BJD Bijuli 480×75 Mob

ପଥର ଅତଡ଼ା ଖସି ମାଲଗାଡ଼ି ଲାଇନଚ୍ୟୁତ

BJD Bijuli 480×75 Mob

ନନ୍ଦପୁର: ବିଶାଖାପାଟଣା କିରାଣ୍ଡୁଳ ସଂଯୋଗ କରୁଥିବା କେ କେ ରେଳପଥରେ ରବିବାର ସକାଳେ ପଥର ଅତଡ଼ା ଖସି ମାଲଗାଡି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଆନ୍ଧ୍ର ଶିବଲିଙ୍ଗପୁରମ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଥିବା ନେଇ ରେଳ ବିଭାଗ ତରଫରୁ ସୂଚନା ମିଳିଛି। ଫଳତଃ ରେଳ ଚଳାଚଳ ବାଧାପ୍ରାପ୍ତ ହେଉଛି। ସକାଳ ୬ଟା ୧୦ ସମୟରେ ଯୁମ୍ବୋ ୩୧୫୮୮ ନମ୍ବର ବିଶିଷ୍ଟ ଗତିଶିଳ ମାଲଗାଡ଼ି ଆନ୍ଧ୍ର ଶିବଲିଙ୍ଗପୁରମ ଷ୍ଟେସନ ପାର କରି କିରାଣ୍ଡୁଳ ଅଭିମୁଖେ ଧିରଗତିରେ ଯାଉଥିବା ସମୟରେ ହଠାତ ମାଲଗାଡ଼ି ସମ୍ମୁଖ ରେଳ ଧାରଣା ଉପରକୁ ପାର୍ଶ୍ଵ ପାହାଡରୁ ଏକ ବିରାଟକାୟ ପଥର ଅତଡ଼ା ଖସି ପଡିଥିଲା। ଟ୍ରେନର ଇଞ୍ଜିନରେ ଉକ୍ତ ପଥର ମାଡ ହୋଇ ଗାଡ଼ି ଲାଇନଚ୍ୟୁତ ହୋଇଥିଲା। ଷ୍ଟେସନ ପାର କରୁଥିବା ଯୋଗୁ ମାଲଗାଡ଼ିର ଗତି କମ୍ ଥିଲା। ତେଣୁ ମାଲଗାଡିର ଇଞ୍ଜିନ ଲାଇନଚ୍ୟୁତ ହୋଇ ଅଟକି ରହି ଯାଇଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ରେଳ ବିଭାଗ ବର୍ତ୍ତି ଯାଇଥିବା ଦେଖଣାହାରି କହିଛନ୍ତି। ଘଟଣାରେ କୌଣସି ଧନ ଜୀବନ ନଷ୍ଟ ହୋଇ ନଥିବା ବେଳେ ବିଶାଖାପାଟଣାରୁ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଧାରଣା ଉପରୁ ପଥର ହଟାଇବା ସହ ଲାଇନଚ୍ୟୁତ ମାଲ ଗାଡ଼ିର ଇଞ୍ଜିନକୁ ଧାରଣା ଉପରକୁ ଆଣି ରେଳ ଚଳାଚଳ ସ୍ବାଭାବିକ କରାଯିବାକୁ ଚେଷ୍ଟା ଜାରି ରଖିଛନ୍ତି। ଦିନ ୧ଟା ସୁଦ୍ଧା ଉଦ୍ଧାରକାରୀ ଦଳକୁ ସଫଳତା ମିଳିବ ଓ କେ କେ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ରେଳବାଇ ଗୁଇନ୍ଦା ବିଭାଗ ଅଧିକାରୀ ଡି ବାଗ ସୂଚନା ଦେଇଛନ୍ତି। ଏଭଳି ଘଟଣା ବାରମ୍ବାର ହେଉଥିବାରୁ ରେଳ ବିଭାଗ କର୍ତ୍ତୃପକ୍ଷ କୌଣସି ବଡ ଧରଣର ଅଘଟଣ ଘଟିବା ଆଗରୁ ସତର୍କତା ଅବଲମ୍ବନ କରିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

Comments are closed.