ଅଜେୟଯୋଦ୍ଧା

0

ମାତାଙ୍କ ନାମ ଥିଲା ରେଣୁକା। ପିତା ଥିଲେ ମହର୍ଷି ଯମଦଗ୍ନି। ଉପରେ ଚାରିଭାଇ ଥିଲେ। ବାଲ୍ୟାବସ୍ଥାରେ ବେଶ ଚପଳ ଥିଲା ଶିଶୁଟି। ୧୦ବର୍ଷ ହେଲାବେଳକୁ ବିଦ୍ୟା, ବୁଦ୍ଧି, ବିବେକ ଓ ବଳରେ ଚାରିଭାଇଙ୍କୁ ଟପି ଯାଇଥିଲା। ହେଲେ ଚପଳ ସ୍ବଭାବ ସରି ନଥିଲା। ଦିନେ ମା’ ମହର୍ଷି ଯମଦଗ୍ନିଙ୍କୁ ହସିହସି କହିଥିଲେ- ‘ଏବେ ଏହାର ଗୁରୁ ଯୋଗାଡ଼ କରିବାକୁ ପଡ଼ିବ।’
‘ମୁଁ କାହିଁକି ବା ତା’ର ଗୁରୁ ହେବିନାହିଁ ’ ଯମଦଗ୍ନି କହିଥିଲେ।
ବାଳକ ରାମ କିନ୍ତୁ କିଛି ବୁଝି ପାରି ନଥିଲେ। ମା’ ବୁଝାଇ ଦେଇଥିଲେ ଏଥିରେ ରାଜି ହୋଇ ହଁ କରିଦିଅ। ତୁମର ପିତା ଜଣେ ମହର୍ଷି, ସେ ନିଜ ତେଜ ତୁମକୁ ଦେବାକୁ ଚାହାନ୍ତି।
କୌତୂହଳୀ ହୋଇ ରାମ ପ୍ରଶ୍ନ କରିଥିଲେ- ‘ପିତା ତ ଜଣେ ମହର୍ଷି। ସେ ମୋତେ ଶସ୍ତ୍ର ବିଦ୍ୟା କିପରି ବା ଶିଖାଇବେ ? ସେ ଶସ୍ତ୍ର ବିଦ୍ୟା ଶିଖିଲେ କେଉଁଠାରୁ ?’
ମା’ ବୁଝାଇ ଦେଇଥିଲେ, ତୋର ପିତାଙ୍କ ମାତା ରାଜକୁଳର ଥିଲେ। ସେ ବାଲ୍ୟ, କୈଶୋର, ଆଦ୍ୟ ଯୌବନ ମାମୁ ବିଶ୍ବାମିତ୍ରଙ୍କ ନିକଟରେ କଟାଇଥିଲେ। ଦୁହେଁ ଏକସଙ୍ଗରେ ଋଷି ଓ ରାଜାର କର୍ତ୍ତବ୍ୟ ଶିକ୍ଷାଲାଭ କରିଥିଲେ। ଏହି ଶିକ୍ଷା ବଳରେ ବିଶ୍ବାମିତ୍ର ବ୍ରହ୍ମର୍ଷି ହୋଇଗଲେ। ତୁମର ପିତା ମହର୍ଷି ହୋଇ ରହିଗଲେ। ମହର୍ଷି ହେଲେ ବି ତୁମର ପିତା ଅସ୍ତ୍ରବିଦ୍ୟାରେ ନିପୁଣ।
ରାମ ଉତ୍‌ଫୁଲ୍ଲିତ ହୋଇଉଠିଥିଲେ, କାରଣ ଜଣେ ଯୋଦ୍ଧା ହେବାର ସ୍ବପ୍ନ ଥିଲା ତାଙ୍କର। ପିତାଙ୍କଠାରୁ ଶସ୍ତ୍ର ବିଦ୍ୟା ଶିକ୍ଷା କଲେ। ନିଷ୍ଠା, ଅଧ୍ୟାବସାୟ ଯୋଗୁ ଖୁବ୍‌ ଶୀଘ୍ର ସେ ଶସ୍ତ୍ର ବିଦ୍ୟା ନିପୁଣ ହୋଇଗଲେ। ଏବେ ଯମଦଗ୍ନି ଦ୍ବିଧାରେ ପଡ଼ିଗଲେ। ଆଉ କି ବିଦ୍ୟା ବା ଶିକ୍ଷାଦେବେ ? ରାମଙ୍କର ସେତେବେଳକୁ ମାତ୍ର ୧୫ବର୍ଷ ବୟସ। ବେଦ ବିଦ୍ୟା ଆୟତ୍ତ କରିସାରିଥାନ୍ତି।
ବେଶ୍‌ କିଛିଦିନ ଅତିବାହିତ ହୋଇଗଲା। ଦିନେ ରାମ ପ୍ରଶ୍ନ କରିଥିଲେ, ‘ପିତା ! ସତରେ କ’ଣ ମୋର ଶସ୍ତ୍ରବିଦ୍ୟା ଶିକ୍ଷା ସମ୍ପୂର୍ଣ୍ଣ ହୋଇଗଲା, ଆଉ କିଛି ଶିଖିବା ଲାଗି କ’ଣ ମୋର ବାକି ନାହିଁ ?’
ମହର୍ଷି କିଛିକ୍ଷଣ ଚିନ୍ତା କରି କହିଲେ- ‘ଯଦି କିଛି ଅଧିକ ଶିଖିବାକୁ ଚାହୁଁଛ ତେବେ ହିମାଳୟ ଯାଇପାର। ଭଗବାନ ଶଙ୍କର ଅନେକ ଶସ୍ତ୍ର ବିଦ୍ୟା ଜାଣିଛନ୍ତି। ତପସ୍ୟା ବଳରେ ତାଙ୍କୁ ପ୍ରସନ୍ନ କରିପାରିଲେ, ତାଙ୍କ କୃପା ହେଲେ ତୁମେ ଅଜେୟ ଯୋଦ୍ଧା ହୋଇପାରିବ।’
ରାମ ହିମାଳୟ ଯାତ୍ରା କରି ଗନ୍ଧମାର୍ଦ୍ଦନ ପର୍ବତରେ ପହଞ୍ଚିଲେ। ସେଠାରେ କଠୋର ତପସାଧନା କରି ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିଥିଲେ। ଭଗବାନ ଶଙ୍କର ବର ଯାଚଜ୍ଞା କରିଥିଲେ।
ରାମ ପ୍ରାର୍ଥନା କରି କହିଥିଲେ- ‘ମୋତେ ଅଜେୟ ଯୋଦ୍ଧା ହେବାର ଆଶିଷ ଦିଅନ୍ତୁ। ତାହା ହିଁ ମୋର ଏକମାତ୍ର କାମ୍ୟ। ମୋତେ ଶସ୍ତ୍ର ଜ୍ଞାନ ଦିଅନ୍ତୁ।’
ଭଗବାନ ଶଙ୍କର ‘ତଥାସ୍ତୁ’ କହିଥିଲେ। ଶୀଘ୍ର ରାମ ଶସ୍ତ୍ରବିଦ୍ୟା ବିଶାରଦ ହୋଇଯାଇଥିଲେ। ବିଦ୍ୟା ସମ୍ପୂର୍ଣ୍ଣ ହେଲା ପରେ ଭଗବାନ ଶଙ୍କର ଏକ ଭୟଙ୍କର ଏବଂ ଓଜନଦାର ପରଶୁ ପ୍ରଦାନ କରି କହିଥିଲେ- ଏହି ପରଶୁ ହିଁ ତୁମକୁ ଅଜେୟ ଯୋଦ୍ଧା କରିଦେବ।
ସେହି ପରଶୁକୁ ରାମ ସର୍ବଦା ପାଖେପାଖେ ରଖୁଥିଲେ। ତାଙ୍କର ଖ୍ୟାତି ସର୍ବତ୍ର ବ୍ୟାପିଯାଇଥିଲା। ଧୀରେଧୀରେ ତାଙ୍କର ନାମ ରାମରୁ ପରିବର୍ତ୍ତିତ ହୋଇଗଲା ପରଶୁରାମ।

kalyan agarbati
Leave A Reply