ଓଡ଼ିଶାରେ ଶିକ୍ଷକ ପ୍ରଶିକ୍ଷଣର ଦୁଃସ୍ଥିତି

0

ବୃତ୍ତି ଯାହା ବି ହେଉ ନା କାହିଁକି, ତହିଁରେ ପାରଙ୍ଗମ ହେବାକୁ ହେଲେ ଉଚିତ ପ୍ରଶିକ୍ଷଣ ଲୋଡ଼ା। ପ୍ରଶିକ୍ଷଣ ଔପଚାରିକ ହୋଇପାରେ, ଅନୌପଚାରିକ ବି ହୋଇପାରେ। ଅନେକ ସମୟରେ ଔପଚାରିକ ପ୍ରଶିକ୍ଷଣ ତୁଳନାରେ ଅନୌପଚାରିକ ପ୍ରଶିକ୍ଷଣ ଅଧିକ ବ୍ୟାବହାରିକ ସିଦ୍ଧ ହୋଇଥାଏ। ଏକଥା ଶିକ୍ଷକତା କ୍ଷେତ୍ରରେ ମଧ୍ୟ ସତ। ସ୍କୁଲ ଶିକ୍ଷକତା ନିମନ୍ତେ ବିଷୟ ଜ୍ଞାନର ଯେତେ ଆବଶ୍ୟକତା, ତାକୁ ପିଲାଙ୍କୁ ପ୍ରଦାନ କରିବା ନିମ​‌େ​‌ନ୍ତ ଉଚିତ ପଦ୍ଧତିର ମଧ୍ୟ ତତୋଽଧିକ ମାତ୍ରାରେ ଆବଶ୍ୟକତା। ଏବେ ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ସ୍କୁଲ ଶିକ୍ଷାକୁ ନେଇ ଯେତେ ଯାହା ସମସ୍ୟା ତା’ ପଛରେ ଶିକ୍ଷକ ପ୍ରଶିକ୍ଷଣ ବା ତାଲିମ ଏକ ପ୍ରମୁଖ କାରଣ। ତାହା ସୁଧୁରିଲେ ସ୍କୁଲଶିକ୍ଷାର ମାନବୃଦ୍ଧି ହେବାର ବାଟ ସୁଗମ ହେବାର ସମ୍ଭାବନା ବଢ଼ିବ।
ସାଧାରଣତଃ ଶିକ୍ଷକ ପ୍ରଶିକ୍ଷଣ ଦୁଇଟି ପର୍ଯ୍ୟାୟରେ ଦିଆହୁଏ। ଶିକ୍ଷକ ଭାବରେ ଭର୍ତ୍ତି ହେବାବେଳେ ଯେଉଁ ତାଲିକା ରହିଥିବା କଥା ବୋଲି ମନେ କରାଯାଏ ତାହା ହେଲା ପ୍ରାକ-ନିଯୁକ୍ତି (ପ୍ରି-ସର୍ଭିସ)ପ୍ରଶିକ୍ଷଣ। ପ୍ରାର୍ଥୀର ଶିକ୍ଷାଗତ ଯୋଗ୍ୟତା ଯେତେ ଅଧିକ ହେଉ ନା କାହିଁକି, ସେ ଯଦି ଏହି ପ୍ରଶିକ୍ଷଣର ପ୍ରମାଣ ଯାହାକୁ ‘ବିଏଡ଼’ ଡିଗ୍ରୀ ବୋଲି କୁହାଯାଏ, ରଖିନାହିଁ, ତା’ର ପ୍ରାର୍ଥିତ୍ବ ଆବେଦନଯୋଗ୍ୟ ମଧ୍ୟ ନୁହେଁ। ଦ୍ବିତୀୟ ଧରଣର ପ୍ରଶିକ୍ଷଣକୁ ‘ଇନ୍‌ ସର୍ଭିସ୍‌’ ତାଲିମ ବା ଚାକିରି କଲାପରେ ମଝିରେମଝିରେ ଦିଆଯାଉଥିବା ତାଲିମ କୁହାଯାଏ। ଶିକ୍ଷା କ୍ଷେତ୍ରରେ ହେଉଥିବା ନୂଆନୂଆ ପରିବର୍ତ୍ତନକୁ ବୁଝିବା ଲାଗି ଏଭଳି ତାଲିମର ଲୋଡ଼ା ପଡ଼ିଥାଏ। କର୍ତ୍ତୃପକ୍ଷ ଉକ୍ତ ତାଲିମର ବ୍ୟବସ୍ଥା କରିଥାନ୍ତି। ଅର୍ଥାତ ଶିକ୍ଷକତାରୁ ସାମୟିକ ଭାବେ ଅବ୍ୟାହତି ନେଇ କର୍ତ୍ତୃପକ୍ଷଙ୍କୁ ଖର୍ଚ୍ଚରେ ଶିକ୍ଷକ ଏହି ତାଲିମ ନେଇଥାଏ। ଏହା ଆଦୌ ଅନୁପାଦେୟ ନୁହେଁ, କାରଣ ଘଟିତ ପରିବର୍ତ୍ତନ ସହ ପରିଚିତ ହେଲେ ଶିକ୍ଷକର ଦକ୍ଷତା ବଢ଼େ, ଯାହାର ଆଶୁ ଲାଭ ପିଲାଙ୍କୁ ମିଳିଥାଏ।
ଏହା ହେଲା ଶିକ୍ଷା ସମସ୍ୟାର ଔପଚାରିକ ସମାଧାନ। ବାସ୍ତବିକତା ହେଲା ଯେ ଆମର ଉଭୟ ପ୍ରାକ୍‌-ନିଯୁକ୍ତି ପ୍ରଶିକ୍ଷଣ ଓ ନିଯୁକ୍ତି ପରର ପ୍ରଶିକ୍ଷଣ ଅତ୍ୟନ୍ତ ଦୁର୍ବଳ, କେବଳ ଖାନାପୂର୍ତ୍ତି ପାଇଁ, ଯାହାର ଦୁଷ୍ପରିଣାମ ପ୍ରତି କ୍ଷଣରେ ପ୍ରତିଭାତ ହେଉଥାଏ। କେଉଁଠି ଶିକ୍ଷକ ପରୀକ୍ଷାବେଳେ ‘କପି’ ଦେଲେଣି ବୋଲି ଖବର ବାହାରୁଛି, ତ ଆଉ କେଉଁଠି ପାଠପଢ଼ା ବଦଳରେ ଶିକ୍ଷକ ପିଲାଙ୍କ ଉପରେ ଅନୈତିକ କାମ କଲେଣି ବୋଲି ଅଭିଯୋଗ ହେଉଛି। ଏସବୁ ତ ହେଲା ଦୃଶ୍ୟମାନ ଦୁଷ୍ପରିଣାମ। ପୁଣି, ଆହୁରି ଅନେକ ଦୁଷ୍ପରିଣାମ ରହିଛି, ଯାହାକୁ ଗଣମାଧ୍ୟମର କ୍ୟାମେରାରେ ଧରି ହୁଏନାହିଁ। ଉଦାହରଣ ସ୍ବରୂପ, ପିଲା ପରୀକ୍ଷାରେ ଭଲ ମାର୍କ ରଖିଲା ପରେ ବାଞ୍ଛିତ ବୃତ୍ତି ପାଇଁ ନିଯୁକ୍ତିଯୋଗ୍ୟ ସିଦ୍ଧ ନହେବା କିମ୍ବା ବୃତ୍ତିରେ ତା’ର ମନ ନ ଲାଗିବା, ନିରନ୍ତର ତହିଁରୁ ନିବୃତ୍ତି ପାଇବା ଲାଗି ଚାହିଁବା ଆଦି। ଅନ୍ୟ ଶବ୍ଦରେ କହିଲେ କେବଳ ଔପଚାରିକ ପ୍ରଶିକ୍ଷଣ ଶିକ୍ଷକକୁ ତା’ ବୃତ୍ତିରେ ନିମଗ୍ନ କରିପାରେନା, ଯାହା ପିଲା ପାଇଁ ତ ଅସୁବିଧା, ମାତ୍ର ଅପ୍ରଶିକ୍ଷିତ ବା ଅର୍ଦ୍ଧ-ପ୍ରଶିକ୍ଷିତ ଶିକ୍ଷକପାଇଁ ମଧ୍ୟ କମ୍‌ ସମସ୍ୟାପୂର୍ଣ୍ଣ ନୁହେଁ। ନିଜର ଖାଇବା, ପିଇବା, ଶୋଇବା, ପରିବାର କାମ, ନିତ୍ୟକର୍ମ ଆଦି କରିବା ପରେ ଦିନରେ ବ୍ୟକ୍ତି ହାତରେ ଛଅ-ସାତ ଘଣ୍ଟାରୁ ଅଧିକ ସମୟ ନଥାଏ, ଯେଉଁ ସମୟକୁ ସେ ବୃତ୍ତି ପାଇଁ ଦିଏ। ଯଦି ସେହି ଅତି ମହାର୍ଘ ଅବଧିକୁ ସେ ସଂପନ୍ନ କଲାବେଳେ ଆନନ୍ଦ ନପାଏ, ତା’ପାଇଁ ତା’ର ରୁଚି ନଥାଏ, ଶିକ୍ଷକତା ଯେ ତା’ପାଇଁ କେତେ ଯନ୍ତ୍ରଣାଦାୟକ, ତାହା ଅନୁମାନ କରିହୁଏ।
ଏବେ ଦେଖାଯାଉଛି ଯେ ଖାସ କରି ଓଡ଼ିଶା ବାହାରୁ ‘ବିଏଡ୍‌’ ଶେଷକରି ଶିକ୍ଷକତା ପାଇଁ ଆସୁଥିବା ପିଲାଏ ପ୍ରାୟତଃ କେବଳ ଟଙ୍କା ଦେଇ ଡିଗ୍ରୀ ହାସଲ କରୁଛନ୍ତି। ‘ଇଣ୍ଟରଭ୍ୟୁ’ବେଳେ ଏହାର ପ୍ରମାଣ ମିଳେ ଯେତେବେଳେ ଜଣାପଡ଼େ ଯେ ଉକ୍ତ ପ୍ରାର୍ଥୀ ତାଙ୍କ ବିଏଡ୍‌ କଲେଜ ରହିଥିବା ସହର ସୁଦ୍ଧା ଦୁଇବର୍ଷର ଶିକ୍ଷାକ୍ରମରେ ଥରେ ଯାଇ ନାହାନ୍ତି, ଦେଖି ନାହାନ୍ତି। ଏଭଳି ଦୁଃସ୍ଥିତିକୁ ରୋକିବା ପାଇଁ ୧୯୯୦ ଦଶକରେ ଓଡ଼ିଶା ସରକାର ରାଜ୍ୟରେ ଘରୋଇ ବିଏଡ୍‌ କଲେଜଗୁଡ଼ିକୁ ଉଚ୍ଛେଦ କଲେ। ଆଜି ମଧ୍ୟ ଆମ ରାଜ୍ୟରେ କେବଳ ସରକାରୀ ବିଏଡ୍‌ କଲେଜ। ମାତ୍ର ତହିଁରେ ପ୍ରତିଶ୍ରେଣୀରେ ଛାତ୍ର ସଂଖ୍ୟା ଦେଢ଼ଶହ- ଦୁଇଶହରୁ ଊଣା ନୁହେଁ। ଶିକ୍ଷା ଆଇନ ପ୍ରତି ୩୦ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବା କଥା କହୁଥିବାବେଳେ ବିଏଡ୍‌ କଲେଜରେ ଦେଢ଼ଶହ-ଦୁଇଶହ ପ୍ରଶିକ୍ଷକଙ୍କ ପାଇଁ ଜଣେ ଅଧ୍ୟାପକ କେଉଁ ନ୍ୟାୟରେ ପାଠ ପଢ଼ାଇବେ, ତା’ ବି ଏକ ବିଚାର୍ଯ୍ୟ ପ୍ରଶ୍ନ। ଶ୍ରେଣୀଗୃହରେ ଏତେ ସଂଖ୍ୟକ ପିଲାଙ୍କ ବସିବା ପାଇଁ ଆବଶ୍ୟକ ଜାଗା ଅଛି ତ? ପଛ ବେଞ୍ଚରେ ବସିଥିବା ପ୍ରଶିକ୍ଷୁ ଅଧ୍ୟାପକଙ୍କ ‘ଲେକଚର୍‌’ ଶୁଣି ପାରେ ତ? ସବୁ ପିଲାଙ୍କ ଉପସ୍ଥାନ ନେଲା ପରେ ଅଧ୍ୟାପକଙ୍କ ‘ଲେକଚର୍‌’ ପାଇଁ ପିରିଅଡ଼ର କେତେ ସମୟ ବଳିଥାଏ? ଶିକ୍ଷକ ପ୍ରଶିକ୍ଷଣର ଏକ ବଡ଼ ଦିଗ ହେଲା, ପ୍ରଶିକ୍ଷୁର ‘ସ୍କିଲ’ କ୍ଲାସ। ଏହି କ୍ଲାସରେ ସେ ନିଜର ସହପାଠୀମାନଙ୍କୁ ସ୍କୁଲଛାତ୍ର ମନେକରି ପାଠ ପଢ଼ାଏ; ତା’ ପାଠପଢ଼ାର ପଦ୍ଧତିକୁ ପାଖରେ ବସିଥିବା ଅଧ୍ୟାପକ ଏବଂ ସାମନାରେ ବସିଥିବା ସହପାଠୀଗଣ ଅନୁଧ୍ୟାନ କରି ମତ ଦିଅନ୍ତି। ଏହା ଏକ ନିରନ୍ତର ପ୍ରକ୍ରିୟା ଭାବରେ ଶିକ୍ଷକ ପ୍ରଶିକ୍ଷକ କଲେଜରେ ପ୍ରାଧାନ୍ୟ ପାଇଥାଏ। ସମୟକ୍ରମେ ପ୍ରଶିକ୍ଷୁର ସେହି ତାଲିମରେ ଅଭିବୃଦ୍ଧି ହୁଏ, ଯାହା ପ୍ରଶିକ୍ଷୁକୁ ସ୍କୁଲର ବାସ୍ତବିକ ସ୍ଥିତିରେ ପାଠପଢ଼ା ଲାଗି ସମର୍ଥ କରାଏ। ଜାଣିଥିବା ପାଠକୁ ଅଭିବ୍ୟକ୍ତ କଲାବେଳେ ସେ ଇତସ୍ତତଃ ହୁଏନା। ଅନ୍ୟ ଶବ୍ଦରେ କହିଲେ, ସାଇକଲ ଚାଳନା ବା ମୋଟର ଚାଳନା ସାଙ୍ଗରେ ଶିକ୍ଷକ ପ୍ରଶିକ୍ଷଣକୁ ତୁଳନା କରାଯାଇପାରେ। ଯେଉଁ ବିଧିରେ ନାଟକର ରିହରସାଲ ହୁଏ, ସେହି ବିଧିରେ ପ୍ରଶିକ୍ଷଣବେଳେ ଜଣେ ଶିକ୍ଷିତ ଯୁବକ ବାରମ୍ବାର ପାଠପଢ଼ା ପ୍ରକ୍ରିୟାରେ ନିୟୋଜିତ ରହି ଶିକ୍ଷକତାର ତାଲିମ ପାଏ। ଉକ୍ତ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ସେ ଏକ ନିର୍ଦିଷ୍ଟ ଅବଧିପାଇଁ ସ୍କୁଲକୁ ଯାଇ ପାଠ ପଢ଼ାଏ। ଏସବୁ ଗତିବିଧି ଅଧ୍ୟାପକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂଘଟିତ ହେବା କଥା। ପ୍ରଶିକ୍ଷୁଙ୍କ ତୁଳନାରେ ଅଧ୍ୟାପକଙ୍କ ଅନୁପାତ ଉଣା ହେଲେ, ଏହି ପ୍ରଶିକ୍ଷଣ ପ୍ରକ୍ରିୟା ସଂପନ୍ନ ହୋଇପାରେନା। ଓଡ଼ିଶା ବାହାରେ ଯେତେସବୁ ଘରୋଇ ବିଏଡ୍‌ କଲେଜ ସେଠାକୁ ପ୍ରଶିକ୍ଷୁ ଯଦି ନଯାଇ ଡିଗ୍ରୀ ହାସଲ କରନ୍ତି, ତାଲିମର ବିଶ୍ବସନୀୟତା ରହିପାରେ କି? ଅନ୍ୟ ପକ୍ଷରେ ଆମ ଓଡ଼ିଶାରେ ସରକାରୀ ବିଏଡ୍‌ କଲେଜରେ ଅଧ୍ୟାପକଙ୍କ ପାଖରୁ ଏତେ ଅଧିକ ସଂଖ୍ୟକ ପ୍ରଶିକ୍ଷୁ ଆବଶ୍ୟକ ଦିଗଦର୍ଶନ ପାଇପାରିବ କି? ସରକାରୀ ହେଉ ବା ଘରୋଇ, ଯଦି ପ୍ରଶିକ୍ଷଣ କେନ୍ଦ୍ରର ପ୍ରଶିକ୍ଷୁଙ୍କ ମୋଟ ସଂଖା ବଢ଼େ, ଆବଶ୍ୟକ ସଂଖ୍ୟାରେ ଅଧ୍ୟାପକ ଯଦି ନିଯୁକ୍ତି ନ ପାଆନ୍ତି ପ୍ରଶିକ୍ଷୁର ପ୍ରଶିକ୍ଷଣ ଯେ କେବଳ ଏକ ଖାନାପୂର୍ତ୍ତି, ତାହା ସହଜରେ ବୁଝାପଡ଼େ।
କେବଳ ଓଡ଼ିଶା କାହିଁକି ସାରା ଦେଶରେ ‘ଇନ୍‌ ସର୍ଭିସ୍‌’ ଶିକ୍ଷକ ତାଲିମର ସ୍ଥିତି ଆହୁରି ଶୋଚନୀୟ। ତାଲିମର ମୋଟ ଅବଧି ଯଦି ତିନିଦିନ, ତହିଁରୁ ପ୍ରଥମ ଦିନର ଗୋଟାଏ ଓଳି, ‘ଉଦଘାଟନୀ’ରେ ଏବଂ ଅନ୍ତିମ ଦିନର ଉପରଓଳି ‘ଉଦଯାପନୀ’ରେ ଯାଏ। ମୁଖ୍ୟ ଅତିଥିଙ୍କ ଆଗମନ ପାଇଁ ଅପେକ୍ଷା; ଦୀପ ପ୍ରଜ୍ବଳନ, ଫୁଲ ତୋଡ଼ା ଦେଲାପରେ ଯେଉଁ ସମୟ ରହେ, ତହିଁରେ ମଧ୍ୟ ବିଷୟ ପ୍ରବେଶ ହୋଇପାରେନା। ସେହିଭଳି ‘ଉଦଯାପନୀ’ରେ ପ୍ରତିଭାଗୀ ଶିକ୍ଷକଙ୍କୁ ପ୍ରମାଣପତ୍ର ବଣ୍ଟନ, ଟିଏଡିଏ ଦେବାରେ ସମୟ ଯାଏ। ଏସବୁକୁ ବାଦ ଦେଲାପରେ ଯେଉଁ କିଛି ସମୟ ବଳେ ତହିଁରେ ବିଷୟ ବିଶାରଦ କେବଳ ଭାଷଣ ଦିଅନ୍ତି; ପ୍ରତିଭାଗୀଙ୍କ ଅନୁଭବ, ମତ, ବିମତର ଆଦାନପ୍ରଦାନ ଲାଗି ସମୟ ନଥାଏ। ପ୍ରତିଟି ଇନ୍‌-ସର୍ଭିସ ତାଲିମର ଉଦ୍ଦେଶ୍ୟ ହେବା କଥା, ଶିକ୍ଷକଙ୍କଠାରୁ ଶୁଣିବା ଏବଂ ସେହି ଆଧାରରେ ସମସ୍ୟାର ସମାଧାନ ଖୋଜିବା। ଭିନ୍ନମତ ପ୍ରଦାନ କରୁଥିବା ଶିକ୍ଷକଙ୍କୁ ସମ୍ମାନ ଦେବା। ପ୍ରାୟ କ୍ଷେତ୍ରରେ ଦେଖାଯାଏ ଯେ ଅନୁଭବୀ ଶିକ୍ଷକଙ୍କର ସମସ୍ୟା ସମ୍ପର୍କରେ ଏକ ସ୍ବକୀୟ ମତ ଥାଏ, ମାତ୍ର ତାହା କର୍ତ୍ତୃପକ୍ଷ କିମ୍ବା ବିଷୟ ବିଶାରଦଙ୍କ ମତ ସହ ମେଳ ଖାଉନଥିବାରୁ ଏବଂ ସ୍ବକୀୟ ମତ ପ୍ରଦାନ କଲେ ‘ଟାର୍ଗେଟ’ ହେବାର ଭୟ ଥିବାରୁ, ଶିକ୍ଷକ ଚୁପ ରହିବାକୁ ବାଧ୍ୟ ହୁଅନ୍ତି। ମୋଟାମୋଟି ଭାବେ, ଇନ୍‌-ସର୍ଭିସ ପ୍ରଶିକ୍ଷଣରୁ ମୋଟ ଅବଧି କିଣା-କିଣି ଓ ବୁଲାବୁଲିରେ ଯାଏ, ଯେଉଁଥିପାଇଁ ପ୍ରତିଭାଗୀ ଶିକ୍ଷକଙ୍କୁ ଆଦୌ ଦୋଷୀ କରାଯାଇ ନପାରେ।
ଏହି ପ୍ରସଙ୍ଗରେ ବିଦ୍ୟାଳୟ ପରିସରରେ ‘ଦଣ୍ଡ ମୁକ୍ତି’ ଓ ଅଷ୍ଟମ ଶ୍ରେଣୀଯାଏ ପିଲାଙ୍କୁ ଫେଲ ନକରିବାକୁ ସରକାରୀ ନିଷ୍ପତ୍ତି କଥା ବିଚାର କରାଯାଇପାରେ। ସାଧାରଣତଃ ଶିକ୍ଷକ ଏହି ଉଭୟ ନିଷ୍ପତ୍ତିକୁ ଆଜିର ଶିକ୍ଷାର ବଡ଼ ବାଧକ ମନେ କରନ୍ତି। ସେମାନଙ୍କ ଯୁକ୍ତି ହେଲା ଯେ ପିଲାର ଯଦି ଶିକ୍ଷକଙ୍କ ପ୍ରତି ଡର ନରହେ, ସେ ପାଠପଢ଼ା ପ୍ରତି ଆଗ୍ରହୀ ହେବ କେମିତି! ଉଭୟ ଶିକ୍ଷକଙ୍କ ପାଖରୁ ଦଣ୍ଡ ଓ ପରୀକ୍ଷାରେ ଫେଲ ହେବାର ଆଶଙ୍କା ଯୋଗୁଁ ଭୟ ପାଇ ପିଲା ପାଠରେ ମନ ଦିଏ। ଶିକ୍ଷକର ଏଭଳି ଧାରଣା ପଛରେ ତା’ର ନିଜର ଅନୁଭବ ରହିଥାଏ, କାରଣ ସେ ନିଜେ ଏହି ବିଧିରେ ପାଠ ପଢ଼ୁଥିଲା। ମାତ୍ର ଏବେ ଏହାକୁ ଉଚ୍ଛେଦ କରିବା ପଛରେ ବଳିଷ୍ଠ ଯୁକ୍ତି ହେଲା ଯେ ଭୟ ସର୍ବଦା ପାଠର ପରିପନ୍ଥୀ; ବିଷୟ ପ୍ରତି ଆଗ୍ରହ ସୃଷ୍ଟି ହେଲେ ପିଲା ପାଠରେ ମନଯୋଗ ଦେବ। ଯେଉଁ ଶିକ୍ଷକ ବିଷୟ ଜାଣନ୍ତି ଏବଂ ତାକୁ ପ୍ରଦାନ କରିବାର ବିଧି ଜାଣନ୍ତି, ସେ କଦାପି ମାଡ଼କୁ ଆୟୁଧ କରି ନ ପାରନ୍ତି। ସେହିଭଳି ଦୀର୍ଘ ବର୍ଷେ ଧରି ପାଠ ଓ ବିଦ୍ୟାଳୟର ପ୍ରକ୍ରିୟାରେ ଓତପ୍ରୋତ ହେଉଥିବା ପିଲା ପରୀକ୍ଷାରେ ୩୦ ପ୍ରତିଶତରୁ ଊଣା ମାର୍କ ରଖି ଫେଲ ହେବ କେମିତି, ପରୀକ୍ଷାବେଳେ ପ୍ରଶ୍ନଟିର ଉତ୍ତର ଦେବା ଲାଗି କପି ବା ବହି ସାହାଯ୍ୟ ଲୋଡ଼ିବ କାହିଁକି? ଯଦି ପାଠପଢ଼ା ହୋଇନଥାଏ କିମ୍ବା ବିଦ୍ୟାଳୟ ଓ ଶ୍ରେଣୀ ପରିସରରେ ସେ ସର୍ବଦା ଭୟାତୁର ରହିଥାଏ, କେବଳ ମାଡ଼ ଭୟରେ ପାଠକୁ ଘୋଷି ଦେଇଥାଏ, କେବଳ ସେହି ପିଲା ପରୀକ୍ଷାକୁ ଡରିବ, ଅଧିକ ମାର୍କ ଲାଗି ଅସାଧୁ ଉପାୟ ଅବଲମ୍ବନ କରିବାକୁ ଚାହିଁବ। ତେଣୁ ଜଣେ ମା’ ପରି ଶିକ୍ଷକ ଯଦି ପିଲାକୁ ତ୍ୟଜ୍ୟ ନକରି ଧୈର୍ଯ୍ୟ ସହକାରେ ପାଠ ବୁଝାନ୍ତି, ପାଠ ପଢ଼ାବେଳେ ନିଜେ ମଧ୍ୟ ପିଲାଠାରୁ ଜ୍ଞାନ ଆହରଣ କରିବାର ମାନସିକତା ରଖନ୍ତି, ପିଲା ସହିତ ନିଜେ ମଧ୍ୟ ପାଠ ପ୍ରକ୍ରିୟାରେ ଓତପ୍ରୋତ ରହନ୍ତି, ନିଜକୁ ‘ସବ୍‌ଜାନତା’ ମନେ ନକରି ସର୍ବଦା ବିନମ୍ରତା ରଖନ୍ତି, ପିଲାର ଶିକ୍ଷକଙ୍କ ପ୍ରତି ଓ ପାଠ ପ୍ରତି ଆକୃଷ୍ଟ ହେବାର ସମ୍ଭାବନା ରହେ। ଆମେ ସର୍ବଦା ଲକ୍ଷ୍ୟ କରିଥାଉ ଯେ ପିଲାର କୌଣସି ନିର୍ଦିଷ୍ଟ ବିଷୟରେ ଆଗ୍ରହ ବଢ଼ିବା ପଛରେ ଏକ ମୁଖ୍ୟକାରଣ ହୁଏ, ଉକ୍ତ ବିଷୟର ଶିକ୍ଷକଙ୍କୁ ତା’ର ଆଦର୍ଶ ମନେ କରିବା। ଏସବୁ ଦିଗ ପ୍ରତି ଶିକ୍ଷକ ପ୍ରଶିକ୍ଷଣବେଳେ ଯଥେଷ୍ଟ ମହତ୍ତ୍ବ ଦିଆଯାଇଥାଏ। ତେଣୁ, ଶିକ୍ଷକ ପ୍ରଶିକ୍ଷଣର ପ୍ରକ୍ରିୟାକୁ ‘କାମଚଳା’, କେବଳ ଔପଚାରିକତାରେ ପରିଣତ କରିଦେବା ଅର୍ଥ ଶିକ୍ଷାର ନିଅଁକୁ କାମଚଳା ଓ ଦୁର୍ବଳ କରିଦେବା। ତେଣିକି ଶିକ୍ଷା ସମାଜ ନିମନ୍ତେ ‘ସମାଧାନ’ ନ ହୋଇ ଯେ ‘ସମସ୍ୟା’ ହେବ ଏହା କହିବା ବାହୁଲ୍ୟ।
ଏହା ସର୍ବବିଦିତ ଯେ ସମୟକ୍ରମେ ଯେତେ ଯାହା ନୂଆ ପ୍ରଯୁକ୍ତି ଆସିଲେ ବି ଶିକ୍ଷକ ହେଲା ଶିକ୍ଷାର ମେରୁଦଣ୍ଡ। ତା’ର ପ୍ରଶିକ୍ଷଣକୁ ଊଣା କରି କିମ୍ବା ତାଲିମକୁ କେବଳ ଔପଚାରିକତାରେ ସୀମିତ କରିଦେଲେ, ଶିକ୍ଷକର ନିର୍ମାଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବନାହିଁ। ପୁଣି, ତାକୁ ଶିକ୍ଷକତା କାର୍ଯ୍ୟରୁ ତିରୋହିତ କରି ଅନ୍ୟାନ୍ୟ ଯାବତୀୟ କାମରେ ଲଗାଇଲେ ତା’ର ବିହିତ ଉପଯୋଗ ହୋଇପାରିବ ନାହିଁ। ଛାତ୍ରଭଳି ସେ ମଧ୍ୟ ନିଜର ହୋଇ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ଆଗରେ ନିଜର ଭିନ୍ନମତ ରଖିବା ଲାଗି ଅବସର ପାଇବା କଥା। କେବଳ ଭିନ୍ନମତକୁ ଦବେଇ ଦେଲେ ତାହା ‘ସହମତ’ରେ ରୂପାନ୍ତରିତ ହେବ ନାହିଁ। ଏତିକି ହେଲେ ଛାତ୍ର ସମାଜ ଓ ବାକି ସମାଜ ଯେ ଶିକ୍ଷା ଓ ଶିକ୍ଷକଙ୍କଠାରୁ ଲାଭାନ୍ବିତ ହେବାର ସମ୍ଭାବନା ରହିବ, ଏଥିରେ ଦ୍ବିରୁକ୍ତି ନାହିଁ।
pritishacharya63@gmail.com

Leave A Reply