍ତାପ ସର୍ବାଧିକ ୩୫ଡିଗ୍ରୀ ରହିବା କଥା ବୋଲି ୨୦୧୦ରେ ହିସାବ କରାଯାଇଥିଲା; କିନ୍ତୁ ଏହା ପ୍ରତିଦିନ ବଢ଼ିଚାଲିଛି। ୨୦୧୦ ସୁଦ୍ଧା ଏହା ୫ରୁ ୧୦ଗୁଣ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ତେବେ ବାୟୁମଣ୍ଡଳୀୟ ଉତ୍ତାପ ପ୍ରଦୂଷଣ ଉପରେ ନିର୍ଭର କରେ। ଜନବହୁଳ ଅଞ୍ଚଳରେ ଏହା ୧୫ପ୍ରତିଶତ ଅଧିକ ହୋଇପାରେ। ବିଶ୍ୱ ବ୍ୟାଙ୍କ ହିସାବ ଅନୁସାରେ ବିଶ୍ୱରେ ଅଙ୍ଗାରକାମ୍ଳ ବାଷ୍ପ ଜନିତ ପ୍ରଦୂଷଣ ଗତ ୫୦ବର୍ଷ ମଧ୍ୟରେ ମୁଣ୍ଡପିଛା ୩.୩୬ ମେଟି୍ରକ ଟନ୍‌ରୁ ୪.୯୭୨ ମେଟି୍ରକ ଟନ୍‌କୁ ବୃଦ୍ଧି ପାଇଛି। ୧୯୯୦ରେ ଯାହା ଥିଲା ସେଥିରୁ ମଧ୍ୟ ୬୦ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ଉତ୍ତାପ ସ୍ୱାଭାବିକ ଭାବେ ବୃଦ୍ଧି ପାଇବା ସମ୍ଭାବନା ରହିଛି।

Leave A Reply