ହରିୟାଣାରେ ମା’ଝିଅଙ୍କୁ ବଳାତ୍କାର; ୭ପୁଲିସଙ୍କ ସହ ୧୮ଜଣଙ୍କ ନାଁରେ ମାମଲା

0

କୈଥାଲ : ହରିୟାଣାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୧୬ବର୍ଷୀୟା ତରୁଣୀ ଓ ତାଙ୍କ ମା’ଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘଟଣାରେ ୭ପୁଲିସ କର୍ମଚାରୀଙ୍କ ସହିତ ୧୮ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣେ ପୁଲିସ ଏଏସ୍‍ଆଇ ବୋଲି କହିଛନ୍ତି ପୀଡ଼ିତା। ଟ୍ୟୁସନ୍‍ ଯାଉଥିବା ଜଣେ ମେଧାବୀ ଛାତ୍ରୀଙ୍କୁ ଅପହରଣ ସହିତ ବଳାତ୍କାର କରିବା ଅଭିଯୋଗରେ ଯବାନ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯିବାର ଦୁଇ ସପ୍ତାହ ନ ବିତୁଣୁ ପୁଲିସ କର୍ମଚାରୀଙ୍କ ଦ୍ୱାରା ଏଭଳି ଘଟଣା ଚିନ୍ତାର କାରଣ ହୋଇଛି। ଆହୁରି ପରତାପର ବିଷୟ ହେଉଛି, ସଦ୍ୟ ଘଟଣାରେ ସ୍ଥାନୀୟ ସରପଞ୍ଚ ଓ ଜଣେ ପୂର୍ବତନ ସରପଞ୍ଚଙ୍କର ପ୍ରଚ୍ଛନ୍ନ ସହଯୋଗ ରହିଛି।
ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଗତ ମାସରେ ଏହି ଘଟଣା ଘଟିଛି। ସେମାନେ କୈଥାଲ ଜିଲାର ନିଜ ବାସଭବନରେ ଥିବାବେଳେ ଜଣେ ପୁଲିସ ଏଏସ୍‍ଆଇ ଘରେ ପଶି ମା’ ଓ ଝିଅଙ୍କୁ ବଳାତ୍କାର କରିଥିଲେ। ଏଥିରେ ତାଙ୍କୁ ଜଣେ ହେଡ୍‍ କନ୍‍ଷ୍ଟେବଳ ଓ ଜଣେ କନ୍‍ଷ୍ଟେବଳ ସହାୟତା କରିଥିଲେ। ଏହି ସମୟରେ ସ୍ଥାନୀୟ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ବାହାରେ ଜଗି ରହିଥିଲେ। ଯୁବତୀଙ୍କ ଅଭିଯୋଗ ପାଇବା ପରେ ବୁଧବାର ୭ଜଣ ପୁଲିସ କର୍ମଚାରୀ ଓ ଅନ୍ୟ ୧୧ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। କୈଥାଲ ପୁଲିସ ଉପ ଅଧୀକ୍ଷକ ଆସ୍ଥା ମୋଦୀଙ୍କ କହିବାନୁଯାୟୀ, ଜଣେ ଡିଏସ୍‍ପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ବଳାତ୍କାର ସହିତ ଜଣଙ୍କ ଘରେ ବେଆଇନ ପ୍ରବେଶ, ଶାରୀରିକ କ୍ଷତି ଓ ଯୌନ ଉତ୍ପୀଡ଼ନ ଭଳି ମାମଲା ରୁଜୁ କରାଯାଇଛି।

Leave A Reply