ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବିଭ୍ରାଟ : ଦୁଇ ଦିନ ପରେ ସ୍ଥିତି ସ୍ବାଭାବିକ

ଭୁବନେଶ୍ବର:ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରୁ ହଟିଲା ଅଚଳାବସ୍ଥା। ଦୀର୍ଘ ୪୬ ଘଣ୍ଟା ପରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି। ସନ୍ଧ୍ୟା ସାଢ଼େ ୬ଟାରେ ଦିଅଁଙ୍କୁ ମହାସ୍ନାନ କରାଯିବା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଛି। ଗତ ସୋମବାର ରାତି ୮ଟାରୁ ଦୁଇ ସେବାୟତଙ୍କ ବିବାଦ ଯୋଗୁଁ ଦିଅଁଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ମକର ସଂକ୍ରାନ୍ତିରେ ସେବାୟତ ମାନେ ଦିଅଁଙ୍କୁ ଉପବାସ ରଖିଥିଲେ। ଅଗଣିତ ଶ୍ରଦ୍ଧାଳୁ ଦିଅଁଙ୍କ ପ୍ରତି ହେଉଥିବା ଏଭଳି ଅବ୍ୟବସ୍ଥା ନେଇ ବ୍ୟଥିତ ହେବା ସହ ପ୍ରଶାସନର ପାରିଲାପଣିଆ ନେଇ ପ୍ରଶ୍ନ ଉଠାଇଥିଲେ। ଶେଷରେ ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣାଙ୍କ ହସ୍ତକ୍ଷେପ ପରେ ଅଚଳାବସ୍ଥା ଦୂର ହୋଇଛି । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବୁଧବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘଟଣାରେ ହସ୍ତକ୍ଷେପ କରି ନୀତିକାନ୍ତି ସ୍ବାଭାବିକ କରିବାକୁ ଉଚ୍ଚସ୍ତରୀୟ ବୈଠକ କରି ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଦେବୋତ୍ତର ଆୟୁକ୍ତ ଲଲାଟେନ୍ଦୁ ଜେନା, ସହକାରୀ ଦେବୋତ୍ତର ଆୟୁକ୍ତ ଶିଶିର କୁମାର ସାହୁ, ଆଇନ ବିଭାଗର ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକ, ଅତିରିକ୍ତ ଆଇନ ସଚିବ, ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି, ଜୋନ୍‌ ଏସିପି କୃଷ୍ଣଚନ୍ଦ୍ର ପଲାଇ ଓ ତିନି ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ଡକାଯାଇଥିଲା। ତେବେ ବୈଠକରେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ସେବାୟତ ଯୋଗ ଦେଇ ନ ଥିଲେ। ମନ୍ତ୍ରୀଙ୍କ ନିର୍ଦେଶ ପରେ ଜିଲାପାଳ ଟ୍ରଷ୍ଟବୋର୍ଡ ବୈଠକ ଡାକିଥିଲେ। ସର୍କିଟ ହାଉସରେ ବୈଠକ ବସିଥିଲା। ବୈଠକରେ ଟ୍ରଷ୍ଟବୋର୍ଡ ସଦସ୍ୟ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡୁନିଯୋଗ ସଭାପତି ଅଞ୍ଚଳ ବଡୁ ଓ ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ପୂଜାପଣ୍ଡା, ଆଇନଜୀବୀ ମାନସ ମହାପାତ୍ର, ଏସିପି ଶ୍ରୀ ପଲାଇ, ଭୁବନେଶ୍ବର ତହସିଲଦାର ମୃତ୍ୟୁଞ୍ଜୟ ମହାପାତ୍ର, ବିଏମ୍‌ସି ଅତିରିକ୍ତ ଆୟୁକ୍ତ ଶୁଭେନ୍ଦୁ ସାହୁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ଦେବୋତ୍ତର ଆୟୁକ୍ତ ଶ୍ରୀ ସାହୁ ବୈଠକରେ ଉପସ୍ଥିତ ରହି ଦିଅଁଙ୍କ ନୀତିକାନ୍ତି କିପରି ସ୍ବାଭାବିକ ହୋଇପାରିବ ସେ ଦିଗରେ ଟ୍ରଷ୍ଟବୋର୍ଡକୁ ପରାମର୍ଶ ଦେଇଥିଲେ। ଟ୍ରଷ୍ଟବୋର୍ଡ ସଭାପତି ଦିଅଁଙ୍କ ନୀତି ବନ୍ଦ ସମ୍ପର୍କରେ ସମସ୍ତ ସଦସ୍ୟଙ୍କ ସହ ଆଲୋଚନା ପରେ ସେଦିନ ଦିଅଁଙ୍କ ସେବାରେ ନିୟୋଜିତ ପାଳିଆ ସେବାୟତଙ୍କ ଠାରୁ ୨୪ ଘଣ୍ଟା ଭିତରେ ରିପୋର୍ଟ ତଲବ କରିବାକୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ପାଳିଆ ସେବାୟତଙ୍କ ରିପୋର୍ଟ ଆଧାରରେ ତଦନ୍ତ ହୋଇ ବିଭ୍ରାଟ କରୁଥିବା ସେବାୟତଙ୍କ ବିରୋଧରେ ଟ୍ରଷ୍ଟବୋର୍ଡର କ୍ଷମତା ଆଧାରରେ ସମ୍ପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ୨୪ ଘଣ୍ଟା ଭିତରେ ଦେବାକୁ କୁହାଯିବ। ସମ୍ପୃକ୍ତ ସେବାୟତ ସନ୍ତୋଷଜନକ ଉତ୍ତର ନଦେଲେ ଟ୍ରଷ୍ଟବୋର୍ଡ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ୩୨ ଧାରାରେ ଦୋଷୀସାବ୍ୟସ୍ତ ସେବାୟତଙ୍କୁ ସେବାପୂଜାରୁ ଅନ୍ତର କରିବା ସହ ୬୮ଧାରାରେ ସେବାପୂଜା ପାଇଁ ଦିଅଁଙ୍କ ଜମିକୁ ଭୋଗଦଖଲ କରୁଥିବା ସମ୍ପୃକ୍ତ ସେବାୟତଙ୍କ ଠାରୁ ଛଡ଼ାଇ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ଦେବୋତ୍ତର ଆୟୁକ୍ତଙ୍କୁ ଅନୁରୋଧ କରିବ । ଏହାବ୍ୟତୀତ ମନ୍ଦିର ପ୍ରଶାସନ ଦୈନନ୍ଦିନ ଦିଅଁଙ୍କ ନୀତିକାନ୍ତି ତଦାରଖ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ପାଳିଆ ସେବାୟତଙ୍କ ପାଳି ସମ୍ପର୍କରେ ବୋର୍ଡରେ ସମସ୍ତଙ୍କ ପାଇଁ ସାର୍ବଜନୀନ କରାଯିବ। ଏହାସହିତ ମନ୍ଦିର କାର୍ଯ୍ୟାଳୟ ଓ ଶାଖା କାର୍ଯ୍ୟାଳୟରେ ସେବାପୂଜା ଲିପିବଦ୍ଧ ହୋଇ ରଖାଯିବ। ଏଭଳି ନିଷ୍ପତ୍ତିକୁ ଟ୍ରଷ୍ଟବୋର୍ଡର ସଦସ୍ୟ ଗ୍ରହଣ କରିବା ସହ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ କରିବାକୁ ନିଯୋଗର ସେବାୟତମାନେ ସହମତି ପ୍ରକାଶ କରିବା ପରେ ଦିଅଁଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଥିଲା।

kalyan agarbati

Comments are closed.