କାହିଁକି ନବରାତ୍ରିରେ କରାଯାଇଥାଏ କନ୍ୟା ପୂଜନ, ଜାଣନ୍ତୁ ରହସ୍ୟ
ପଶ୍ଚିମ ଭାରତ ଏବଂ ଗୁଜରାଟରେ ନବରାତ୍ରି ଏକ ଗଣପର୍ବର ମାନ୍ୟତା ପାଇଛି। ନବରାତ୍ରିରେ ବିଶେଷ କରି ମା’ ଦୁର୍ଗାଙ୍କ ପୂଜା କରାଯାଇଥାଏ ଓ ଏଥିରେ କନ୍ୟା ପୂଜନର ଏକ ଅନନ୍ୟ ପରମ୍ପରା ରହିଛି। ୯ଟି କନ୍ୟାଙ୍କୁ ମାଆ ଦୁର୍ଗାଙ୍କ ୯ଟି ରୂପର ସ୍ୱରୁପ ଭାବେ ପୂଜା କରାଯାଇଥାଏ ଓ ନିଜ ପରିବାରର ମଙ୍ଗଳ କାମନା କରାଯାଇଥାଏ। ସପ୍ତମୀରୁ କନ୍ୟାପୂଜା ଆରମ୍ଭ ହୋଇଥାଏ। ବିଶେଷ କରି ୨ ବର୍ଷରୁ ୧୧ ବର୍ଷ ବୟସର କୁମାରୀଙ୍କୁ ପୂଜା କରାଯାଇଥାଏ। ବିଶ୍ୱାସ ରହିଛି ଯେ ଏହି ଝିଅମାନଙ୍କୁ ଦେବୀଙ୍କ ଭଳି ଆଦର ସତ୍କାର ଓ ଭୋଜନ କରାଇବା ଦ୍ୱାରା ମା’ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି ଓ ନିଜ ଭକ୍ତଙ୍କୁ ସୁଖ ସମୃଦ୍ଧିର ବର ଦେଇଥା’ନ୍ତି।
କନ୍ୟାପୂଜାର ମହତ୍ୱ:
ଏହି ପୂଜାରେ ଦୁଇ ବର୍ଷର ଶିଶୁକୁ କୁମାରୀ, ତିନି ବର୍ଷର ଶିଶୁକୁ ତ୍ରିମୂର୍ତ୍ତି, ଚାରି ବର୍ଷର ଶିଶୁକୁ କଲ୍ୟାଣୀ, ପାଞ୍ଚ ବର୍ଷର ଶିଶୁକୁ ରୋହିଣୀ, ଛଅ ବର୍ଷର ଶିଶୁକୁ ବାଳିକା, ସାତ ବର୍ଷର ଶିଶୁକୁ ଚଣ୍ଡିକା, ଆଠ ବର୍ଷର ଶିଶୁକୁ ଶାମ୍ଭବୀ, ନଅ ବର୍ଷର ଶିଶୁକୁ ଦୁର୍ଗା, ଓ ଦଶ ବର୍ଷର ଶିଶୁକୁ କନ୍ୟା ଶୁଭଦ୍ରା ବୋଲି ବିବେଚନା କରାଯାଇଥାଏ।
କନ୍ୟାପୂଜନ ଦ୍ୱାରା ସମ୍ମାନ, ଲକ୍ଷ୍ମୀ, ବିଦ୍ୟା ଓ ତେଜ ପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ଭୟ, ବାଧା ଓ ଶତ୍ରୁ ବିନାଶ ମଧ୍ୟ ହୋଇଥାଏ। ପୁରାଣ ଅନୁସାରେ ଇନ୍ଦ୍ର ଯେତେବେଳେ ମା’ ଭଗବତୀଙ୍କୁ ପ୍ରସନ୍ନ କରିବାର ଉପାୟ ବ୍ରହ୍ମାଙ୍କୁ ପଚାରିଲେ ସେତେବେଳେ ବ୍ରହ୍ମା କୁମାରୀ ପୁଜା ସର୍ବୋତ୍ତମ ଉପାୟ ବୋଲି ତାଙ୍କୁ କହିଥିଲେ। ନଅ ଜଣ କୁମାରୀଙ୍କୁ ବିଧି ଅନୁସାରେ ଘରକୁ ଡାକି ତାଙ୍କ ପାଦ ଧୋଇ, କୁମ୍କୁମ ଲଗାଇ ପୂଜା କରାଯାଇଥାଏ। ଏହାପରେ ତାଙ୍କୁ ବସ୍ତ, ଗହଣା, ଫଳ ଓ ଅନ୍ନ ଆଦି ଦିଆଯାଇଥାଏ। ୨ ବର୍ଷରୁ ୧୧ ବର୍ଷ ବୟସର ଝିଅ ମାନେ ସାକ୍ଷାତ ମା’ଙ୍କ ସ୍ୱରୂପ ହୋଇଥା’ନ୍ତି। ପ୍ରତିପଦାରୁ ଆରମ୍ଭ କରି ନବମୀ ପର୍ଯ୍ୟନ୍ତ ଝିଅ ମାନଙ୍କୁ ପ୍ରଥମ ଦିନ ଜଣେ, ଦ୍ୱିତୀୟ ଦିନ ଦୁଇ, ତୃତୀୟ ଦିିନ ତିନି ଏହିଭଳି କରି ନବମୀ ଦିନ ନଅ ଜଣଙ୍କୁ ପୂଜା କରି ଭୋଜନ ଦେଲେ ମନମୁତାବକ ଫଳ ମିଳିଥାଏ। ଅଷ୍ଟମୀ ଦିନ ମହାଗୌରୀଙ୍କର ଉପାସନା କରାଯାଇଥାଏ। ତାଙ୍କର ଶକ୍ତି ଅମୋଘ ଓ ତାଙ୍କ ଅଶୀର୍ବାଦ ସର୍ବଦା ଫଳଦାୟୀ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।