ସ୍ୱିସ୍‍ ବ୍ୟାଙ୍କର ସବୁ ଟଙ୍କା କଳା ନୁହେଁ: ପୀୟୂଷ ଗୋୟଲ୍‍

0

ନୂଆଦିଲ୍ଲୀ: ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଥିବା ସମସ୍ତ ଟଙ୍କାକୁ କଳାଧନ କୁହାଯାଇପାରିବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲ ଏହି ମତ ଦେଇଛନ୍ତି। ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ୫୦% ବୃଦ୍ଧି ପାଇଛି ବୋଲି ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କୁ ପୁଣି ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହି ପରିପ୍ରେକ୍ଷୀରେ ଗୋୟଲଙ୍କ ମନ୍ତବ୍ୟ ଆଲୋଚନାକୁ ଆହୁରି ଉଷ୍ମ କରିଛି।
କଳା ଧନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଶ୍ରୀ ଗୋୟଲ କହିଛନ୍ତି ଯେ ଦ୍ୱୈତ ଟିକସ ସୂଚନା ହସ୍ତାନ୍ତର ପାଇଁ ଭାରତ ସରକାର ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ସହିତ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଆଧାରରେ ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ସମ୍ପର୍କିତ ସମସ୍ତ ତଥ୍ୟ ଭାରତ ସରକାରଙ୍କ ହସ୍ତଗତ ହେବ। ଯେଉଁମାନେ ଅନୈତିକ ଭାବେ ଜମା ରଖିଥିବା ବା ଟିକସ ଖିଲାପ କରିଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଚିଦମ୍ବରମ୍‍ ଦାୟୀ?
କଳାଟଙ୍କା ପ୍ରସଙ୍ଗରେ ଶ୍ରୀ ଗୋୟଲ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ଚିଦମ୍ବରମ୍‍ଙ୍କ ଉପରେ ଆରୋପ ଲଗାଇଛନ୍ତି। ଚିଦମ୍ବରମ୍‍ଙ୍କ ଅମଳରେ ଟଙ୍କା ପ୍ରେରଣ ନୀତି କୋହଳ ହୋଇଥିବାରୁ ବିଦେଶର ବିଭିନ୍ନ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ୪୦% ବୃଦ୍ଧି ପାଇଥିଲା ବୋଲି ପୀୟୂଷ ଗୋୟଲ କହିଛନ୍ତି।

ରାହୁଲ୍‍ ଗାନ୍ଧି:

୨୦୧୪ରେ ମୋଦି କହିଥିଲେ ବିଦେଶର ବିଭିନ୍ନ ବ୍ୟାଙ୍କରେ ଗଚ୍ଛିତ ସମସ୍ତ କଳାଟଙ୍କା ଭାରତ ଫେରାଇ ଅଣାଯିବ। ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରାଯିବ। ୨୦୧୬ରେ ପୁଣି ମୋଦି କହିଲେ ବିମୁଦ୍ରାକରଣ ଦେଶର କଳାଟଙ୍କା କାରବାରକୁ ରୋକିବ। ୨୦୧୮ରେ କହୁଛନ୍ତି ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟମାନେ ଜମା କରିଥିବା ଟଙ୍କା ଅନୈତିକ ନୁହେଁ।

ଆରପିଏନ୍‍ ସିଂହ:

ଡ. ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱ ଅମଳରେ ବିଦେଶରେ କଳାଧନ ଜମା ପରିମାଣ ହ୍ରାସ ପାଇଥିଲା। କିନ୍ତୁ ୨୦୦୪ ପରଠାରୁ ଏଥିରେ ୫୦.୨% ବୃଦ୍ଧି ଘଟିଛି। ଦେଶରୁ ଦୁର୍ନୀତି ଲୋପ କରିବା ଓ କଳାଧନ ଫେରାଇ ଆଣିବା ପାଇଁ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା?

prayash

ସୀତାରାମ ୟେଚୁରୀ:

ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ କଳାଟଙ୍କା ଜମା ପରିମାଣ ବୃଦ୍ଧି ପାଇଛି। ଅପରପକ୍ଷରେ କେନ୍ଦ୍ର ସରକାର ବହୁ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ସାଧାରଣ ଜନତାଙ୍କ କୋଟି କୋଟି ଟଙ୍କା ଠକି ନେଇଥିବା ଶିଳ୍ପପତିଙ୍କୁ ଦେଶ ବାହାରକୁ ଚାଲିଯିବାରେ ମୋଦି ସରକାର ସହାୟତା କରିଛନ୍ତି।

ମମତା ବାନାର୍ଜୀ:

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ କ୍ଷତିରେ ଚାଲୁଥିବା ବେଳେ ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ବଢ଼ିଲା କେମିିତି? ୨୦୧୭ ଜୁଲାଇ ୧ ତାରିଖରେ ଆଇସିଏଆଇର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ କଳାଟଙ୍କା ଜମା ପରିମାଣ ୪୫% ହ୍ରାସ ପାଇଛି। କିନ୍ତୁ ଏବେ ଜମା ରାଶି ୫୦% ବଢ଼ିଥିବା ଜଣାପଡ଼ିଛି।

ଅରୁଣ ଜେଟ୍‍ଲୀ:

ଭାରତୀୟମାନେ ବିଭିନ୍ନ ଉଦ୍ଦେଶ୍ୟରେ ବିଦେଶୀ ବ୍ୟାଙ୍କରେ ଜମା ରଖୁଛନ୍ତି। ସିବିଡିଟିର ତଦନ୍ତରୁ ମଧ୍ୟ ଏହା ଜଣାପଡ଼ିଛି। ବହୁ ପ୍ରବାସୀ ଭାରତୀୟ ଓ ବିଦେଶରେ ରହୁଥିବା ଭାରତୀୟମାନେ ଟଙ୍କା ସ୍ଥାନାନ୍ତର ଆଇନ୍‍ ଅନୁଯାୟୀ ବିଦେଶୀ ବ୍ୟାଙ୍କରେ ଟଙ୍କା ଜମା ରଖୁଛନ୍ତି। ତେଣୁ ତାହାକୁ ଅବୈଧ କୁହାଯାଇପାରିବ ନାହିଁ।

Leave A Reply