୧୮ରେ ଲଘୁଚାପ
ଭୁବନେଶ୍ବର : ଉତ୍ତର-ପୂର୍ବ ତତ୍-ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ଜିଲାର କିଛି ଅଞ୍ଚଳରେ ୧୭ ଏବଂ ୧୮ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏପରିକି ୭ରୁ ୨୦ ସେଣ୍ଟିମିଟର ବର୍ଷା ସମ୍ଭାବନା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଚଳିତ ମାସ ପ୍ରଥମରୁ ଗଭୀର ଅବପାତ ଯୋଗୁଁ ଦୁଇଦିନ ଧରି ଲଗାଣ ବର୍ଷା ହୋଇଥିଲା। ପରେ ବର୍ଷା ଉଭାନ ହୋଇଯାଇଥିଲା। ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା ଦ୍ବାରା ଗୁଳୁଗୁଳି କମିବା ସହ ଚାଷ କାର୍ଯ୍ୟ ଆଗେଇ ପାରିବ ବୋଲି କୁହାଯାଉଛି। ବୁଧବାର ବାଲେଶ୍ବର, ଚାନ୍ଦବାଲି, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ବଲାଙ୍ଗୀର, ମାଲକାନଗିରି, ଭଦ୍ରକ, ବରଗଡ଼, ଦେବଗଡ, ନବରଙ୍ଗପୁର ଏବଂ ରାଉରକେଲାରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ ଏବଂ ସମ୍ବଲପୁରର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ, ବରଗଡ, ବୌଦ୍ଧ, ସୁବର୍ଣ୍ଣପୁର, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲାର ଜିଲାପାଳମାନେ ସତର୍କ ରହିବାକୁ ରାଜ୍ୟ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୦ଦିନ ମଧ୍ୟରେ ୨ ପର୍ଯ୍ୟାୟରେ ବର୍ଷା ହୋଇପାରେ। ୧୭ ରୁ ୧୯ ଲଘୁଚାପ ଜନିତ ବର୍ଷା ହେବାକୁ ଥିବାବେଳେ ୨୨ରୁ ୨୫ ମଧ୍ୟରେ ମୌସୁମୀ ଟ୍ରଫ କିମ୍ବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଉପରେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା ହୋଇପାରେ।
Comments are closed.