ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ମହିଳା ହକି: ଓଡ଼ିଶାରୁ କେହି ନାହାନ୍ତି, ଦୀପ୍ଗ୍ରେସ ଆହତ
ଭାରତୀୟ ଦଳ ଘୋଷିତ, ସବିତା ଅଧିନାୟିକା
ନୂଆଦିଲ୍ଲୀ : ଏଫ୍ଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ମହିଳା ହକି ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ରୁ ୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ରାଞ୍ଚିରେ ଖେଳାଯିବ। ଏଥିରୁ ଶ୍ରେଷ୍ଠ ୩ ଦଳ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିବେ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ସବିତା ପୁନିଆ ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଓଡ଼ିଶାରୁ କୌଣସି ଜଣେ ହେଲେ ଖେଳାଳି ଦଳରେ ସ୍ଥାନ ପାଇନାହାନ୍ତି।
ଦୀପ୍ଗ୍ରେସ ଏକ୍କା ଆହତ ପାଇଁ ଦଳଠାରୁ ଦୂରରେ ରହିଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଦୂରେଇ ରହିଥିବା ଜଣାପଡ଼ିଛି। ଭାରତ ପୁଲ-ବି ରେ ନ୍ୟୁଜିଲାଣ୍ଡ, ଇଟାଲି ଓ ଆମେରିକା ସହ ସ୍ଥାନ ପାଇଛି। ପୁଲ-ଏ ରେ ଜର୍ମାନୀ, ଜାପାନ, ଚିଲି ଓ ଚେକ୍ ଗଣରାଜ୍ୟ ସ୍ଥାନ ପାଇଛନ୍ତି। ଭାରତ ୧୩ରେ ଆମେରିକା ସହ ଖେଳି ଅଭିଯାନ ଆରମ୍ଭ କରିବାବେଳେ ୧୪ରେ ନ୍ୟୁଜିଲାଣ୍ଡ, ୧୬ରେ ଇଟାଲି ସହ ମ୍ୟାଚ ଖେଳିବ। ଏଫ୍ଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟ ମହିଳା ହକି ପ୍ରତିଯୋଗିତା ଲାଗି ହକି ଇଣ୍ଡିଆ ପକ୍ଷରୁ ସମ୍ଭାବ୍ୟ ୩୪ଜଣିଆ ଖେଳାଳିଙ୍କୁ ନେଇ ବାଙ୍ଗାଲୋରର ସାଇ ସେଣ୍ଟରରେ ସମ୍ଭାବ୍ୟ ଶିବିର ମୁଖ୍ୟ ପ୍ରଶିକ୍ଷକ ଜାନ୍କେ ସ୍କୋପମ୍ୟାନଙ୍କ ନେତୃତ୍ବରେ ଚାଲିଥିଲାା। ଏଥିରୁ ୧୮ଜଣିଅା ଦଳ ମନୋନୟନ କରାଯାଇଛି।
ଭାରତୀୟ ମହିଳା ହକି ଦଳ : ସବିତା (ଅଧିନାୟିକା), ବିଚୁ ଦେବୀ ଖାରିବାମ (ଉଭୟେ ଗୋଲରକ୍ଷକ), ନିକ୍କି ପ୍ରଧାନ, ଉଦିତା, ଇସିକା ଚୌଧୁରୀ, ମୋନିକା (ସମସ୍ତେ ଡିଫେଣ୍ଡର), ନିଶା, ବୈଷ୍ଣବୀ ବିଥାଲ ପାଖଲେ, ନେହା, ନବନୀତ କୌର, ସାଲିମା ଟେଟେ, ସୋନିକା, ଜ୍ୟୋତି, ବିୟୁଟି ଡୁଙ୍ଗଡୁଙ୍ଗ (ସମସ୍ତେ ମିଡ଼ଫିଲଡର), ଲାଲରେମସିଆମି, ସଙ୍ଗୀତା କୁମାରୀ, ଦୀପିକା, ବନ୍ଦନା କଟାରିଆ (ସମସ୍ତେ ଫରୱାର୍ଡ)।
Comments are closed.