www.samajalive.in
Monday, December 15, 2025
27.1 C
Bhubaneswar

ଶୁଖିଲାଣି ୭୨% ଭୂତଳ ଜଳ, ୧୯ ରାଜ୍ୟରେ ଜଳାଭାବ

ଦୁଇ ମୁଖ୍ୟମନ୍ତ୍ରୀ ଚାହିଁଲେ ଦୁଇ ଘଣ୍ଟାରେ ମହାନଦୀ ବିବାଦର ସମାଧାନ
ଜଳ ସଙ୍କଟ ବଢ଼ାଇବ ଅର୍ଥନୈତିକ ଓ ସ୍ଥାନାନ୍ତର ସମସ୍ୟା
‘ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ‘ସମାଜ’ ତୁଲାଉଛି ଉତ୍ତରଦାୟିତ୍ବ’

ପୁରୀ : ଦେଶର ୭୨ପ୍ରତିଶତ ଭୂତଳ ଜଳ ଶୁଖି ଗଲାଣି। ୧୯ଟି ରାଜ୍ୟରେ ଜଳସମସ୍ୟା ଦେଖା ଦେଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବଜଗତ ପ୍ରଭାବିତ ହୋଇଛି। ଜଳ ସଙ୍କଟ ଅର୍ଥନୈତିକ ଓ ସ୍ଥାନାନ୍ତର ସମସ୍ୟା ସୃଷ୍ଟି କରିବ। ଜଳ ସଂରକ୍ଷଣ, ସଦୁପଯୋଗ ଏବଂ ପରିଚାଳନା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚାହିଁଲେ ୨ଘଣ୍ଟାରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଏବଂ ପିଡବ୍ଲ୍ୟୁସିଡିଏଫ୍‌ ପକ୍ଷରୁ ପୁରୀ ସଂସ୍କୃତି ଭବନରେ ସୋମବାରଠାରୁ ଆୟୋଜିତ ଦୁଇ ଦିନିଆ ଜଳ ସମ୍ମିଳନୀ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ବିଶିଷ୍ଟ ପରିବେଶବିତ୍‌ ତଥା ଜଳପୁରୁଷ ଡ. ରାଜେନ୍ଦ୍ର ସିଂହ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ପରିବେଶବିତ୍‌ ଡ. ସିଂହ କହିଲେ ମହାନଦୀକୁ ନେଇ ଦୁଇ ରାଜ୍ୟ ରାଜନୀତି କରୁଛନ୍ତି। ନ୍ୟାୟାଧିକରଣ (ଟ୍ରାଇବୁନାଲ) ଗଠନ ଦ୍ୱାରା ବିବାଦର ସମାଧାନ ହୋଇପାରିବ ନାହିଁ, ବରଂ କାବେରୀ ଜଳ ବିବାଦ ପରି ଅଧିକ ଜଟିଳ ହେବ। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ମହାନଦୀ ବିବାଦର ସମାଧାନ ହୋଇପାରୁନାହିଁ। ଓଡ଼ିଶାର ଅନ୍ୟ ନଦୀଗୁଡ଼ିକ ମଧ୍ୟ ଶୁଖି ଗଲାଣି। ବେସରକାରୀ ଏବଂ ଗୋଷ୍ଠୀଗତ ଉଦ୍ୟମରେ ଜଳଉତ୍ସଗୁଡ଼ିକର ପୁନରୁଦ୍ଧାର କରାଯାଇ ପାରିବ। ଜଳ ସମସ୍ୟା ଦେଖା ଦେଇଥିବା ଦେଶର ଲୋକମାନେ ଅନ୍ୟ ଦେଶକୁ ଚାଲି ଯାଉଛନ୍ତି। ଭାରତରେ ଏପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖାଦେଇ ନାହିଁ। ଦେଶରେ ଜଳ ସାକ୍ଷରତା ଅଭିଯାନର ଆବଶ୍ୟକତା ରହିଛି। ଜନସାଧାରଣ ନଦୀ ସୁରକ୍ଷା ଅଭିଯାନର ନେତୃତ୍ୱ ନେବାକୁ ସେ ଆହ୍ୱାନ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ପୁରୀ ଭୂତଳ ମଧୁର ଜଳ ଅଞ୍ଚଳର ସୁରକ୍ଷା ପାଇଁ ଜାତୀୟ ସବୁଜ ପ୍ରାଧିକରଣ (ଗ୍ରୀନ ଟ୍ରାଇବୁନାଲ) ଦେଇଥିବା ନିର୍ଦେଶ କାର୍ଯ୍ୟକାରୀ କରାଯିବ। ଭୂତଳ ଜଳ ସମସ୍ୟା ଦୂର ପାଇଁ କୋଠା ନିର୍ମାଣ ସମୟରେ ବର୍ଷାଜଳ ଅମଳ ପ୍ରକଳ୍ପ କରିବା ବାଧ୍ୟତାମୂଳକ କରାଯିବ। ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୌରସଂସ୍ଥାକୁ ଏଥିପାଇଁ ନିର୍ଦେଶ ଦିଆଯାଇଛି। ମଧୁରଜଳ ଭଣ୍ଡାରର ସୁରକ୍ଷା ପାଇଁ ଖୁବ୍‌ଶୀଘ୍ର ଏକ ବୈଷୟିକ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି।
ଲୋକ ସେବକ ମଣ୍ଡଳ ଉପସଭାପତି ଦୀପକ ମାଲବ୍ୟ କହିଲେ ଓଡ଼ିଶାବାସୀଙ୍କ ସ୍ୱାର୍ଥପାଇଁ ‘ସମାଜ’ ତା’ର ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ କରୁଛି। ନଦୀ ସୁରକ୍ଷା ଏବଂ ଜଳ ସଂରକ୍ଷଣ ପାଇଁ ଓଡ଼ିଶାର ପ୍ରତ୍ୟେକ ଅଭିଯାନକୁ ‘ସମାଜ’ ଉତ୍ସାହିତ କରିବ ବୋଲି ସେ କହିଛନ୍ତି । ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ସମ୍ପାଦକ ନିରଞ୍ଜନ ରଥ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ। ଲୋକସେବକ ମଣ୍ଡଳ ଆଜୀବନ ସଭ୍ୟ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଓ ରାଜେନ୍ଦ୍ର କୁମାର ଜେନା, ଡ. ଇନ୍ଦିରା ଖୁରାନା, ପରିବେଶବିତ୍‌ ଗୁରୁସ୍ୱାମୀ, ‘ସମାଜ’ର ମୁଖ୍ୟ ପରିଚାଳକ ଶିବରାମ ମିଶ୍ର ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଅପରାହ୍ଣ ଅଧିବେଶନରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସଭାପତି ସୁଦର୍ଶନ ଦାସ ଅଧ୍ୟକ୍ଷତା କରିଥିଲେ। ପ୍ରାଚୀ ପ୍ରଜ୍ଞା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର, ଜଳସମ୍ପଦ ବିଭାଗ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଡ. ଅକ୍ଷୟ କୁମାର ଦାସ, ପରାମର୍ଶଦାତା ବିନୋଦ ବୋଧନକର, ଡ. ଶୁଭ୍ରାଂଶୁ ଭୂଷଣ ରାୟ, ସମାଜସେବୀ ବ୍ରତିନ୍ଦୀ ଜେନା, ମହାରାଷ୍ଟ୍ର ଜଳ ବିରାଦାରୀ ସଭାପତି ନରେନ୍ଦ୍ର ଚୁଙ୍ଗ, ମହାନଦୀ ବଞ୍ଚାଅ ଆନ୍ଦୋଳନର ବିଜୟ କୁମାର ପ୍ରଧାନ, ପାଣି ସଙ୍ଗଠନର ବିଷ୍ଣୁପ୍ରିୟା ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଓଡ଼ିଆ ଅଧ୍ୟାପକ ତଥା ନୃତ୍ୟଶିଳ୍ପୀ ଡ. ଚିତ୍ତରଞ୍ଜନ ସାହାଣୀ, ନୃତ୍ୟଶିଳ୍ପୀ ସଙ୍ଗୀତା ସାହୁ ଏବଂ ଅନ୍ୱେଷା ଦାସ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟରେ ପାଣିର ୪ଟି ଉତ୍ସ- ବର୍ଷା, ଝରଣା, ନଦୀ ଓ ସମୁଦ୍ରକୁ ଚମତ୍କାର ଢଙ୍ଗରେ ଶିଳ୍ପୀମାନେ ପରିବେଷଣ କରିଥିଲେ।
ବିଭିନ୍ନ ରାଜ୍ୟରୁ ଶତାଧିକ ପ୍ରତିନିଧି ସମ୍ମିଳନୀରେ ଯୋଗ ଦେଇଛନ୍ତି। ମଙ୍ଗଳବାର ସମ୍ମିଳନୀ ଉଦ୍‌ଯାପନ ହେବା କାର୍ଯ୍ୟକ୍ରମ ରହିଛି।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories