BJD Bijuli 480×75 Mob

ଜଙ୍ଗଲରେ ଶିକାର ଚାଲିଥିବା ବେଳେ ପୁଲିସର ରାତି ଅଧିଆ ଚଢଉ – କର୍ଲାପିଟା ଜଙ୍ଗଲରୁ ୮ ଦେଶୀ ବନ୍ଧୁକ, ଗୁଳି ଓ ବିସ୍ଫୋରକ ଜବତ

BJD Bijuli 480×75 Mob

ମୁରିବାହାଲ -ମଙ୍ଗଳବାର ବିଳମ୍ବିତ ରାତିରେ ମୁରିବାହାଲ ପୁଲିସ ହଲଦୀ ପଞ୍ଚାୟତ କର୍ଲାପିଟା ଗାଁ ନିକଟ ଜଙ୍ଗଲରେ ଚଢଉ । ଜଙ୍ଗଲରେ ଖୋଜାଖୋଜି କରିବା ପରେ ୪ଜଣଶିକାରୀଙ୍କୁ ପୁଲିସ ଠାବ କରିଥିଲା । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି, ଖୋକା, ବିସ୍ଫୋରକ ଆଦି ଜବତ କରାଯାଇଥିଲା । ଗିରଫ ଶିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସନ୍ଧ୍ୟାରେ ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ(ଜେଏମ୍‌ଏଫ୍‌ସି)ରେ ହାଜର କରାଯାଇଛି ।

ହଲଦୀ ପଞ୍ଚାୟତର କର୍ଲାପିଟା ଜଙ୍ଗଲ ସହ ଅନ୍ୟାନ୍ୟ ଜଙ୍ଗଲରେ ଶିକାରୀମାନେ ଅବାଧରେ କୁଟୁରା, ବାରାହା ସହ ଅନ୍ୟାନ୍ୟ ଜୀବଜନ୍ତୁ ଶିକାର କରୁଥିବା ମୁରିବାହାଲ ପୁଲିସ ନିକଟରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା । ସୋମବାର ରାତିରେ ବିଶ୍ୱସ୍ତ ସୂତ୍ରରୁ କିଛି ଶିକାରୀ କର୍ଲାପିଟା ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ମୁରିବାହାଲ ପୁଲିସ ସୂଚନା ପାଇଥିଲା । ଥାନା ଅଧିକାରିଣୀ ଜ୍ୟୋତିରାଣୀ ଦାସ ଓ ଅନ୍ୟ ପୁଲିସ କର୍ମଚାରୀମାନେ ମଙ୍ଗଳବାର ଭୋର୍‌ରେ କର୍ଲାପିଟା ଜଙ୍ଗଲକୁ ଯାଇ ତଲାସି ଆରମ୍ଭ କରିଥିଲେ । ଏହି ସମୟରେ କର୍ଲାପିଟା ଗାଁର ଧରଣୀ ଚନ୍ଦନ(୩୫), ପୁରନ୍ଦର ଧରୁଆ(୬୦), ଦେବାର୍ଚ୍ଚନ ଧରୁଆ(୩୦) ଓ ସାଧୁ ଧରୁଆ(୫୦)ଙ୍କୁ ଧରିଥିଲେ । ଜଙ୍ଗଲକୁ ଏତେ ରାତିରେ କାହିଁକି ଆସିଛ ବୋଲି ପୁଲିସ ପଚାରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ତେବେ ଖୋଜାଖୋଜି କରିବାରୁ ପୁଲିସ ସେଠାରୁ ୮ଟି ଦେଶୀ ବନ୍ଧୁକ, ୫ଟି ଜୀବନ୍ତ ଗୁଳି, ଖୋକା, ବିସ୍ଫୋରକ ପାଇଥିଲା ।

ଦୀର୍ଘ ଦିନରୁ ଜଙ୍ଗଲ ଭିତରେ ଜୀବଜନ୍ତୁ ଶିକାର ଚାଲିଥିଲା ବେଳେ ଆହରୁ ଅଧିକ ଶୀକାର ଅନ୍ୟାନ୍ୟ ଅଞ୍ଚଳରେ ରହିଛନ୍ତି । ସେମାନଙ୍କ ଉପରେ ବି ପୁଲିସ ନଜର ରଖିଛି । ଗିରଫ ୪ ଶିକାରୀଙ୍କ ବିରୋଧରେ ମୁରିବାହାଲ ଥାନାରେ ୬୭ ନମ୍ବର ମାମଲା ରୁଜୁ କରାଯାଇଛି । ସାମ୍ବାଦିକଙ୍କୁ ସୂଚନା ଦେବା ପରେ ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟରେ ପୁଲିସ ସେମାନଙ୍କୁ ହାଜର କରାଇଥିଲା । ସେମାନେ ଜାମିନ ପାଇ ନଥିଲେ । କଣ୍ଟାବାଞ୍ଜି କାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

ଗତ ୨୨ ତାରିଖରେ ମୁରିବାହାଲ ବନାଞ୍ଚଳ ଅନ୍ତର୍ଗତ ତିଖାରୀ ଜଙ୍ଗଲରେ ରତ୍ନପଥର ଖୋଳା ବେଳେ ସୁଡଙ୍ଗରେ ଅଣନିଶ୍ୱାସୀ ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ପୁଲିସ ଶକ୍ତ ହୋଇଉଠିଛି । ରତ୍ନପଥର ମାଫିଆ ରାଜୁ ସାହୁର କୌଣସି ଖୋଜଖବର ଟିଟିଲାଗଡ ପୁଲିସ ଲଗାଇ ପାରୁ ନାହିଁ । ଘଟଣାର ୧୨ ଦିନ ପରେ ବି ରତ୍ନପଥର ମାଫିଆ ରାଜୁର ଠିକଣା ଏବେ କେଉଁଠି ତାହା ଧରି ପାରୁ ନଥିବାରୁ ପୁଲିସର ପାରିବା ପଣିଆ ଉପରେ ଅଙ୍ଗୁଳି ଉଠୁଛି । ପୁଲିସ ଜାଣିଶୁଣି ମାମଲାରେ ଘଣ୍ଟ ଘୋଡାଉଛି ଓ ରାଜୁ ନଧରି ଆଗୁଆ ଜାମିନ ପାଇବା ପାଇଁ ସୁଯୋଗ ଦେଉଥିବା ଚର୍ଚ୍ଚା ହେଉଛି । କେବଳ ରତ୍ନପଥର ମାଫିଆ ନୁହେଁ, ମୁରିବାହାଲ ବନାଞ୍ଚଳରେ ଶିକାରୀଙ୍କ ଦୌରାତ୍ମ ଦମନ ପାଇଁ ପୁଲିସର ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି । ଆଗାମୀ ଦିନରେ ଅନ୍ୟ ଶିକାରୀଙ୍କୁ ଧରିବା ଉପରେ ପୁଲିସ ଗୁରୁତ୍ୱ ଦେଉ ବୋଲି ସ୍ଥାନୀୟ ଅଞ୍ଚଳରେ ମତପ୍ରକାଶ ପାଇଛି ।

Comments are closed.