କାଳିଆ: ଠାକୁରଙ୍କ ଡାକ ନାଁ ?

0

ହରପ୍ରସାଦ ଦାସ

prayash

ବାଗର୍ଥ, ଏନ୨/୨୬
ଆଇଆରସି ଭିଲେଜ, ଭୁବନେଶ୍ବର

ଜଣେ ସରଳ ବିଶ୍ବାସୀ ଓଡ଼ିଆ ଭାବରେ ମୁଁ ଚିନ୍ତିତ ‘କାଳିଆ’ ଶବ୍ଦର ବ୍ୟବହାରକୁ ନେଇ, କାରଣ ‘କାଳିଆ’ ନାଁ ଏଇନେ ରାସ୍ତାଘାଟରେ ସବୁଠି ଗଡ଼ୁଛି। ଯିଏ ପାରିଲା ସିଏ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କୁ ଡାକୁଚି ‘କାଳିଆ’, ନହେଲେ ‘ଜଗା’। ସତେ ଯେମିତି ଜଗନ୍ନାଥ ତାଙ୍କର ବ୍ୟକ୍ତିଗତ ସେବକ। ଜଗନ୍ନାଥ ପରି ସାମନ୍ତ, ନାହିଁନାହିଁ ତ! ଠିକ୍‌, କିନ୍ତୁ କାହାର ସାମନ୍ତ? ଭକ୍ତର ସେବକ ସେ, ଭକ୍ତର ସାମନ୍ତ, କିନ୍ତୁ କିଏ ସେ ଭକ୍ତ? ଯିଏ କାଳିଆ ନାଁରେ ଗୀତ ଲେଖିଲା ନା ଯିଏ ଗାଇଲା ନା ଯିଏ ଶୁଣିଲା? ଏମାନଙ୍କ ଭିତରେ ଭକ୍ତ କାହାନ୍ତି? ଏମାନେ ସବୁ ସମାଜର ସ୍ପର୍ଶକାତରତାରୁ ପଇସା ଗୋଟେଇବା ଲୋକ, ୟାଙ୍କର ନା ‘କାଳିଆ’ ଡାକିବାର ଯୋଗ୍ୟତା ଅଛି ନା ଅଧିକାର! ଜ୍ଞାନମାର୍ଗୀ ବୈଷ୍ଣବଙ୍କର ଭାବଚୂଡ଼ାମଣି ଶ୍ରୀଜଗନ୍ନାଥଙ୍କୁ ‘କାଳିଆ’ ଡାକିବାର ସାହସ କିଏ କରିବ? ଭାବମାର୍ଗୀ ବୈଷ୍ଣବଙ୍କର ହୃଦକାନ୍ତମଣି ଶ୍ରୀଜଗନ୍ନାଥଙ୍କୁ ‘କାଳିଆ’ ଡାକିବାର ସାହସ କିଏ କରିବ? ନା ଭାବ ମାର୍ଗରେ ନା ଜ୍ଞାନ ମାର୍ଗରେ ଜଗନ୍ନାଥଙ୍କୁ ‘କାଳିଆ’ ଡାକିବାର ପରମ୍ପରା ଆମ ଧର୍ମରେ ବା ଧର୍ମ ସାହିତ୍ୟରେ ନାହିଁ। ଭକ୍ତି ସାହିତ୍ୟର ସୁଦୀର୍ଘ ପରମ୍ପରାରେ ବି ଏଭଳି ସମ୍ବୋଧନ ନାହିଁ। ଜଗନ୍ନାଥଙ୍କୁ ଭକ୍ତର ଭର୍ତ୍ସନା ଦେଖିବେ ‘ଭାବ ସମୁଦ୍ର’ରେ। କୁହାଯାଏ ବଳରାମ ଦାସ ୟାର କବି। କେହିକେହି ତାହା ସ୍ବୀକାର କରନ୍ତି ନାହିଁ, କିନ୍ତୁ ‘ଭାବ ସମୁଦ୍ର’ ନାମକ ରତ୍ନଟିଏ ତ ଅଛି ଭକ୍ତ ପ୍ରାଣର କୋହଭରା ଉଛ୍ବାସ ହୋଇ। କି ଗାଳି ଠାକୁରଙ୍କୁ, କିନ୍ତୁ ସବୁଠି ‘ହରିହେ’, ‘ହରିହେ’ ସମ୍ବୋଧନର ଅଶ୍ରୁରେ ଧୋଇ ହୋଇଯାଉଚି ସତେକି ଭର୍ତ୍ସନାର ସବୁ ଶବ୍ଦ। ସେମିତି କି ସୁନ୍ଦର ଶୁଭେ ରଥଶର୍ମାଙ୍କ ତୁଣ୍ଡରେ ‘କାଳିଆ ସାଆନ୍ତ’ ଡାକ! କିନ୍ତୁ ଖାଲି କାଳିଆ। ଘୋର ଅପରାଧ କରୁଛନ୍ତି ଗୀତିକାରମାନେ ‘କାଳିିଆ’ ଶବ୍ଦର ବ୍ୟବହାର କରି, ଗାୟକମାନେ ତାକୁ ଗାଇ ଶୁଣାଇ ମଧ୍ୟ ଅପରାଧ କରୁଛନ୍ତି। କିଏ ଆରମ୍ଭ କଲା ଏ କାଳିଆ ଡାକ? ‘କଳାଠାକୁର’ ଡାକି ଦେଇ ବିଶ୍ବାସୀ ଓଡ଼ିଆଏ ଜିଭ କାମୁଡ଼ନ୍ତି କାଳେ ଅପମାନ ହେବ ବୋଲି ପ୍ରଭୁଙ୍କୁ। କେବେ କାଳିଆ ସୁନା, କେବେ କଳାକାହ୍ନୁ, କେବେ କଳାମାଣିକ, କେବେ କଳାଜହ୍ନ, କେବେ କାଳିଆ ରଜା, ଏମିତି କେତେ କ’ଣ, କିନ୍ତୁ ତାଙ୍କୁ କେହି କାଳିଆ ଡାକିବାର ଜଣା ନଥିଲା। ଏବେ ଗୁଡ଼େ ଭାଷାହୀନ, ଭକ୍ତିହୀନ, ସଂସ୍କାରହୀନ, ଅର୍ଦ୍ଧଶିକ୍ଷିତ ଗୀତିକାର ହଜାରହଜାର ଭଜନ ଓ ଜଣାଣରେ କାଳିଆ କାଳିଆ ଚିତ୍କାର କରି ଗାୟକଙ୍କ କଣ୍ଠ ଦେଇ ସରଳବିଶ୍ବାସୀ ଓଡ଼ିଆଙ୍କ ଭାକ୍ତିକତାର ଭାଷାରେ ପ୍ରବେଶ କରିଗଲାଣି। କବିସୂର୍ଯ୍ୟ, ଗୋପାଳକୃଷ୍ଣ, ଗୌରଚରଣ, ସାଲବେଗ ଓ ଅସଂଖ୍ୟ ଓଡ଼ିଆ ଗୀତିକାର ଯେଉଁ ନାନ୍ଦନିକ ଚଟୁଳତାର ଭାଷା ଓ ବ୍ୟଞ୍ଜନାରେ ପ୍ରଭୁଙ୍କୁ ସମ୍ବୋଧିତ କରି ହୃଦୟକୁ ସିକ୍ତ କରିଥିଲେ, ସେ ଭାଷା ଓ ବ୍ୟଞ୍ଜନ କୁଆଡ଼େ ଗଲା? ଏ କି ଉଚ୍ଛୃଙ୍ଖଳ ସମ୍ବୋଧନ। ଏ କି ଅସମ୍ମାନ। ଭକ୍ତବତ୍ସଳ ଏ ପ୍ରଭୁ କାହାରି ଖେଳସାଥୀ ନୁହନ୍ତି କି ‘ଲଂଗୋଟିଆ ୟାର’ ନୁହନ୍ତି, ଇଏ ରତ୍ନସିଂହାସନରୁ ଓହ୍ଲାନ୍ତି ବଳରାମ ପାଇଁ, ଦାସିଆ ପାଇଁ, ବନ୍ଧୁମହାନ୍ତି ପାଇଁ। ୟାଙ୍କ ଆଖିରୁ ବି ଲୁହ ବହେ, କିନ୍ତୁ ୟା ବୋଲି ୟାଙ୍କୁ ଯିଏ ପାରେ ସିଏ ଡାକିବ କାଳିଆ।
ଯୁକ୍ତି କରାଯାଇପାରେ ଯେ ଶ୍ରୀଜଗନ୍ନାଥଙ୍କ ନାଁରେ ଦୋକାନ ଅଛି, ରାସ୍ତା ଅଛି, ଘରଦ୍ବାର, ବ୍ୟବସ୍ଥା ଓ ଅନୁଷ୍ଠାନ ଅଛନ୍ତି ଅସଂଖ୍ୟ। ଜଗନ୍ନାଥ ହୋଟେଲ, ଜଗନ୍ନାଥ ସଡ଼କ, ଜଗନ୍ନାଥ କେବଲ, ଜଗନ୍ନାଥ ହୋମିଓ, ଜଗନ୍ନାଥ ଫାର୍ମାସୀ! ହେ ପ୍ରଭୁ, ଜଗନ୍ନାଥ! ଜୋତା କମ୍ପାନୀ, ବହିଦୋକାନ, ଟାୟାର କମ୍ପାନୀ ଅଛନ୍ତି। ନୀଳାଦ୍ରିବିହାରୀ ଏକାଡ଼େମୀ ଅଛି, କାଠଗୋଦାମ ଅଛି। ପତିତପାବନ ରଙ୍ଗଦୋକାନ, ଫୁଲଦୋକାନ, ବ୍ରଏଲର ଦୋକାନ, ମାଛଦୋକାନ ଅଛି, ହେ ପ୍ରଭୁ,! ଏଇ ମୋ ଘର ପାଖେ ପରଂବ୍ରହ୍ମ ସେଲୁନ ଓ ସୁଭଦ୍ରା ଲେଡିଜ୍‌ ଟେଲର ବି ଅଛି। ଏତେ ବହୁ ବ୍ୟବହୃତ ଯଦି ପ୍ରଭୁ ନାମ ତାଙ୍କୁ କାଳିଆ ବୋଲି ଡାକିଦେଲେ କ’ଣ ଅଶୁଦ୍ଧ ହୋଇଗଲା। ଓଃ ଏ ରଚନା ଲେଖା ହେଲାବେଳେ ନଜର ପଡ଼ିଲା ‘ଆତ୍ମା ଗାଙ୍ଗୁରାମ’ ଉପରେ। ଆତ୍ମା ଯଦି ଗାଙ୍ଗୁରାମ, ପରଂବ୍ରହ୍ମ ଯଦି ସେଲୁନ, ନୀଳାଦ୍ରିବିହାରୀ ଯଦି କାଠଦୋକାନ, ଜଗନ୍ନାଥ ଯଦି ତେଜରାତି ଦୋକାନ, କାଳିଆ କିଆଁ ଜଗନ୍ନାଥ ହେବେ ନାହିଁ?
ହେବେ ନାହିଁ। ଜଗନ୍ନାଥଙ୍କୁ କାଳିଆ ଡାକିବାର
ଅଧିକାର କାହାରି ନାହିଁ। ବଳରାମ ଦାସେ ଏତେ ଭର୍ତ୍ସନା କଲେ, କାଳିଆ ବୋଲି ଡାକିଲେ କି? ଏ କାଳିଆକୁ ନେଇ ବୁଦ୍ଧି ଶିଖେଇଥିଲେ ଜଗନ୍ନାଥେ ବିଧର୍ମୀ ଫିରିଙ୍ଗିଙ୍କୁ, ଆମର ଏ ଉଦ୍‌ବାର୍ଯ୍ୟ କଳାମୁହାଁଙ୍କୁ ବି ଶିଖେଇ ଚାଲିଛନ୍ତି, କିନ୍ତୁ ଅମରମତ୍ତା ଓଡ଼ିଆଏ ଜାଣିପାରୁ ନାହାନ୍ତି। ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଅଧିକାର ପୂର୍ବରୁ ଜଣେ ଦୂତକୁ ପଠେଇଥିଲା ଏ କଳାଠାକୁରଙ୍କ ମହିମା ବିଷୟ‌ରେ ପ୍ରତ୍ୟକ୍ଷ ବିବରଣୀ ଦେବାପାଇଁ, କାରଣ ତାଙ୍କୁ ଏ ଖବର ମିଳିଥିଲା ଯେ ଓଡ଼ିଶା ଏଭଳି ଗୋଟିଏ ରାଜ୍ୟ ଯାହାର ଆତ୍ମା ଏଇ ଠାକୁର ପାଖରେ ଆଜନ୍ମ ବନ୍ଧାପଡ଼ିଛି। ସାଇବ ଅଇଲେ ସୋଲାଟୋପି ପିନ୍ଧି ରଥଯାତ୍ରା ବେଳେ ନାକ ଟେକି। ଇଃ କି କଳା ଅସୁନ୍ଦର ବେଢଙ୍ଗିଆ ଏ ମୂର୍ତ୍ତି, ୟାକୁ କାଇଁକି ପ୍ରାଣ ଦେଇଛନ୍ତି ଏ ଦେଢ଼ଗୋଡ଼ିଆ ମଳିମୁଣ୍ଡିଆ ଓଡ଼ିଆଗୁଡ଼ା? ସାଇବ ଚାହିଁଲା ଠାକୁରଙ୍କୁ। ରଥାରୂଢ଼ ଜଗନ୍ନାଥ, ଘର୍ଘର ନାଦରେ କମ୍ପୁଚି ବଡ଼ଦାଣ୍ଡ। ସାଇବ ଚାହିଁିଚି, ନିଠେଇନିଠେଇ ଦେଖୁଛି କଳା ଶ୍ରୀମୁଖକୁ ଜାଣିବା ପାଇଁ କେମିତି ଦିଶୁଚି ଏ ‘ବ୍ଲାକ୍‌ଗଡ୍‌’। ଥରକୁ ଥର ଆଖି ପୋଛୁଛି ସାଇବ, ପ୍ରଚକ୍ଷୁ ସଫା କରୁଚି, ପୁଣି ଚାହୁଁଚି। ତା’ର ଦେହ ଥରିବା ଆରମ୍ଭ ହେଲାଣି। ପାଦ ଲଡ଼ଖଡ଼। ସାଇବ ବେହୋସ୍‌! କଥା କ’ଣ? ସାଇବ ଲେଖିଲା ତା’ର ବିବରଣୀରେ: କି ଆଶ୍ଚର୍ଯ୍ୟ କଳାମୁହଁ କାହିଁ? ଦିଶିଲା, ଯେତେ ଚାହିଁଲେ ବି ଦିଶିଲା ଫଣାଟେକି ଲାଞ୍ଜ ଉପରେ ଠିଆ ହୋଇଯାଇଚି ଭୟଙ୍କର ନାଗରାଜ, ହିଂସ୍ର ଆଖି, ଫୁତ୍‌କାର, ଦଂଶିବା ପାଇଁ ଉଦ୍ୟତ। ଯେ ବ୍ଲାକ୍‌ଗଡ଼, ଇଟ ଇଜ୍‌ ଏ ହ୍ୟୁଜ୍‌ ସର୍ପେଣ୍ଟ। (କଳାଠାକୁର, ମୂର୍ତ୍ତି ଫୂର୍ତ୍ତି କିଛିନାହିଁ, ଅଛି ଏକ କରାଳ ନେତ୍ରଧାରୀ ହିଂସ୍ର ନାଗ।)
ପାଠକେ ମନେପଡ଼ିଲା କବିସୂର୍ଯ୍ୟଙ୍କ ‘ସର୍ପ ଜଣାଣ’? ‘ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି/ ତୁମ୍ଭଙ୍କୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି, ହେ କୃପାନିଧି! କାଳସର୍ପ ଆପଣ, କେବଳ କର ପ୍ରାଣ ପାବନମାନଙ୍କୁ ସବୁରି ହେ କୃପାନିଧି!’
ହଁ ସେ କାଳସର୍ପ! ବିଧର୍ମୀ, ଅବିଶ୍ବାସୀ, ମନ୍ଦବୁଦ୍ଧି ସାଇବକୁ ଦିଶିଥିଲା, ଦିଶିଥିଲା କୋହଭରା କଣ୍ଠରେ, ଅଶ୍ରୁବିଗଳିତ ନେତ୍ରରେ ପଦ ଲେଖୁଥିବା ମହାକବି ବଳଦେବଙ୍କୁ, କିନ୍ତୁ କାଳିଆ କହି ପଦ ଯୋଡ଼ୁଥିବା ଅନ୍ଧ ଗୀତିକାରଙ୍କୁ ଦିଶୁନି ସେ କାଳସର୍ପ। ଦିଶୁନି, କାରଣ ଅବିଦ୍ୟାର ଅନ୍ଧକାରରେ ସେମାନେ ଠାକୁରଙ୍କ ମୁହଁକୁ ଚାହୁଁନାହାନ୍ତି, ସେମାନେ ନିଜ କଳାକାରୀରେ ମୁଗ୍‌ଧ, ଗାୟକ ତାଙ୍କ କଳାକାରୀରେ ମୁଗ୍‌ଧ। ଯାହାଙ୍କୁ କହୁଛନ୍ତି କାଳିଆ ତାଙ୍କୁ ଚାହିଁଲେ ତ ପିଳେହି ପାଣି ହୋଇଯିବ, ଗୀତ ଲେଖିବ କିଏ? ଭକ୍ତର ଆଖିରେ ସେ କାଳିଆ ନୁହନ୍ତି। ଆସିଥିଲେ ଭକ୍ତ ଚୈତନ୍ୟ, ରଥାରୂଢ଼ ଜଗନ୍ନାଥଙ୍କୁ ଦେଖିଲେ ଓ ବିହ୍ବଳ ହୋଇ ଲୋଟିପଡ଼ିଲେ ବଡ଼ଦାଣ୍ଡର ଧୂଳିରେ। କହିଲେ, ଏ ତ ସେଇ ଯାହାଙ୍କ ପାଇଁ ଶ୍ରୀ ଶଙ୍କରାଚାର୍ଯ୍ୟ ଲେଖିଲେ ଜଗନ୍ନାଥାଷ୍ଟକ, ଏ ତ ଲୀଳାମୟ ଶ୍ରୀକୃଷ୍ଣ! ଗାଇଲେ ଜଗନ୍ନାଥାଷ୍ଟକ, ଭକ୍ତିରେ ବିହ୍ବଳ ହେଲେ। କାଳିଆ? କି ଘୋର ନିର୍ଲଜତା ଜାତିର ଆରାଧ୍ୟ, ସର୍ବ ପନ୍ଥା ସମନ୍ବୟର ଜୀବନ୍ତ ଠାକୁର କାଳିଆ? ଶ୍ରୀକୃଷ୍ଣ କାଳିଆ ନା ଷୋଳକଳାପୂର୍ଣ୍ଣ ମଦନମୋହନ ଯୋଗେଶ୍ବର ସୌନ୍ଦର୍ଯ୍ୟର ଭଣ୍ଡାର। ସେଇ ସୌନ୍ଦର୍ଯ୍ୟର ଭଣ୍ଡାର ଜଗନ୍ନାଥ, କାଳିଆ ନୁହନ୍ତି। ଅଯୋଗ୍ୟ ଅମଣିଷଙ୍କ ସାମନ୍ତ ବା ଭୃତ୍ୟ ନୁହନ୍ତି ଜଗନ୍ନାଥ। ଆମ ଭକ୍ତଶ୍ରେଷ୍ଠ ତ କହିଛନ୍ତି ଜଗନ୍ନାଥ ପରି ସାମନ୍ତ, ନାହିଁ ନାହିଁ ତ। କହିଛନ୍ତି, କିନ୍ତୁ ସଂଭ୍ରମର ସହିତ, କେତେ ଭକ୍ତିରେ ଝରସର ହୋଇ, କୋହରେ ରୁନ୍ଧିହୋଇ।
ଜଗନ୍ନାଥଙ୍କୁ କାଳିଆ ଡାକିବା ଅପମାନଜନକ। ଜଗା ଡାକିବା ଅପମାନଜନକ। ଓଡ଼ିଆଙ୍କ ଭକ୍ତିମାର୍ଗରେ ଜ୍ଞାନ ଓ ଭାବର ଯେଉଁ ଅପୂର୍ବ ସମନ୍ବୟ, ସେଥିରେ ଏ ଦୁଇପଇସିଆ ବିକଳିଆ କବିତ୍ବ ଚଳେନାହିଁ। ଗୀତିକାର, ଗାୟକ ଓ ସାଧାରଣ ଲୋକଙ୍କ ତ୍ୁଣ୍ଡରେ ଏ ଅପଶବ୍ଦର ପ୍ରୟୋଗ ନହେଉ। ଏ ଅପଶବ୍ଦଗୁଡ଼ିକ ଓଡ଼ିଆଙ୍କ ଭକ୍ତି ପରମ୍ପରାର ଗାମ୍ଭୀର୍ଯ୍ୟ ଓ ବିଭୋର ଆତ୍ମସମର୍ପଣ ଦୁଇଟାଯାକ ନଷ୍ଟ କରିଦେବେ। ‘କାଳିଆ’ ଡାକ ଯେ ଜଗନ୍ନାଥ ଶୁଣୁନାହାନ୍ତି ଏ କଥା କ’ଣ ଶସ୍ତା-ସହଜିଆ ଭାଇ-ଭଉଣୀ ଆମର ଜାଣୁନାହାନ୍ତି? ଅନ୍ୟ କୌଣସି ଅଞ୍ଚଳରେ ଅନ୍ୟ କୌଣସି ଧର୍ମପୀଠରେ, ଅନ୍ୟ କୌଣସି ଦେବତାଙ୍କୁ ଏ ଭଳି ଅପଶବ୍ଦ ଦ୍ବାରା ଲାଞ୍ଛିତ ହେବାକୁ ପଡ଼ିନାହିଁ। କିଓ ବାବୁ ତମ ବାପାଙ୍କ ନାଁ ବୃନ୍ଦାବନ ତ ତମେ ତାଙ୍କୁ ଡାକିବ ବୁରୁନ୍ଦା? ତମ ବାପାଙ୍କ ନାଁ ଜଗନ୍ନାଥ ତ ତମେ ତାଙ୍କୁ ଡାକିବ ଜଗା? ମୋ ବାପାଙ୍କ ନାଁ କୃତ୍ତିବାସ, ତାଙ୍କ ଡାକ ନାଁ ଥିଲା କାଳିଆ। ମୁଁ କ’ଣ ପ୍ରବଳ ସ୍ନେହ ଓ ସମ୍ମାନରେ ତାଙ୍କୁ ଡାକିଥାନ୍ତି କାଳିଆ? ଲଜ୍ଜାକର ଏ ଭ୍ରଷ୍ଟ ଭକ୍ତିମାର୍ଗ। ସାଧାରଣ ଲୋକଙ୍କ ମାର୍ଗ ନୁହେଁ ଏ! କୋଟିକରେ ଗୋଟିଏ ଥିବ କେହି ଜଣେ ଭକ୍ତ ଯିଏ ଠାକୁରଙ୍କୁ ପୁଅ କରିଥିବ, ତା’ର ବିମଳ ଅଶ୍ରୁଧାରରେ ଥିବେ ଗଙ୍ଗାଯମୁନା, ଠାକୁରେ ଠାକୁରେ ଡାକିଡାକି ଯିଏ କାଟି ଦେଇଥିବ ତା’ର ନିଃସ୍ବତାର ଜୀବନକାଳ, ସେଇ ଲୁହ ପିଇ ଯାହା ଇଚ୍ଛା ତାହା ଡାକିପାରିବ ଠାକୁରଙ୍କୁ, ଠାକୁରେ ତା’ ଡାକରେ ରତ୍ନସିଂହାସନରୁ ଓହ୍ଲେଇ ଆସିବେ। ୟା ବୋଲି ତମେଆମେ ଭୁବନମୋହନଙ୍କୁ ଡାକିବା କାଳିଆ, ଜଗତର ନାଥଙ୍କୁ କଥାକଥାକେ ଡାକିବା କାଳିଆ, ଡାକିବା ଜଗା?
ପାଠକେ, ଗଭୀର କ୍ଷୋଭ ସହିତ ମୁଁ ଏ ରଚନା ଲେଖୁଚି। ମୁଁ ଭକ୍ତ ନୁହେଁ କି କୋଉ ବିଶିଷ୍ଟରେ ଗଣା ନୁହେଁ। ବହୁକାଳ ଧରି ମୋ ପ୍ରାଣକୁ ବାଧିଚାଲିଥିବା କଥାଟା ଆଜି ଖୋଲି କହିଦେଲି ଏଇ ଭରସାରେ ଯେ ମୋ ଭଳି ହୁଏତ ଅନେକ ଲୋକ ଥିବେ ଏ ରାଜ୍ୟରେ ଯେଉଁମାନଙ୍କୁ ଆଦୌ ଭଲ ଲାଗୁନଥିବ ଏ ସମ୍ବୋଧନ, ଛାତି ଥରିଯାଉଥିବ, ମୁଣ୍ଡ ଘୂରିଯାଉଥିବ ଏ ଡାକ ଶୁଣି, ଏ ଡାକରେ ଭର୍ତ୍ତି କଥା ଓ ଗୀତ ଶୁଣି ଶୁଣି। ଏ କଥା ଲେଖି ମୁଁ ଯଦି କୌଣସି ଜଗନ୍ନାଥପ୍ରାଣ ମହାଭକ୍ତଙ୍କ ଅଧିକାରରେ ହସ୍ତକ୍ଷେପ କରିଥାଏ, ତା’ହେଲେ ଏ ଅଧମକୁ କ୍ଷମା କରିବେ। ଅନ୍ୟଥା ବନ୍ଦ୍‌ କରନ୍ତୁ ଏ ‘କାଳିଆ’ ଓ ‘ଜଗା’ ଡାକ, ଚାହାନ୍ତୁ ସେ କଳା ଶ୍ରୀମୁଖକୁ, କାଳସର୍ପ ଚାହିଁଚି ଫଣାଟେକି।

kalyan agarbati
Leave A Reply