୨୦୧୮ ବର୍ଷ ପାଇଁ ୟୋହି ସାସାକାୱାଙ୍କୁ ଗାନ୍ଧୀ ଶାନ୍ତି ପୁରସ୍କାର
ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ସଦଭାବନା ଦୂତ ୟୋହି ସାସାକାୱା ୨୦୧୮ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଭାରତ ସମେତ ବିଶ୍ୱର ବିଭିନ୍ନ କୋଣରେ କୁଷ୍ଠ ରୋଗ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ଏହାସହ ୨୦୧୫, ୨୦୧୬ ଓ ୨୦୧୭ ବର୍ଷ ପାଇଁ ମଧ୍ୟ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ବିଭାଗୀୟ ଇସ୍ତାହାର ଅନୁସାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କୁ ଶିକ୍ଷା ଯୋଗାଇବା ସହ ସାମାଜିକ ଏବଂ ଲିଙ୍ଗଗତା ବୈଷମତା ଦୂର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୭ ବର୍ଷର ଗାନ୍ଧୀ ଶାନ୍ତି ପୁରସ୍କାର ନିମନ୍ତେ ଏକାଳ ଅଭିଯାନ ଟ୍ରଷ୍ଟକୁ ମନୋନୀତ କରାଯାଇଛି। ସେହିପରି ନିୟୁତାଧିକ ଛାତ୍ରଛାତ୍ରୀଙ୍କୁ ସୁଲଭ ମୂଲ୍ୟରେ ମଧ୍ୟାହ୍ନଭୋଜାନ ଯୋଗାଇ ଆସୁଥିବା ଅକ୍ଷୟ ପାତ୍ର ପାଉଣ୍ଡେସନ୍କୁ ୨୦୧୬ ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଓ ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିବେକାନନ୍ଦ କେନ୍ଦ୍ରକୁ ୨୦୧୫ ବର୍ଷର ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଚାରକ ମଣ୍ଡଳୀ ଗାନ୍ଧୀ ଶାନ୍ତି ପୁରସ୍କାର ବିଜେତାଙ୍କୁ ଚୟନ କରିଛି ।