www.samajalive.in
Saturday, December 6, 2025
23.1 C
Bhubaneswar

ଲଘୁଚାପ କ୍ଷେତ୍ର ସୃଷ୍ଟି : ଆଜି ୨୨ ଜିଲାକୁ ବର୍ଷା

ଭୁବନେଶ୍ୱର : ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରବିବାର ସକାଳେ ସେହି ଅଞ୍ଚଳ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତା ୨-୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଆଡ଼େ ମୁହାଁଇବ। ଲଘୁଚାପ ପ୍ରଭାବରେ ଆଜି ୨୨ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ରବିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲାକୁ ଅତିପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି ହୋଇଛି। ଅନ୍ୟପକ୍ଷରେ ରାଜ୍ୟରେ ଏବେ ବନ୍ୟାସ୍ଥିତି ନାହିଁ। ବାଲେଶ୍ବରରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି, କିନ୍ତୁ ତଳମୁଣ୍ଡରେ ବନ୍ୟା ନାହିଁ। ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଏବେ ହୀରାକୁଦର ୧୨ଟି ଫାଟକ ଖୋଲାଯାଇଛି। ଏଥିରେ ପ୍ରାୟ ୨ଲକ୍ଷ କ୍ୟୁସେକ ଜଳ ଛଡାଯିବ। ହୀରାକୁଦରେ ବର୍ତ୍ତମାନ ୬୦୯ ଫୁଟ୍ ପାଣି ରହିଛି, ଏଣୁ ଛତିଶଗଡ଼ରୁ ବନ୍ୟା ଜଳ ଆସିଲେ କୌଣସି ସମସ୍ୟା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ରେଙ୍ଗାଳିର ଡ୍ୟାମର ଆଉ ଏକ ଫାଟକ ଖୋଲିଥିଲେ ସୁଦ୍ଧା ବ୍ରାହ୍ମଣୀରେ ବନ୍ୟା ସ୍ଥିତି ନଥିବା ସେ କହିଛନ୍ତି।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ଅନୁଯାୟୀ, ଲଘୁଚାପ ପ୍ରଭାବରେ ରବିବାରଠାରୁ ୧୩ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ରାଜ୍ୟର କେତେକ ଜିଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୭ ତାରିଖରେ କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଏବଂ ନୂଆପଡ଼ା ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବିଜୁଳି ଘଡ଼ଘଡ଼ି ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ଏହିସମୟରେ ପବନର ବେଗ ୩୦-୪୦ କିମି ରହିବ। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କଟକ ଓ ଢେଙ୍କାନାଳ ଜିଲାକୁ ୟେଲୋ ୱାର୍ଣ୍ଣିଂ ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ମୟୂରଭଞ୍ଜ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି।
ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ଦେଓଗାଓଁରେ ୩୧ ସେମି, ବାମରାରେ ୨୯, ଲଇକେରାରେ ୨୭, କିରିମେରାରେ ୨୫, କୋଲାବିରାରେ ୨୩, କୁଚିଣ୍ଡାରେ ୨୨, ସୁନ୍ଦରଗଡ଼ରେ ୨୧, ଝାରସୁଗୁଡ଼ାରେ ୨୧, ବାଂଶପାଳରେ ୧୮, ହେମଗିରିରେ ୧୮, ଟାଙ୍ଗରାପାଲିରେ ୧୩, ଲଖନପୁରରେ ୧୨, ତେଲକୋଇରେ ୧୧, ଟେନ୍‌ସାରେ ୧୦, ଗୁରୁଣ୍ଡିଆରେ ୧୦ ସେମି ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବାବେଳେ କଚ୍ଚା ଘର ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories