ଓଡ଼ିଶାକୁ ୨ ସ୍ବର୍ଣ୍ଣ ସହ ୫ ପଦକ
କଟକ : ମହାରାଷ୍ଟ୍ରର ପୁଣେ ସହରର ଆର୍ମି ରୋଇଂ ନୋଡ୍ରେ ଶନିବାର ଉଦ୍ଯାପିତ ହୋଇଛି ୩୭ତମ ଜାତୀୟ ସିନିୟର ରୋଇଂ (ନୌଚାଳନା) ଚମ୍ପିଆନ୍ସିପ୍। ଏହି ଚମ୍ପିଆନ୍ସିପରେ ଓଡ଼ିଶାର ପ୍ରତିଯୋଗୀ ଚମତ୍କାର ପ୍ରଦର୍ଶନ କରି ୨ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ସହ ମୋଟ ୫ଟି ପଦକ ଜିତି ପାରିଛନ୍ତି। ୫୦୦ ମିଟର ଓ ୨୦୦୦ ମିଟର ବର୍ଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
୨୦୦୦ ମିଟର ଡବଲ୍ ସ୍କଲ୍ ବିଭାଗରେ ଓଡ଼ିଶାର ରେଶ୍ମା କୁମାରୀ ମିଞ୍ଜ୍ ଓ ମଞ୍ଜୁଳା ଖେସ୍ ସ୍ବର୍ଣ୍ଣପଦକ ଜିତିଛନ୍ତି। ୨୦୦୦ ମିଟର କକ୍ସଲେସ୍ ଫୋର୍ ବର୍ଗରେ ଓଡ଼ିଶାର ଋତୁ କାଉଡ଼ି, ସୋନାଲି ସ୍ବାଇଁ, ଝରଣା ହସ୍ତୀ ଓ ଦୀପିକା ଖେସ୍ ସ୍ବର୍ଣ୍ଣପଦକ ଜିତିଛନ୍ତି। ୨୦୦୦ ମିଟର ସିଙ୍ଗଲ୍ ସ୍କଲ୍ରେ ଓଡ଼ିଶାର ଆନ୍ତର୍ଜାତିକ ତାରକା ସଂଯୁକ୍ତା ଡୁଙ୍ଗ୍ଡୁଙ୍ଗ୍ ରୌପ୍ୟପଦକ ଜିତିଛନ୍ତି। ୫୦୦ ମିଟର କକ୍ସଲେସ୍ ପେୟାର୍ରେ ଓଡ଼ିଶାର ସୋନାଲି ସ୍ବାଇଁ ଓ ଋତୁ କାଉଡ଼ି ରୌପ୍ୟପଦକ ଜିତି ପାରିଛନ୍ତି। ୫୦୦ ମିଟର ଡବଲ୍ ସ୍କଲ୍ ବର୍ଗରେ ଓଡ଼ିଶାର ସଂଯୁକ୍ତା ଡୁଙ୍ଗ୍ଡୁଙ୍ଗ୍ ଓ ମଞ୍ଜୁଳା ଖେସ୍ ବ୍ରୋଞ୍ଜ୍ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୩ ଜଣିଆ ଦଳ ଭାଗ ନେଇଥିଲା। ଦଳରେ ୧୨ ଜଣ ମହିଳା ଓ ଜଣେ ପୁରୁଷ ନୌଚାଳକ ଥିଲେ। ଦଳର ପ୍ରଶିକ୍ଷକ ଭାବେ ପି.ଟି. ପୌଲୋସ୍ ଦଳ ସହ ଯାଇଥିଲେ। ଓଡ଼ିଶା ଖେଳାଳିଙ୍କ ଏପରି ସଫଳତା ପାଇଁ ସେମାନଙ୍କୁ ଓଡ଼ିଶା ଆସୋସିଏସନ୍ ଫର୍ ରୋଇଂ ଏଣ୍ଡ ସ୍କଲିଂ (ଓର୍ସ)ର ସଭାପତି ବିନୋଦ ଦାଶ ଓ ସମ୍ପାଦକ ଅମରଜ୍ୟୋତି ସିଂହଦେଓ ଅଭିନନ୍ଦନ ଜଣାଇଛନ୍ତି।