ଦେଶର ଅର୍ଥମନ୍ତ୍ରୀ କିଏ ?
ନୂଆଦିଲ୍ଲୀ : ଅରୁଣ ଜେଟଲି କିମ୍ବା ପୀୟୂଷ ଗୋଏଲ- କିଏ ଦେଶର ଅର୍ଥମନ୍ତ୍ରୀ? ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ସ୍ପଷ୍ଟ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛି କଂଗ୍ରେସ। ସରକାରଙ୍କର ଦୁଇଟି ଭିନ୍ନ ଭିନ୍ନ ୱେବ୍ସାଇଟ୍ରେ ଦୁଇ ଜଣଙ୍କ ନାମ ଅର୍ଥମନ୍ତ୍ରୀ ଭାବରେ ସ୍ଥାନ ପାଇଥିବାରୁ ଏଭଳି ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବ୍ସାଇଟ୍ରେ ଜେଟ୍ଲିଙ୍କୁ ‘ବିଭାଗ ବିହୀନ ମନ୍ତ୍ରୀ’ ଭାବେ ଦର୍ଶାଯାଇଥିବାବେଳେ ଗୋଏଲ ଏହି ବିଭାଗର ଦାୟିତ୍ୱରେ ଥିବା ଉଲ୍ଲେଖ କରାଯାଇଛି। ଜେଟ୍ଲିଙ୍କ ହାତରେ ପୂର୍ବରୁ ରହିଥିବା ସମସ୍ତ ବିଭାଗ ଗୋଏଲଙ୍କ ଦାୟିତ୍ୱରେ ରହିଥିବା ଏଥିରେ ଉଲ୍ଲେଖ ରହିଛି। ଗତ ମାସରେ ଜେଟ୍ଲି କିଡ୍ନୀ ପ୍ରତିରୋପଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କ ସ୍ଥାନରେ ଗୋଏଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଗୋଏଲ ରେଳ ସହିତ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ପରିବର୍ତ୍ତନ କରାଯାଇ ନାହିଁ।
ଅପରପକ୍ଷରେ ଅର୍ଥ ମନ୍ତ୍ରଣାଳୟ ୱେବ୍ସାଇଟ୍ ଅଦ୍ୟାବଧି ଜେଟ୍ଲିଙ୍କୁ ଏହି ବିଭାଗର ମନ୍ତ୍ରୀ ଭାବେ ଦର୍ଶାଇଛି। ଗୋଏଲ ଦାୟିତ୍ୱ ନେବା ପରେ ଏଥିରେ ସଂଶୋଧନ କରାଯାଇ ନାହିଁ। କେବଳ ସେତିକି ନୁହେଁ; ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଡାକ୍ତରଖାନାରୁ ଫେରିବା ପରଠାରୁ ପ୍ରାୟ ସପ୍ତାହେ ହେଲା ଜେଟ୍ଲି ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ରହୁଛନ୍ତି। ଏମିତିକି ସୋମବାର ସେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ କରିଛନ୍ତି। ଅନ୍ୟ ବିଭାଗର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିବା ଏହି ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ ଓ ଏୟାର ଇଣ୍ଡିଆର ଭବିଷ୍ୟତ ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ପଦ ନେଇ କଂଗ୍ରେସ ମୁଖପାତ୍ର ମନୀଷ ତିୱାରୀ ସୋମବାର ପ୍ରଶ୍ନ ଉଠାଇଛନ୍ତି। ବାସ୍ତବରେ କିଏ ଦେଶର ଅର୍ଥମନ୍ତ୍ରୀ ଓ କେଉଁ ୱେବ୍ସାଇଟ୍ ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ସ୍ପଷ୍ଟ କରିବା ଉଚିତ ବୋଲି ସେ ଦାବି କରିଛନ୍ତି।