ଆଇନ ଆଣିବେ ସରକାର

0

ଭୁବନେଶ୍ୱର : କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଆଇନଗତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ସଂସ୍କୃତି ବିଭାଗ ୨୦୧୫ ମସିହା ଜୁଲାଇ ମାସରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ ନେଇ ଦେଇଥିବା ପ୍ରସ୍ତାବ ଉପରେ ସରକାର ବିଚାରବିମର୍ଶ ଆରମ୍ଭ କରିଥିବା ସୂଚନା ମିଳିଛି। ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ ଦାବି ଜୋର ଧରିବା ପରେ ଖୁବଶୀଘ୍ର ସରକାର ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଏହା ଉପରେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି।
ଦେଶର ପ୍ରଥମ ରାଜ୍ୟ ଭାବେ ୧୯୨୭ରେ ଆସାମ ଜାତିପ୍ରାଣ ଜାଗ୍ରତ କରୁଥିବା ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେଇଛି।
୧୯୬୫ରେ କର୍ଣ୍ଣାଟକ ରାଜ୍ୟର ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ସେହିସବୁ ରାଜ୍ୟ କିଭଳି ମାନ୍ୟତା ପାଇଛନ୍ତି ତା’ର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଏ ସମ୍ପର୍କରେ ସଂପୃକ୍ତ ରାଜ୍ୟରୁ ମତାମତ ସଂଗ୍ରହ କରାଯିବ। ‘ବନ୍ଦେ ଉତ୍କଳ ଜନନୀ’ ପ୍ରତି ରାଜ୍ୟବାସୀଙ୍କର ସମ୍ମାନ ରହିଛି। ବିଧାନସଭାରେ ଏହାକୁ ସ୍ୱୀକୃତି ମିଳିଛି। ଓଡ଼ିଶା କ୍ଷେତ୍ରରେ ରାଜ୍ୟବାସୀଙ୍କ ଦ୍ୱାରା ଆଦୃତ ଏବଂ ବିଧାନସଭାରେ ଗାନ କରାଯାଉଥିବା ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ୨୦୦୬ ମସିହାରେ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ପ୍ରସ୍ତାବ ଦିଆଯାଇଥିଲା।
ଏ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଲେଖିଥିଲେ, ଜାତୀୟ କିମ୍ବା ରାଜ୍ୟ ସଙ୍ଗୀତ ପ୍ରସଙ୍ଗରେ ସମ୍ବିଧାନର ସପ୍ତମ ଅନୁଚ୍ଛେଦ, କେନ୍ଦ୍ର ବା ରାଜ୍ୟ ତାଲିକାରେ କିଛି ବ୍ୟବସ୍ଥା ନାହିଁ। ଭାରତୀୟ ସମ୍ବିଧାନର ୧୬୨ଧାରା ପରିପ୍ରେକ୍ଷୀରେ ରାଜ୍ୟ ସରକାର କୌଣସି କାର୍ଯ୍ୟ ନିର୍ବାହୀ ନିର୍ଦେଶ ବଳରେ କୌଣସି ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବା ଅଧିକାର ନାହିଁ।
ରାଜ୍ୟ ସଙ୍ଗୀତ ମାନ୍ୟତା ନେଇ ରାଜ୍ୟ ସରକାର ଆଇନ ପ୍ରଣୟନ କିମ୍ବା ଗେଜେଟ ବିଜ୍ଞପ୍ତି ବଳରେ ଏହାକୁ କାର୍ଯ୍ୟକାରୀ କରିପାରିବେ।
ସୂଚନାଯୋଗ୍ୟ ଯେ ବିଧାନସଭାରେ ସର୍ବଦଳୀୟ ବୈଠକର ନିଷ୍ପତ୍ତି କ୍ରମେ ୧୯୯୪ ମସିହାରୁ ଏହା ଗାନ କରାଯାଉଛି। ପୂର୍ବତନ ବାଚସ୍ପତି ଶରତ କର ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ସେ ତାଙ୍କ ନିର୍ଦେଶରେ ଆଇନ ପ୍ରଣୟନ ବା ଗେଜେଟ ବିଜ୍ଞପ୍ତି ବଳରେ ଏହାକୁ କାର୍ଯ୍ୟକାରୀ କରିବାକୁ ରୁଲିଂ ଦେଇଥିଲେ। ୨୦୦୨ ମସିହାରେ ତତ୍କାଳୀନ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ନିଷ୍ପତ୍ତି ହୋଇଥିଲା। ୨୦୧୨ ମସିହାରେ ମହେଶ୍ୱର ମହାନ୍ତି ସଂସ୍କୃତି ମନ୍ତ୍ରୀ ଥିବା ବେଳେ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ପରେ ବାଚସ୍ପତି ଥିବା ବେଳେ ଶ୍ରୀ ମହାନ୍ତି ଏହା ଉପରେ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ।
ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ଭାବେ ଆଇନଗତ ମାନ୍ୟତା ପ୍ରଦାନ ନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

Leave A Reply