ସର୍ବୋତ୍କୃଷ୍ଟ ବିକଳ୍ପ ଉପଯୋଗର ପରିକଳ୍ପନା
ରାଜ୍ୟବଜେଟ ଉପସ୍ଥାପନ ପରେ ଜଣେ ବନ୍ଧୁ ଦେଖାହେଲେ। ସେ କହିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ସବୁ ବଜେଟ୍ ଉପସ୍ଥାପନ କରୁଛନ୍ତି ତାହାର କ’ଣ କୌଣସି ଭଲ ଦିଗ ନାହିଁ? ସେ ବିଷୟରେ କାହିଁକି ବିଶେଷ ଆଲୋଚନା ହେଉନାହିଁ? ମୁଁ ତାଙ୍କୁ କହିଲି କେନ୍ଦ୍ର ହେଉ ବା ରାଜ୍ୟ , କୌଣସି ବଜେଟ୍ ସଂପୂର୍ଣ୍ଣ ଭଲ ବା ସଂପୂର୍ଣ୍ଣ ଖରାପ ହୋଇପାରିବ ନାହିଁ। ପ୍ରତ୍ୟେକ ବର୍ଷ ନାମାଙ୍କନ ମୂଲ୍ୟରେ ଆୟ, ବ୍ୟୟ ବୃଦ୍ଧି ପାଉଛି। ଅର୍ଥମନ୍ତ୍ରୀ ନିଶ୍ଚୟ କିଛି ବ୍ୟୟବରାଦ କରିବେ, କିନ୍ତୁ ବଜେଟରେ କିପରି ଦାରିଦ୍ର୍ୟ, ବୈଷମ୍ୟ, କ୍ଷୁଧା, ବେକାରୀ ଦୂର ପାଇଁ ଧ୍ୟାନ ଦିଆଯାଉଛି ଏବଂ ଜନହିତକର କାର୍ୟ୍ୟ ପାଇଁ ଅଧିକ ବ୍ୟୟ କରାଯାଉଛି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟ ସରକାରଙ୍କ ବଜେଟର ପରିସୀମା ବହୁତ ସୀମିତ। କେନ୍ଦ୍ର ସରକାରଙ୍କ ପରିସର ବହୁ ବ୍ୟାପକ, କିନ୍ତୁ କ୍ରମାଗତ ଭାବେ କେନ୍ଦ୍ରସରକାର ବିଶେଷଭାବେ ଧନିକ ଶ୍ରେଣୀ, କର୍ପୋରେଟ ଓ ପୁଞ୍ଜିପତିଙ୍କ ଚାପରେ ସେମାନଙ୍କୁ ଅଧିକ ରିଆତି ଦେଉଛନ୍ତି। ପୁନଶ୍ଚ ରାଜ୍ୟ ସରକାର ତାଙ୍କ ସମ୍ବଳ ପାଇଁ ନିଜସ୍ବ ଟିକସ, ଅଣଟିକସ, ଋଣ, ଆଦି ଉପରେ ନିର୍ଭର କଲାବେଳେ କେନ୍ଦ୍ରୀୟ ପାଣ୍ଠି ହସ୍ତାନ୍ତର, କେନ୍ଦ୍ରୀୟ ଅନୁଦାନ ଆଦି ଉପରେ ଅଧିକ ନିର୍ଭରଶୀଳ।
ଅନେକ ସମୟରେ କେନ୍ଦ୍ରରେ ଶାସନ କରୁଥିବା ସରକାର ରାଜନୈତିକ ଦଳର ନେତୃବୃନ୍ଦ କହିଥାନ୍ତି ଯେ ଆମେ ରାଜ୍ୟକୁ ଏତେ ଦେଉଛୁ, ସେତେ ଦେଉଛୁ। ପ୍ରଥମ କଥା ଟିକସ ଆଦାୟ କରିବାର ବେଶୀ କ୍ଷମତା କେନ୍ଦ୍ର ହାତରେ। କେନ୍ଦ୍ର ରାଜ୍ୟବାସୀଙ୍କଠାରୁ ଟିକସ ଆଦାୟ କରିଥାଏ। ଏଣୁ ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ ଟିକସ ଭାଗ ଦେବା କେନ୍ଦ୍ରର ନୈତିକ ଦାୟିତ୍ବ। କେନ୍ଦ୍ର କିନ୍ତୁ ବେଶୀ ସରଚାର୍ଜ ଓ ସେସ୍ ମାଧ୍ୟମରେ ଅଧିକ ଟିକସ ଆଦାୟ କରୁଛି ଯେଉଁଥିରେ ରାଜ୍ୟର କିଛି ଭାଗ ନଥାଏ। ରିଜର୍ଭବ୍ୟାଙ୍କର ତଥ୍ୟ ଅନୁଯାୟୀ କେନ୍ଦ୍ରସରକାର ସେସ୍ ଓ ସରଚାର୍ଜ ବାବଦରେ ନିଜର ମୋଟ ରାଜସ୍ବର ୨. ୩% ୧୯୮୦-୮୧ରେ ଆଦାୟ କରୁଥିଲାବେଳେ ୨୦୧୯-୨୦ରେ ୧୫% ଆଦାୟ କରିଛନ୍ତି, ଯାହା ଫଳରେ କେନ୍ଦ୍ରସରକାରଙ୍କ ମୋଟ ଟିକସର ୮୫% କେବଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଣ୍ଟନ ହୋଇଛି। ମୋଟ ପାଣ୍ଠିରୁ ରାଜ୍ୟ ୪୨% ପାଇବ ବୋଲି ଚତୁର୍ଦଶ ଅର୍ଥ କମିଶନ ସୁପାରିସ କରିଥିଲେ ମଧ୍ୟ ବାସ୍ତବରେ ସେସ୍ ଓ ସରଚାର୍ଜ ଯୋଗୁ ରାଜ୍ୟମାନେ ୩୫.୭% ପାଇବେ। ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ରେ କେନ୍ଦ୍ର ସରକାର ସେସ୍ ଓ ସରଚାର୍ଜ ବାବଦରେ ୩,୬୯,୧୧୧ କୋଟି ଟଙ୍କା ପାଇଛନ୍ତି। ଯଦି ଏହି ସେସ୍ ଓ ସରଚାର୍ଜ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟନ ହୁଅନ୍ତା ତେବେ ରାଜ୍ୟମାନେ ମୋଟ ଉପରେ ୫% ଅଧିକ ସମ୍ବଳ ପାଇଥାନ୍ତେ। ଓଡ଼ିଶା ଅଧିକ ୭% ପାଇଥାନ୍ତା।
ସୀମିତ ସମ୍ବଳ ମଧ୍ୟରେ ଏବଂ ରାଜ୍ୟମାନଙ୍କ ଆର୍ଥିକ କ୍ଷମତା ଜିଏସଟି ପ୍ରଚଳନ ହେବା ପରେ ଅଧିକ ସଂକୁଚିତ ହେବା ଯୋଗୁ ରାଜ୍ୟମାନଙ୍କ ପାଇଁ ବଜେଟ୍ ଉପସ୍ଥାପନ କରିବା ପୂର୍ବାପେକ୍ଷା କଷ୍ଟକର ହୋଇଛି। ପୁନଶ୍ଚ କେନ୍ଦ୍ର ଟିକସ ଆଦାୟ କରିବାରେ ବିଫଳ ହେବା, ଟିକସ ଫାଙ୍କି ରୋକି ନପାରିବା, କର୍ପୋରେଟ, ପୁଞ୍ଜିପତିଙ୍କୁ ଅଧିକ ରିଆତି ଦେବା ଏବଂ ବିଭିନ୍ନ ଆର୍ଥିକ ସମସ୍ୟା ଯୋଗୁଁ ନିଜର ସମ୍ବଳ ହ୍ରାସ ପାଇବା କାରଣରୁ ତାହାର ପ୍ରଭାବ ରାଜ୍ୟକୁ ହସ୍ତାନ୍ତର ହେଉଥିବା ପାଣ୍ଠି ଉପରେ ପଡ଼ୁଛି। ଉଦାହରଣ ସ୍ବରୂପ ୨୦୧୯-୨୦ ବର୍ଷରେ କେନ୍ଦ୍ରରୁ ଆମ ରାଜ୍ୟ ସରକାର ତାଙ୍କ ଟିକସର ଅଂଶବାବଦରେ ୩୯୨୦୬. ୫୯ କୋଟିଟଙ୍କା ପାଇବେ ବୋଲି ଆଶା କରିଥିଲାବେଳେ ବାସ୍ତବରେ ୩୦୪୫୩. ୨୫କୋଟି ଟଙ୍କା ପାଇଛନ୍ତି। କିଛିଟା ଅଣଟିକସ ଏବଂ କେନ୍ଦ୍ର ଅନୁଦାନ ଦ୍ବାରା ଭରଣା ହୋଇଛି। ଯାହାଫଳରେ ରାଜ୍ୟ ସରକାର ତାଙ୍କ ୨୦୧୯-୨୦ରେ ବଜେଟର ମୋଟ ବ୍ୟୟ ଅଟକଳ ୧,୩୯,୦୦୦ କୋଟିଟଙ୍କା ଧାର୍ୟ୍ୟ କରିଥିଲାବେଳେ ସଂଶୋଧିତ ଅଟକଳରେ ୪୦୦୦କୋଟି ଟଙ୍କା ହ୍ରାସ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ୨୦୧୮-୧୯ ବର୍ଷରେ କେନ୍ଦ୍ର ଯେତିକି ଟିକସ ଆଦାୟ କରିବ ବୋଲି ଲକ୍ଷ୍ୟ ରଖିଥିଲା ତାହା ୨. ୯ ଲକ୍ଷ କୋଟି ଟଙ୍କା କମ୍ ହୋଇଛି। ୨୦୧୯-୨୦ରେ କେନ୍ଦ୍ରୀୟ ଟିକସ ଧାର୍ୟ୍ୟ ଲକ୍ଷ୍ୟଠାରୁ ୧ଲକ୍ଷ ୮୫ହଜାର କୋଟି ଟଙ୍କା କମ୍ ଆଦାୟ ହେବାରୁ ମୋଟ ବ୍ୟୟ ମଧ୍ୟ ୮୮୦୦୦ କୋଟିଟଙ୍କା ହ୍ରାସ ପାଇଛି। କେନ୍ଦ୍ରର ବିଫଳତା ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପଡ଼ୁଛି। ଏହା ସତ୍ତ୍ବେ ଓଡ଼ିଶା ନିଜସ୍ବ ସମ୍ବଳ ଅଧିକ ଆଦାୟ କରିବାର ବହୁତ ଆବଶ୍ୟକତା ରହୁଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଟିକେ ଅଧିକ ନିର୍ଭରଶୀଳ ହୋଇଛି।
ସୀମିତ ସମ୍ବଳ ସେତ୍ତ୍ବ ରାଜ୍ୟ ସରକାର ୧ଲକ୍ଷ ୫୦ହଜାର କୋଟିଟଙ୍କାର ବଜେଟ୍ ୨୦୨୦-୨୧ ପାଇଁ ଉପସ୍ଥାପନ କରିଛନ୍ତି ଯାହା ଗତବର୍ଷର ସଂଶୋଧିତ ଅଟକଳ ୧ଲକ୍ଷ ୩୫ ହଜାର କୋଟି ଟଙ୍କା ଉପରେ ୧୧. ୧୧% ଅଧିକ। ସେହି ବର୍ଷ ନାମାଙ୍କନ ଅଭିବୃଦ୍ଧି ୧୧. ୭% ଆକଳନ ହୋଇଥିଲାବେଳେ ବଜେଟ ବ୍ୟୟ ଅଟକଳ ବାସ୍ତବବାଦୀ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ରାଜ୍ୟର ମୋଟ୍ ଜିଏସଡିପି ବା ରାଜ୍ୟ ଘରୋଇ ଉତ୍ପାଦ ଅନୁସାରେ ରାଜ୍ୟ ସରକାରଙ୍କ ବଜେଟ ଆକାର ବୃଦ୍ଧି ପାଇବା। ୨୦୧୧-୧୨ରୁ ୨୦୧୩-୧୪ ପର୍ୟ୍ୟନ୍ତ ଏହା ୧୯ରୁ ୨୦% ରହୁଥିବାବେଳେ ତା’ପରେ ୨୪ରୁ ୨୫% ପାଖାପାଖି ରହୁଛି ଯାହା ସ୍ବାଗତଯୋଗ୍ୟ। ଏହି ବଜେଟ୍ରେ ଏହା ୨୫. ୨% ହେବ। ପୁନଶ୍ଚ ବଜେଟ୍ରେ ବିତ୍ତୀୟ ଶୃଙ୍ଖଳା ବଜାୟ ରଖାଯାଇଛି। ବିତ୍ତୀୟ ନିଅଣ୍ଟ ଓ ବଜେଟ ପରିଚାଳନା ନିୟମ ଅନୁଯାୟୀ ରାଜ୍ୟସରକାର ରାଜସ୍ବ ବଳକା ସହିତ ବିତ୍ତୀୟ ନିଅଣ୍ଟ ଜିଏସଡିପିର ୩%(କିଛି ସର୍ତ୍ତାବଳୀରେ ୩.୫%) ଏବଂ ଋଣ ୨୫% ମଧ୍ୟରେ ସୀମିତ ରଖିବେ। ସେହିଦୃଷ୍ଟିରୁ ଦେଖିଲେ ୨୦୨୦-୨୧ରେ ରାଜସ୍ବ ବଳକା ୧. ୫୯%, ବିତ୍ତୀୟ ନିଅଣ୍ଟ ୩% ଏବଂ ଋଣ ଜିଏସଡିପିର ୧୯% ମଧ୍ୟରେ ରହିଛି, ଅର୍ଥାତ ସଂପୂର୍ଣ୍ଣ ବିତ୍ତୀୟ ଶୃଙ୍ଖଳା ବଜାୟ ରହିଛି।
ଏହି ବଜେଟରେ କେତୋଟି ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଆଗପରି କୃଷି ଓ ସାଧାରଣ ବଜେଟ, ଶିଶୁ ଓ ଲିଙ୍ଗ ବଜେଟ ବ୍ୟତୀତ ଜଳବାୟୁ ବଜେଟ ଓ ନିଉଟ୍ରିସନ ବା ପୁଷ୍ଟି ବଜେଟ୍ ଉପସ୍ଥାପନ କରାଯାଇଛି। ଯାହା ଭାରତବର୍ଷରେ ପ୍ରଥମ। ପୁନଶ୍ଚ ଏଥର ପ୍ରଥମଥର ପାଇଁ (ଭାରତ ବର୍ଷରେ ଦ୍ବିତୀୟ) ଇ-ବଜେଟ୍ ବା ସବୁଜ ବଜେଟ୍ ଉପସ୍ଥାପନ ହୋଇଛି। ଅର୍ଥାତ ଅନେକ କାଗଜପତ୍ର ଖର୍ଚ୍ଚରୁ ସରକାର ମୁକ୍ତି ପାଇଛନ୍ତି। ପୁନଶ୍ଚ ବଜେଟ୍ରେ ‘ମୋ ସରକାର’ ଓ ‘୫-ଟି’ ମନ୍ତ୍ର ପ୍ରତିଫଳିତ ହୋଇଛି। ସରକାର ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି। ସରକାରଙ୍କ ତଥ୍ୟ ଅନୁସାରେ ୨୦୦୦ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲାବେଳେ ବଜେଟ ଆକାର ୧୧,୮୦୦ କୋଟି ଟଙ୍କା ଥିଲା। ବର୍ତ୍ତମାନ ବଜେଟ ଆକାରକୁ ବିଚାରକୁ ନେଲେ ଏହି ବୃଦ୍ଧି ୧୩ଗୁଣ ବା ୧୨୦୦%। ସେହିପରି ପୁଞ୍ଜି ବ୍ୟୟ ସେହି ଅବଧିରେ ୭୯୯ କୋଟିଟଙ୍କାରୁ ୨୬,୫୦୦ କୋଟିଟଙ୍କାକୁ ବୃଦ୍ଧି ପାଇଛି ଯାହା ୩୩ଗୁଣ ବା ୩୨୦୦%। ସେହିପରି କୃଷି ବଜେଟ୍ ଆକାର ୨୦୧୩-୧୪ରେ ୩,୦୦୦ କୋଟିଟଙ୍କା ଥିଲାବେଳେ ୨୦୨୦-୨୧ରେ ୧୯,୪୦୮ କୋଟି ଟଙ୍କା ହୋଇଛି। ସେହି ଅବଧିରେ ବୃଦ୍ଧି ୩ଗୁଣ ବା ୧୪୦%। ଆଞ୍ଚଳିକ ଉନ୍ନତି ପାଇଁ ବିଧାୟକ ପାଣ୍ଠି ୧କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପଞ୍ଚାୟତ ଓ ପୌରସଂସ୍ଥାର ବିକାଶ ପାଇଁ ଚତୁର୍ଦଶ ଅର୍ଥ କମିସନ ସୁପାରିସ ଅନୁଯାୟୀ ୭୦୦୦କୋଟିଟଙ୍କା ହସ୍ତାନ୍ତର କରାଯାଇଛି ଯାହା ଜନପ୍ରତିନିଧିଙ୍କ ସଶକ୍ତୀକରଣ ପ୍ରତୀକ ଅଟେ।
ଓଡ଼ିଶାରେ ସାମାଜିକ କ୍ଷେତ୍ରରେ ବ୍ୟୟବରାଦ ହ୍ରାସ ପାଉଛି ବୋଲି ଅନେକ ମତ ଦେଉଛନ୍ତି, କିନ୍ତୁୁ ବିଭିନ୍ନ ରାଜ୍ୟର ବଜେଟକୁ ନେଇ ସମୀକ୍ଷା କରୁଥିବା ପିଆରଏସର ତଥ୍ୟ ଅନୁଯାୟୀ ୨୦୧୫-୨୦୨୦ ମଧ୍ୟରେ ମୋଟ ବଜେଟର ବ୍ୟୟ ଅଟକଳ ଅନୁସାରେ ଉନ୍ନୟନ ବ୍ୟୟ ବା ଡେଭଲପମେଣ୍ଟାଲ ଏକ୍ସପେଣ୍ଡିଚରକୁ ଯଦି ବିଚାରକୁ ନିଆଯାଏ ତେବେ ଓଡ଼ିଶା ଭାରତରେ ଦ୍ବିତୀୟ ସ୍ଥାନରେ ରହିଛି। ଉନ୍ନୟନ ବ୍ୟୟ କହିଲେ ସାମାଜିକ ସେବାଜନିତ ବ୍ୟୟ ଓ ଅର୍ଥନୈତିକ ସେବାଜନିତ ବ୍ୟୟର ସମ୍ମିଶ୍ରଣକୁ ବୁଝାଏ। ସାମାଜିକ ସେବା ବ୍ୟୟ କହିଲେ ଶିକ୍ଷା, ସ୍ବାସ୍ଥ୍ୟ, ଜଳଯୋଗାଣ, ପରିମଳ, ଗୃହ, ସହର ବିକାଶ, ପଛୁଆ ବର୍ଗଙ୍କ ଉନ୍ନତିଜନିତ ବ୍ୟୟକୁ ବୁଝାଏ। ସେହିପରି ଅର୍ଥନୈତିକ ସେବାଜନିତ ବ୍ୟୟ କହିଲେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଗ୍ରାମୀଣ ଉନ୍ନୟନ, ଜଳସେଚନ, ଶକ୍ତି, ଗମନାଗମନ, ଭିତ୍ତିଭୂମି ବ୍ୟୟକୁ ବୁଝାଏ। ହାରାହାରି ଏହି ଉନ୍ନୟନ କ୍ଷେତ୍ରରେ ମୋଟ ବ୍ୟୟର କେତେ ପ୍ରତିଶତ ବ୍ୟୟ ହେଉଛି ଯଦି ବିଚାରକୁ ନିଆଯାଏ, ତେବେ ଛତିଶଗଡ଼ କ୍ଷେତ୍ରରେ ୭୭% ହୋଇଥିବାବେଳେ ଓଡ଼ିଶା କ୍ଷେତ୍ରରେ ୭୪%। ରାଜ୍ୟ ମାନଙ୍କର ହାରାହାରି ବ୍ୟୟ ୬୩%।
ଏହି ବଜେଟରେ ମଧ୍ୟ ଏହି ସବୁ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ‘କାଳିଆ’ ଯୋଜନାକୁୁ ପୁନଶ୍ଚ ପ୍ରାଧାନ୍ୟ ଦିଆଯାଇଛି। ଅସମ୍ପୂର୍ଣ୍ଣ ଜଳସେଚନ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ୧୧୮୧ କୋଟି ଟଙ୍କା, ବୃହତ୍ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫୪୦ କୋଟିଟଙ୍କା, କୃଷକମାନଙ୍କୁ ୪୩, ୨୮୨ କୋଟି ଟଙ୍କାର ଋଣ ସୁବିଧା, କମ ସୁଧରେ ଚାଷୀମାନଙ୍କୁ ଋଣ ଯୋଗାଇ ଦେବା ପାଇଁ ୭୦୫ କୋଟି ଟଙ୍କା, ଶସ୍ୟବୀମା ପାଇଁ ୭୦୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏତଦ୍ବ୍ୟତୀତ ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ୭୭୦୦କୋଟି ଟଙ୍କା, କଟକ ମେଡିକାଲର ସମ୍ପ୍ରସାରଣ ପାଇଁ ୧୦୦୦ କୋଟିଟଙ୍କା ବ୍ୟୟବରାଦ କରାଯାଇଛି। ଡାକ୍ତର, ନର୍ସ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଶିକ୍ଷା, ପିଇବା ପାଣି, ଗୃହ ତଥା ବିଭିନ୍ନ ସାମାଜିକ ଯୋଜନା, ମମତା, ମଧୁବାବୁ ପେନସନ୍ ଯୋଜନା ଆଦିକୁ ଗୁରୁତ୍ବ ଦିଆଯାଇଛି। ସଂକ୍ଷେପରେ କହିଲେ ବଜେଟ୍ରେ ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ଅଧିକ ରହିଛି, କିନ୍ତୁ ନିଯୁକ୍ତି କ୍ଷେତ୍ରରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। (ଲେଖକଙ୍କର ବ୍ୟକ୍ତିଗତ ମତ)
Comments are closed.