ଲୋକସଭା ନିର୍ବାଚନ ପୂର୍ବରୁ ୧୪ ଲକ୍ଷ ଭିଭିପ୍ୟାଟ୍‌ ନିର୍ମାଣ ନିର୍ଦେଶ

0

ନୂଆଦିଲ୍ଲୀ : ୨୦୧୯ ଲୋକସଭା ଏବଂ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଏକକାଳୀନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରଗୁଡିକରେ ଭିଭିପ୍ୟାଟ୍‌ ବ୍ୟବସ୍ଥା କରିବାକୁ ଇସି ସ୍ଥିର କରିଛନ୍ତି। ଏଥିନିମନ୍ତେ ଇସି ଇତିମଧ୍ୟରେ ୨ ସରକାରୀ କମ୍ପାନୀକୁ ୧୪ ଲକ୍ଷ ଭିଭିପ୍ୟାଟ୍‌ ୟୁନିଟ୍‌ ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି। ଇଭିଏମ୍‌ ଉପରେ ଭୋଟରଙ୍କ ଆସ୍ଥା କାଏମ୍‌ ରଖିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ସ୍ୱରୂପ ଇସି ପେପର୍‌ ଟ୍ରେଲ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। ପରେ ବିଭିନ୍ନ ନିର୍ବାଚନ ବେଳେ ଇଭିଏମ୍‌ର ସ୍ୱଚ୍ଛତା ଉପରେ ବିରୋଧୀ ଦଳଗୁଡିକ ବହୁବାର ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ୨୦୧୭ରେ ଅନୁଷ୍ଠିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ପ୍ରଶ୍ନ ଉଠିଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ସମସ୍ତ ମତଦାନ କେନ୍ଦ୍ରରେ ଇସି ଭିଭିପ୍ୟାଟ୍‌ ବ୍ୟବସ୍ଥା କରିଥିଲେ। ଏପରିକି ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ବୁଥ୍‌ଗୁଡିକର ସମସ୍ତ ପେପର୍‌ ଟ୍ରେଲ୍‌ ସ୍ଲିପ୍‌କୁ ମେଳ କରିବା ବାଧ୍ୟତାମୂଳକ କରାଯାଇଥିଲା।

prayash

ଭିଭିପ୍ୟାଟ୍‌ କଣ?
ଇଲେକ୍‌ଟ୍ରେନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌)ରେ ଖଞ୍ଜାଯାଉଥିବା ଏକ କ୍ଷୁଦ୍ର ମେସିନ୍‌ ହେଉଛି ଭିଭିପ୍ୟାଟ୍‌ (ଭୋଟର୍‌ ଭେରିଫାଏଡ୍‌ ଅଡିଟ୍‌ ଟ୍ରେଲ୍‌)। ଏହି ମେସିନ୍‌ ଦ୍ୱାରା ମତଦାନ କରିବା ପରେ ଏକ ପେପର୍‌ ଟ୍ରେଲ୍‌ ସ୍ଲିପ୍‌ ବା କାଗଜଖଣ୍ଡ ବାହାରିଥାଏ। ଉକ୍ତ କାଗଜରେ ଭୋଟର୍‌ କେଉଁ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି ସେ ସମ୍ବନ୍ଧୀୟ ସୂଚନା ମୁଦ୍ରିତ ହୋଇଥାଏ। କାଗଜଟିକୁ ଦେଖି ଭୋଟର ଜଣକ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି କି ନାହିଁ ସେ ବିଷୟରେ ନିଶ୍ଚିତ ହୋଇଥାଆନ୍ତି। ଅବଶ୍ୟ କାଗଜଟିକୁ ଭୋଟର୍‌ ନିଜ ସଙ୍ଗରେ ନେଇପାରନ୍ତି ନାହିଁ। ତାହା ମେସିନ୍‌ରେ ସଂଲଗ୍ନ ଏକ ବାକ୍ସ ମଧ୍ୟରେ ହିଁ ରହିଯାଇଥାଏ। ପରେ ମତଦାନକୁ ନେଇ ବିବାଦ ଉପୁଜିଲେ ଏହି କାଗଜ ଦ୍ୱାରା କେଉଁ ପ୍ରାର୍ଥୀ କେତେ ଭୋଟ ପାଇଛନ୍ତି ତାହା ଗଣନା କରାଥାଏ। ଭାରତରେ ନିର୍ବାଚନ ସମୟରେ ମତଦାନ ନିମନ୍ତେ ଇଭିଏମ୍‌ ଏବଂ ଭିଭିପ୍ୟାଟର ବ୍ୟବହାର ଆରମ୍ଭରୁ ହିଁ ଦୁଇଟି ସରକାରୀ କମ୍ପାନୀ, ଯଥା-ବେଙ୍ଗାଲୁରୁସ୍ଥିତ ଭାରତ ଇଲେକ୍‌ଟ୍ରୋନିକ୍‌ ଲିମିଟେଡ୍‌ (ବେଲ୍‌) ଏବଂ ହାଇଦ୍ରାବାଦ୍‌ସ୍ଥିତ ଇଲେକ୍‌ଟ୍ରୋନିକ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଇସିଆଇଏଲ୍‌) ଏହାକୁ ନିର୍ମାଣ କରିଆସୁଛନ୍ତି।

Leave A Reply