ପର୍ଯ୍ୟଟନ ପରିଚାଳନା କର୍ମଶାଳା ଉଦ୍ଘାଟିତ: ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜାଣିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୧୪ ଦିନିଆ ପର୍ଯ୍ୟଟନ ପରିଚାଳନା କର୍ମଶାଳା ଆଜି ଉଦ୍ଘାଟିତ ହୋଇଯାଇଛି । ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ଉଦ୍ଘାଟନ କରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତି କହିଲେ ଯେ ରାଜ୍ୟର ସଂସ୍କୃତି ଓ ଐତିହ୍ୟ ଅତ୍ୟନ୍ତ ପ୍ରାଚୀନ । ଏହାକୁ ଭିତ୍ତିକରି ରାଜ୍ୟରେ ଗଢ଼ି ଉଠିଥିବା ପର୍ଯ୍ୟଟନ ଶିଳ୍ପ ଉତ୍ସାହଜନକ ରହିଛି ।
ଉଭୟ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ଆଗମନରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ ଅଭିବୃଦ୍ଧିର ଆଶା କରାଯାଉଥିବାରୁ ଆଗାମୀ ଦିନରେ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଯୁବପିଢ଼ି ନୂତନ ସୁଯୋଗ ପାଇବେ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନେ ରାଜ୍ୟର ପ୍ରାଚୀନ ପରମ୍ପରା ସଂପର୍କରେ ବିଭିନ୍ନ ଜ୍ଞାନ ଅର୍ଜନ କରିପାରିବେ, ଯାହା ସେମାନଙ୍କ ବୃତ୍ତିଗତ ଜୀବନରେ ସହାୟକ ହେବ । ନିଜ ଭିତରେ ଥିବା ପ୍ରତିଭାର ଅନେ୍ୱଷଣ କରି ଏହାର ସଦୁପଯୋଗ କରିପାରିଲେ ବ୍ୟକ୍ତିବିଶେଷ ତଥା ସମାଜ ନିମନ୍ତେ ଅନେକ ସୁଯୋଗ ସୃଷ୍ଟି ହୋଇପାରିବ । ଯେକୌଣସି ଭାଷାରେ ପରିପକ୍ୱତା ଓ ଦକ୍ଷତା ହାସଲ କରିବା ଦ୍ୱାରା ଏହା ନିଜ ବୃତ୍ତିଗତ ଜୀବନ ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିବ । ସମୟାନୁବର୍ତ୍ତିତା ଓ ଶୃଙ୍ଖଳିତ ଆଚରଣ ସଫଳତାର ଚାବିକାଠି ବୋଲି ଡ. ମହାନ୍ତି ପ୍ରକାଶ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ କହିଲେ ଯେ ସଂଗ୍ରାହାଳୟ ହେଉଛି ଓଡ଼ିଶାର କଳା ଓ ଐତିହ୍ୟର ପ୍ରତୀକ । ଏହି କର୍ମଶାଳା ଦ୍ୱାରା ପ୍ରାଚୁର୍ଯ୍ୟଭରା ରାଜ୍ୟ ଓଡ଼ିଶାର ପ୍ରାଚୀନ ପରମ୍ପରା ସଂପର୍କରେ ଛାତ୍ରଛାତ୍ରୀମାନେ ଜାଣିବାର ସୁଯୋଗ ପାଇବେ । ଏହା ଦ୍ୱାରା ସେମାନଙ୍କ ବାହ୍ୟଜ୍ଞାନ ପରିବ୍ୟାପ୍ତ ହେବା ସହ ସେମାନଙ୍କ ଚିନ୍ତାଧାରା ସକରାତ୍ମକ ରହିବ ବୋଲି ସେ କହିଥିଲେ । ନିଜର ସଂସ୍କୃତି ଓ ଇତିହାସକୁ ଜାଣିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଭବିଷ୍ୟତ ପିଢ଼ି ସୁରକ୍ଷିତ ରହିପାରିବ । ଚିନ୍ତାମୁକ୍ତ ଜୀବନ ଓ ଆତ୍ମବିଶ୍ୱାସ ସଫଳତାର ନୂତନ ସୋପାନ ଚଢ଼ିବାରେ ସହାୟକ ହେବ ବୋଲି ଶ୍ରୀ ରାଉତରାଏ ମତବ୍ୟକ୍ତ କରିଥିଲେ ।
ଏହି କର୍ମଶାଳାରେ ଭୁବନେଶ୍ୱରସ୍ଥିତ ଫ୍ରାଙ୍କଲିନ୍ ଇନ୍ଷ୍ଟିଚୁ୍ୟଟ ଅଫ୍ ହସ୍ପିଟାଲିଟି ଆଣ୍ଡ ମ୍ୟାନେଜ୍ମେଣ୍ଟର ୬୬ ଜଣ ଛାତ୍ରଛାତ୍ରୀ ଆସନ୍ତା ୧୪ ଦିନ ଧରି ରାଜ୍ୟର ପ୍ରାଚୀନ ପରମ୍ପରା, ସଂସ୍କୃତି, କଳା, ଐତିହ୍ୟ ସଂପର୍କରେ ବ୍ୟବହାରିକ ଜ୍ଞାନ ଗ୍ରହଣ କରିବେ । ବିଭିନ୍ନ ବିଷୟରେ ବିଶେଷଜ୍ଞମାନେ ଦୁଇ ସପ୍ତାହ ଧରି ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ଅବସରରେ ଫ୍ରାଙ୍କଲିନ୍ ଇନ୍ଷ୍ଟିଚୁ୍ୟଟ ଅଫ୍ ହସ୍ପିଟାଲିଟି ଆଣ୍ଡ ମ୍ୟାନେଜ୍ମେଣ୍ଟର ଅଧ୍ୟକ୍ଷ ଲକ୍ଷ୍ମଣ ମନ୍ତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ବରିଷ୍ଠ କୁ୍ୟରେଟର ଡ. ଭାରତୀ ପାଲ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
Comments are closed.