ମେ’ ୨୨ରେ ମୁନ୍‍ଙ୍କୁ ଭେଟିବେ ଟ୍ରମ୍ପ

0

ୱାଶିଂଟନ୍‍  : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆକୁ ପୁନଃ ବନ୍ଧୁତ୍ୱର ସୂତ୍ରରେ ବାନ୍ଧିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ’ ୨୨ରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‍ ଜାଇ-ଇନ୍‍ଙ୍କୁ ହ୍ୱାଇଟ୍‍ ହାଉସ୍‍ଠାରେ ଭେଟିବେ। ହ୍ୱାଇଟ୍‍ ହାଉସ୍‍ ପକ୍ଷରୁ ଶନିବାର ଏହି ସାକ୍ଷାତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଘୋଷଣା କରାଯାଇଛି। ଏହି ସାକ୍ଷାତ ବେଳେ ମୁନ୍‍ ଉତ୍ତର କୋରିଆ ମୁଖ୍ୟ କିମ୍‍ ଜଙ୍ଗ୍‍ଙ୍କ ସହିତ ତାଙ୍କ ସାକ୍ଷାତ ଓ ସମ୍ମିଳନୀ ସମ୍ବନ୍ଧରେ ଟ୍ରମ୍ପଙ୍କୁ ଅବଗତ କରିବେ। ଗତ ସପ୍ତାହରେ କୋରିଆ ସୀମାନ୍ତବର୍ତ୍ତୀ ଏକ ଗ୍ରାମରେ ମୁନ୍‍ ଏବଂ କିମ୍‍ ଜଙ୍ଗ ଦୀର୍ଘ ୬୮ ବର୍ଷର ଶତ୍ରୁତାକୁ ଭୁଲି ପରସ୍ପରକୁ ଭେଟିଥିଲେ।

ଅନ୍ୟପକ୍ଷରେ ଉତ୍ତର କୋରିଆ ନିଜ ସମୟ ଜୋନ୍‌କୁ ଅଧା ଘଣ୍ଟା ଆଗକୁ ବଢାଇ ଦକ୍ଷିଣ କୋରିଆ ସମୟ ସହ ସମାନ କରିଛି । ଉତ୍ତର କୋରିଆ ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି । ଗତ ସପ୍ତାହରେ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ଶିଖର ବୈଠକ ପରେ ଉତ୍ତର କୋରିଆ ଏହି ପଦକ୍ଷେପ ନେଇଛି । ଉତ୍ତର କୋରିଆ ସରକାରୀ ଗଣମାଧ୍ୟମ କେସିଏନ୍‌ଏ ଅନୁସାରେ ଐତିହାସିକ ଶିଖର ବୈଠକ ପରେ ଦୁଇ ଦେଶ ପୁଣି ଏକାଠି ହୋଇଛନ୍ତି। ପ୍ରଥମ ପଦକ୍ଷେପ ଭାବେ ଦୁଇ ଦେଶର ସମୟ ପୁନଃ ନିର୍ଦ୍ଧାରଣ କରାଯାଇଛି ।  ୨୦୧୫ରେ ଉଭୟ ରାଷ୍ଟ୍ରର ସମୟ ଜୋନ୍ ଅଲଗା ହୋଇଯାଇଥିଲା। ସେହି ସମୟରେ ଉତ୍ତର କୋରିଆ ନିଜ ସମୟକୁ ଦକ୍ଷିଣ କୋରିଆଠାରୁ ଅଧ ଘଣ୍ଟା ଆଗୁଆ କରିଦେଇଥିଲା । ଫଳରେ ଉତ୍ତର କୋରିଆ ସମୟ ଜୋନ୍‌ ଦକ୍ଷିଣ କୋରିଆ ସମୟ ଜୋନଠାରୁ ଅଧ ଘଣ୍ଟା ଆଗୁଆ ରହିଥିଲା । ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତକାର ପରେ ଏବେ ଦୁଇ ଦେଶର ସମୟ ଜୋନ୍‌ ସମାନ ହୋଇଛି ।

Leave A Reply