www.samajalive.in
Sunday, December 14, 2025
17.1 C
Bhubaneswar

କରୋନା ସଂକ୍ରମଣ: ଦେଶର ସ୍ପର୍ଶକାତର ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

କରୋନା ସଂକ୍ରମଣ, ସ୍ବାସ୍ଥ୍ୟଗତ ସମସ୍ୟା ଓ କରୋନାଜନିତ ଅର୍ଥନୈତିକ ଅସ୍ଥିରତା ଦୃଷ୍ଟିରୁ ମଧ୍ୟପ୍ରଦେଶ ଦେଶର ସବୁଠାରୁ ସ୍ପର୍ଶକାତର ରାଜ୍ୟରେ ପରିଣତ ହୋଇଛି । ସାରା ଦେଶରେ କରୋନା ଯୋଗୁଁ ଯେଉଁ ୧୦ ରାଜ୍ୟକୁ ସ୍ପର୍ଶକାତର ବୋଲି ଚିହ୍ନଟ କରାଯାଇଛି ତାହା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା । ବିହାର, ମଧ୍ୟପ୍ରଦେଶ, ଦିଲ୍ଲୀ, ତେଲଙ୍ଗାନା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ,  ଗୁଜୁରାଟ ଓ ଓଡ଼ିଶା ପାଇଁ କରୋନା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ସେହିପରି ସବୁଠାରୁ ସ୍ପର୍ଶକାତର ତଥା ଅସୁରକ୍ଷିତ  ଜିଲାର ମାନ୍ୟତା ପାଇଛି ବିହାରର ଦରଭଙ୍ଗା ଓ  କଲକତାର ଦକ୍ଷିଣ ୨୪ପ୍ରଗଣା । ସହର ମଧ୍ୟରେ ବେଙ୍ଗାଲୁରୁକୁ ସର୍ବାଧିକ ସ୍ପର୍ଶକାତର ବୋଲି କୁହାଯାଇଛି ।  ଅନ୍ୟପକ୍ଷରେ ସିକିମ୍ ଦେଶର ସବୁଠାରୁ ସୁରକ୍ଷିତ ରାଜ୍ୟର ମାନ୍ୟତା ପାଇଛି । ସିକିମ୍ ପଛକୁ ରହିଛନ୍ତି ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ । ଏକ ଆନ୍ତର୍ଜାତିକ ବେସରକାରୀ ସଂସ୍ଥା ଜନସଂଖ୍ୟା ପରିଷଦର ଗବେଷକ ରାଜୀବ ଆଚାର୍ଯ୍ୟ ଓ ତାଙ୍କ ସହଯୋଗୀ ଆକାଶ ପୋରୱାଲଙ୍କ ଦ୍ବାରା ଦେଶରେ କରୋନା ସଂକ୍ରମଣ ସଂକ୍ରାନ୍ତ ରିପୋର୍ଟ ବିଦେଶୀ ଡ଼ାକ୍ତରୀ ପତ୍ରିକା  ‘‘ଦି ଲାନସେଟ’’ରେ ପାଇଛି । ଏହି ରିପୋର୍ଟରେ ମଧ୍ୟପ୍ରଦେଶ,ମହାରାଷ୍ଟ୍ର,  ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗକୁ କରୋନା ସଂକ୍ରମଣର ହବ୍ ମାନ୍ୟତା ଦିଆଯାଇଛି ।

- Advertisement -

କୋଭିଡ଼-୧୯ ସଂକ୍ରମଣ ସମୟରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ, ସ୍ବାର୍ଥ ଓ ସାମାଜିକ-ଅର୍ଥନୈତିକ ପ୍ରଭାବକୁ ଆକଳନ କରିବା ନିମନ୍ତେ ହୋଇଥିବା ଗବେଷଣାରେ ଶ୍ରୀ ଆଚାର୍ଯ୍ୟ ଓ ତାଙ୍କ ସହକର୍ମୀ ୫ଟି କ୍ଷେତ୍ର ମହାମାରୀ, ସ୍ବାସ୍ଥ୍ୟ ପ୍ରଣାଳୀ, ଗୃହ ଓ ସ୍ବଚ୍ଛତା, ଜନସଂଖ୍ୟା ଓ ସାମାଜିକ ଅର୍ଥନୈତିକ ଆଦିର ୧୫ ସୂଚକାଙ୍କକୁ ଆଧାର କରିଛନ୍ତି । ରାଜ୍ୟ ତଥା ଜିଲାସ୍ତରରେ ରହିଥିବା ଦୁର୍ବଳତାକୁ ଏଥିରେ ଆଧାର ରଖାଯାଇଛି । ଏହି ତଥ୍ୟ ଶୁକ୍ରବାର ପ୍ରକାଶିତ ହୋଇଛି । ସର୍ବାଧିକ ସୁରକ୍ଷିତ ରାଜ୍ୟକୁ ଶୂନ (୦) ଓ ସର୍ବାଧିକ ଅସୁରକ୍ଷିତ ବା ସ୍ପର୍ଶକାତର ରାଜ୍ୟକୁ ୧ ନମ୍ବର ଦିଆଯାଇଛି ।

ଏହି ରିପୋର୍ଟ ଅନୁସାରେ କରୋନା ଭୂତାଣୁର ବିସ୍ତାର ଓ ପ୍ରଭାବ ବିଭିନ୍ନ କ୍ଷେତ୍ରକୁ ପ୍ରଭାବିତ କରିପାରେ । ଘରର ଆୟ ଏବଂ ଶିକ୍ଷା ସ୍ତର, ସହରୀକରଣ ଏବଂ ଜନସଂଖ୍ୟା ଘନତା, ବୃଦ୍ଧାବୃଦ୍ଧଙ୍କ ଅନୁପାତ, ଗୋଟିଏ ଘରେ ଶୋଇବା ପାଇଁ ପ୍ରତି କୋଠରୀରେ ରହୁଥିବା ଲୋକଙ୍କ ସଂଖ୍ୟା,  ଜନସ୍ୱାସ୍ଥ୍ୟ ସୁବିଧା ସହ ସହଜରେ ପରିବାରଗୁଡିକର ଅନୁପାତ, ପ୍ରତି ୧୦୦୦ ଜନସଂଖ୍ୟାରେ ଡାକ୍ତରଖାନା ଶଯ୍ୟା ଏବଂ ଜନସଂଖ୍ୟାରେ ଗୁରୁତର  ଅନ୍ତର୍ନିହିତ ବ୍ୟାଧିକୁ ମଧ୍ୟ ଏହା ପ୍ରଭାବିତ କରିବାର ଆଶଙ୍କା ରହିଛି ।

ଏହି ରିପୋର୍ଟ ଅନୁସାରେ ସିକିମ ୦.୦ ସ୍କୋର ଅର୍ଥାତ୍ ସର୍ବାଧିକ ସୁରକ୍ଷିତ ମାନ୍ୟତା ପାଇଛି । ଏହି କ୍ରମରେ ଅରୁଣାଚଳ ଦ୍ବିତୀୟ ସୁରକ୍ଷିତ (୦.୨୯) ଓ ହିମାଚଳ ପ୍ରଦେଶ (୦.୫୭) ସହ ତୃତୀୟ ସୁରକ୍ଷିତ ରାଜ୍ୟ ଭାବରେ ବିବେଚିତ ହୋଇଛି । ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ୧ରୁ ୧ ନମ୍ବର ରଖି ସର୍ବାଧିକ ଅସୁରକ୍ଷିତ ବା ସ୍ପର୍ଶକାତର ରାଜ୍ୟ ବିବେଚିତ ହୋଇଛି । ବିହାର ଦ୍ବିତୀୟ ଅସୁରକ୍ଷିତ (୦.୯୭୧) ଓ ତେଲଙ୍ଗାନା (୦.୯୪୩) ତୃତୀୟ ଅସୁରକ୍ଷିତ ଭାବରେ ଗଣାଯାଇଛି । ପଶ୍ଚିମବଙ୍ଗ ପାଇଛି ୦.୮୨୯ ସ୍କୋର। ଜନଘନତ୍ଵ, ଅନ୍ୟରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସଂଖ୍ୟା, ଗୃହ ଓ ସ୍ବଚ୍ଛତାରେ ରହିଥିବା ବିଚ୍ୟୁତି ନିମନ୍ତେ ପଶ୍ଚିମବଙ୍ଗ ଅସୁରକ୍ଷିତ ରାଜ୍ୟ ମାନ୍ୟତା ପାଇଛି । ଓଡ଼ିଶାର ସ୍ଥିତି ମଧ୍ୟରେ ବିଶେଷ ଭଲ ନାହିଁ । ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ସ୍କୋର ରହିଛି ୦.୬୮୬।  ଅନ୍ୟପକ୍ଷରେ କରୋନା ସଂକ୍ରମଣ ରୋକିବାରେ ପଦକ୍ଷେପ ଯୋଗୁଁ ଛତିଶଗଡ଼, କେରଳ ଓ ଗୋଆ ଭଲ ସ୍ଥିତିରେ ଅଛନ୍ତି । ଏହି ତିନି ରାଜ୍ୟ ଏକ ସ୍ତରରେ ରହିଛନ୍ତି । ଏମାନଙ୍କୁ ୦.୩୧୪ ସ୍କୋର ମିଳିଛି । ରିପୋର୍ଟ ଅନୁସାରେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଦୁଇଟି ଜନବହୁଳ ରାଜ୍ୟ । ମାତ୍ର ପଶ୍ଚିମବଙ୍ଗ ଅପେକ୍ଷା ମହାରାଷ୍ଟ୍ରରେ ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି ।

ରିପୋର୍ଟରେ କୁହାଯାଇଛି ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା ହୃଦ୍‌ରୋଗ ଭଳି ଗୁରୁତର ସ୍ବାସ୍ଥ୍ୟଗତ ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ଅଧିକ ଥିବା ରାଜ୍ୟ କିମ୍ବା ଜିଲ୍ଲାଗୁଡ଼ିକ କୋଭିଡ -୧୯ ନିମନ୍ତେ ବି​‌ଶେଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ରାଜଧାନୀ ଦିଲ୍ଲୀ ଓ ଗାଜିଆବାଦ ପରି ସହରାଞ୍ଚଳରେ ମଧ୍ୟ ବିହାର ଓ ଉତ୍ତରପ୍ରଦେଶର ଅସୁରକ୍ଷିତ ଜିଲା ପରି ଲୋକମାନଙ୍କ ନିମନ୍ତେ ସ୍ବାସ୍ଥ୍ୟସେବା ବିଶେଷ ପ୍ରଭାବଶାଳୀ ନୁହେଁ ।

ଅନ୍ୟପକ୍ଷରେ ମୁମ୍ବାଇର ଇଣ୍ଟରନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ ସାଇନ୍ସ ଅଧ୍ୟାପକ ସଞ୍ଜୟ ମହାନ୍ତି ଏହି ଅଧ୍ୟୟନକୁ ‘ଯୌକ୍ତିକ ସଠିକ’ ବୋଲି ଦର୍ଶାଇଛନ୍ତି । ରାଜ୍ୟ ତଥା ଜିଲାଗୁଡ଼ିକର କରୋନା ମୁକାବିଲା ସଂକ୍ରାନ୍ତ ଦୁର୍ବଳତାକୁ ଅନୁସନ୍ଧାନ କରିବାରେ ଏହା ପ୍ରଥମ ପ୍ରୟାସ ବୋଲି ଉଲ୍ଲେଖ କରିଛନ୍ତି । ମହାମାରୀର ଅଧିକାଂଶ ମୂଲ୍ୟାଙ୍କନ ସଂକ୍ରମିତ ରୋଗ ସଂଖ୍ୟା ଓ ମୃତ୍ୟୁହାର ଉପରେ ଧ୍ୟାନ ଦିଆଯାଇ ରିପୋର୍ଟ ପ୍ରକାଶ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ଏବଂ ପରୀକ୍ଷଣ ସୁବିଧା କ୍ଷେତ୍ରରେ ଜନସାଧାରଣଙ୍କ ପୁଞ୍ଜି ବିନିଯୋଗ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରେ ବୋଲି ସେ ମତ ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories