ରୁନୁଙ୍କୁ ସାହା ହେଲା ପ୍ରଶାସନ, ‘ସମାଜ ଲାଇଭ’କୁ ଦେଲେ ଧନ୍ୟବାଦ
ତେଲକୋଇ: ମେରୁଦଣ୍ଡ ଜନିତ ରୋଗ ଯୋଗୁଁ ୬ ମାସ ହେଲାଣି ବିଛଣାରେ ପଡିଥିଲେ ତେଲକୋଇ ବ୍ଲକ ଛାମୁଣ୍ଡା କିସାନ ସାହିର ସୁଦାମ କିଶାନ ଓ ରତନୀ କିଶାନଙ୍କ କଲେଜ ପଢୁଆ ଝିଅ ରୁନୁ କିଶାନ। ବହୁ ଡାକ୍ତରଙ୍କୁ ଦେଖାଇ ସର୍ବସ୍ବାନ୍ତ ହୋଇଯାଇଥିଲେ ପରିବାର ଲୋକେ। ଅର୍ଥ ଅଭାବ ଯୋଗୁଁ ଝିଅ କୁ ଭଲ କରିପାରିନଥିଲେ। ଭାଗ୍ୟକୁ ଆଦରି ରୁନୁ ଅସହାୟ ଅବସ୍ଥାରେ ଘରେ ପଡ଼ିରହିଥିଲେ। ତେବେ ରୁନୁଙ୍କ ଏ ଅବସ୍ଥାକୁ ନେଇ ‘ସମାଜ ଲାଇଭ’ରେ ଖବର ପ୍ରସାରଣ ହୋଇଥିଲା। ଖବର ମାଧ୍ୟମରେ ପରିବାର ଲୋକେ ପ୍ରଶାସନ ନିକଟରେ ଗୁହାରି ଜଣାଇଥିଲେ। ଖବର ପ୍ରସାରଣ ପରେ ଜିଲା ପ୍ରସାଶନ ତରଫରୁ ପଦକ୍ଷେପ ନିଆଯାଇଥିଲା। ଆଜି ତେଲକୋଇର ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ ଓ ତେଲକୋଇ ଗୋଷ୍ଠୀ ଚିକିତ୍ସାଧିକାରୀ ଡା. ପ୍ରୀତିଶ ଆଚାର୍ଯ୍ୟ ରୁନୁଙ୍କ ଘରକୁ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କ ରେ ବୁଝିବା ସହିତ ତାଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠୁ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଏଥିପାଇଁ ରୁନୁଙ୍କ ପରିବାର ଓ ଗ୍ରାମବାସୀ ଗଣମାଧ୍ୟମକୁ କୃତଜ୍ଞତା ଜଣାଇବା ସହିତ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। ରୁନୁ ଏବେ ଭଲ ହେବ ପୁଣି କଲେଜ ଯିବ ବୋଲି ସମସ୍ତଙ୍କ ଆଶା ଓ ବିଶ୍ବାସ ରହିଛି।
Comments are closed.