www.samajalive.in
Saturday, December 6, 2025
14.1 C
Bhubaneswar

ଖୁବ୍‌ଶୀଘ୍ର କଂଗ୍ରେସକୁ ମିଳିବ ନୂଆ ପ୍ରଭାରୀ ଓ ମଙ୍ଗୁଆଳ

ଭୁବନେଶ୍ବର : ଖୁବ୍‌ଶୀଘ୍ର କଂଗ୍ରେସକୁ  ମିଳିପାରେ ନୂଆ ପ୍ରଭାରୀ ଓ ରାଜ୍ୟ ସଭାପତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଓଡ଼ିଶା କଂଗ୍ରେସ ଷ୍ଟିଅରିଂ କମିଟି ଅଧ୍ୟକ୍ଷ ତଥା ରାଜ୍ୟ ପ୍ରଭାରୀ ଅଜୟ କୁମାର ପରାଜିତ ହେବା ପରେ ସେ ଆଉ ଓଡ଼ିଶା ଆସି ନାହାନ୍ତି। ଫଳରେ ଦଳର ସ୍ଥିତି ପ୍ରଭାବିତ ହେବା ସହ ଦଳ ମଧ୍ୟ ଏକପ୍ରକାର ମୁରବୀଶୂନ୍ୟ ହୋଇଛି। ମକର ସଂକ୍ରାନ୍ତି ପରେ ଏଆଇସିସିର ପୁନର୍ବିନ୍ୟାସ ହେବା ସ୍ଥିର ହୋଇଥିଲା। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ ମଙ୍ଗଳବାର ନୂଆଦିଲ୍ଲୀରେ ଏଆଇସିସିର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ ହୋଇଛି। ଖୁବ୍‌ଶୀଘ୍ର ଏଆଇସିସି ପଦାଧିକାରୀ ତାଲିକା ଘୋଷଣା ହେବ। ଏହି କ୍ରମରେ ଓଡ଼ିଶାକୁ ନୂଆ ପ୍ରଭାରୀ ମିଳିପାରନ୍ତି। ନୂଆ ପ୍ରଭାରୀଙ୍କ ନିଯୁକ୍ତି ପରେ ତାଙ୍କ ସୁପାରିସରେ ରାଜ୍ୟ କଂଗ୍ରେସ ନୂଆ ମଙ୍ଗୁଆଳ ପାଇବା ସମ୍ଭାବନା ରହିଛି। ପ୍ରକାଶ ଯେ, ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଶରତ ପଟ୍ଟନାୟକଙ୍କୁ ହଟାଇ ଦିଆଯାଇଥିଲା। ଜୁଲାଇ ୨୧ରେ ପିସିସିର ସମସ୍ତ କମିଟିକୁ ଏଆଇସିସି ଭଙ୍ଗ କରିଥିଲା। ନୂଆ ନେତା ସନ୍ଧାନରେ ଏଆଇସିସି ଦୀର୍ଘ ୭ ମାସ ହେବ କସରତ ଜାରି ରଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ପାରିନି। ଏଆଇସିସି ପିସିସିର ସମସ୍ତ କମିଟିକୁ ଭଙ୍ଗ କରିଥିବାରୁ ରାଜ୍ୟରେ କଂଗ୍ରେସ ସଙ୍ଗଠନ ପ୍ରାୟ ସୁପ୍ତ ରହିଛି। କିଛି ଦଳୀୟ ନେତା ନିଜ ନିଜ ପ୍ରଚେଷ୍ଟାରେ ସଙ୍ଗଠନ ଚଳାଉଥିବା ଦେଖାଯାଉଛି। ପିସିସି ଅନୁପସ୍ଥିତିରେ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଗଠିତ ଷ୍ଟିଅରିଂ କମିଟି ମଧ୍ୟ ସ୍ଥାଣୁ ଅବସ୍ଥାରେ ପହଞ୍ଚିଲାଣି। ପୂର୍ବରୁ ପିସିସି ସଭାପତି ମନୋନୟନ ପାଇଁ ଦଳର ବରିଷ୍ଠ ନେତ୍ରୀ ମୀନାକ୍ଷୀ ନଟରାଜନ ଏବଂ ଛତିଶଗଡ଼ର ବିରୋଧୀ ଦଳ ନେତା ଚରଣଦାସ ମହନ୍ତ ୨୦୨୪ ନଭେମ୍ବର ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଏକାଧିକ ନେତାଙ୍କ ସହ ଆଲୋଚନା କରିଥିଲେ। ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ନିର୍ବାଚନ ପରେ ନୂଆ ପିସିସି ସଭାପତିଙ୍କ ନାମ ଘୋଷଣା ହେବ ବୋଲି ସେମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଇତିମଧ୍ୟରେ ହରିୟାଣା, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ନିର୍ବାଚନ ଶେଷ ହୋଇ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ସରିଲାଣି। ଦିଲ୍ଲୀ ନିର୍ବାଚନ ଲାଗି ଏବେ କଂଗ୍ରେସ ନେତାମାନେ ବ୍ୟସ୍ତ ଅଛନ୍ତି ଓ ଏହା ପରେ ପିସିସି ସଭାପତି ମନୋନୟନ ହେବ ବୋଲି କୁହାଯାଉଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ, ଖୁବ୍‌ଶୀଘ୍ର ହାଇକମାଣ୍ଡ ପିସିସି ସଭାପତି ନେଇ ନାମ ଘୋଷଣା କରିବେ। ବର୍ତ୍ତମାନ କଂଗ୍ରେସ ନେତୃତ୍ୱ ଦୌଡ଼ରେ ଉଭୟ ଯୁବ ଓ ବରିଷ୍ଠ ନେତା ଅଛନ୍ତି। ପୂର୍ବତନ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ସଭାପତି ମନୋନୟନ ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ଶୀଘ୍ର ନାଁ ଘୋଷଣା ହେବ। ଏଥିସହିତ ପ୍ରଦେଶ କଂଗ୍ରେସର ନବକଳେବର ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories