ଉମର ଅକମଲ୍ଙ୍କ ୨୦% ମ୍ୟାଚ୍ ଫି କଟିଲା
ମୁମ୍ବଇ : ଦଳର ନିୟମକୁ ଅବମାନନା କରି ରାତିରେ ହୋଟେଲ୍ ବାହାରକୁ ଯାଇଥିବା ଅଭିଯୋଗରେ ପାକିସ୍ତାନ ବ୍ୟାଟସମ୍ୟାନ୍ ଉମର ଅକମଲ୍ଙ୍କ ୨୦% ମ୍ୟାଚ୍ ଫି କଟିଥିବା ଜଣାପଡ଼ିଛି। ୟୁଏଇରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍ର ୫ ମ୍ୟାଚ୍ ପୂର୍ବରୁ ଉମର ଦଳର ନିୟମକୁ ଅବମାନନା କରିବା ସହ ରାତିରେ ହୋଟେଲ୍ ବାହାରକୁ ଯାଇଥିଲେ। ଏ ସଂପର୍କରେ ପାକିସ୍ତାନ ଦଳର ମ୍ୟାନେଜର ପିସିବିକୁ ଜଣାଇବା ପରେ ଉମରଙ୍କ ୨୦% ମ୍ୟାଚ୍ ଫି କଟାଯିବା ସହ ଭର୍ତ୍ସନା କରିଛି ପିସିବି। ଉମର ନିଜ ଭୁଲ୍ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି। ଏ ସଂପର୍କରେ ପିସିବିର ପରିଚାଳନା ନିର୍ଦେଶକ ୱାସିମ ଖାନ୍ କହିଥିଲେ ଦଳର ନିୟମ ଓ ଶୃଙ୍ଖଳା ଅବମାନନାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ତେବେ ଉମର ନିଜ ଦୋଷ ସ୍ବୀକାର କରିବା ସହ କ୍ଷମା ପ୍ରାର୍ଥନା କରିବା ଭଲ କଥା। ଆଗାମୀ ଦିନରେ ଉମର ଭୁଲ୍ର ପୁନରାବୃତ୍ତି କରିବେ ନାହିଁ ବୋଲି ଆଶା ରହିଛି।
ସୂଚନାଥାଉକି ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଉମର ସବୁ ମ୍ୟାଚ୍ ଖେଳି ୧୫୦ ରନ୍ ସଂଗ୍ରହ କରିଥିଲେ। ୨୦୦୯ରେ ୧୯ ବର୍ଷରେ ପାକିସ୍ତାନ ତରଫରୁ ପ୍ରଥମ ଟେଷ୍ଟ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ ଉମର। ତେେବ ୨୦୧୭ରେ ଫିଟନେସ୍ ପରୀକ୍ଷାରେ ବିଫଳ ହେବା ପରେ ଇଂଲଣ୍ଡରେ ଚମ୍ପିଆନ୍ସ ଟ୍ରଫି ଖେଳୁଥିବା ପାକିସ୍ତାନ ଦଳରୁ ତାଙ୍କୁ ସ୍ବଦେଶ ପଠାଇ ଦିଆଯାଇଥିଲା। ଏହାପରେ ଉମର ମୁଖ୍ୟ ପ୍ରଶିକ୍ଷକ ମିକି ଆର୍ଥରଙ୍କ ବିରୋଧରେ ବିଷୋଦ୍ଗାର କରି ବେଶ୍ ବିବାଦୀୟ ହୋଇପଡ଼ିଥିଲେ।
Comments are closed.