bjd gruha runa

ସିଏଜିଦ୍ବାରା ଜାଲ କୋଭିଡ୍‌ କ୍ଷତିପୂରଣ ଦାବିର ତଦନ୍ତ ପ୍ରସ୍ତାବ

BJD Bijuli 480×75 Mob

ନୂଆଦିଲ୍ଲୀ,୧୫ା୩: କରୋନା ମହାମାରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏହାକୁ ହାତେଇବା ଲାଗି ବ୍ୟାପକ ଜାଲିଆତି ହେଉଥିବା ଅଭିଯୋଗ ହୋଇଛି। କୋଭିଡ କ୍ଷତିପୂରଣ ପାଇବା ଲାଗି ଜାଲ ଡାକ୍ତରୀ ପ୍ରମାଣପତ୍ର ବ୍ୟବହାର କରାଯାଉଥିବା ଜାଣିବା ପରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି ଏହି ଘଟଣାର ସିଏଜି ସ୍ତରର ଅଧିକାରୀ କିମ୍ବା ସ୍ବାଧୀନ ଏଜେନ୍ସି ଦ୍ବାରା ଉଚ୍ଚସ୍ତରୀର ତଦନ୍ତ ନିର୍ଦେଶ ଦେବାକୁ ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି।

ବିଚାରପତି ଏମଆର ଶାହା ଓ ବିଭି ନାଗରତ୍ନାଙ୍କୁ ନେଇ ଗଠିତ ପୀଠ କହିଛନ୍ତି ଯେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ନିର୍ଦେଶର ଅପବ୍ୟବହାର ହେବାକୁ ଦେବେ ନାହିଁ। କୌଣସି ଅଯୋଗ୍ୟ ହିତାଧିକାରୀଙ୍କୁ ଯଦି କ୍ଷତିପୂରଣ ନେଇ ସରକାରୀ ଅଧିକାରୀ ସହଯୋଗ କରିଥାନ୍ତି ତେବେ ଏହାର ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ କରାଯିବ। କାରଣ ଏହା ଏକ ଗୁରୁତ୍ବପୂର୍ଣ୍ଣ କଥା। ଅଯୋଗ୍ୟ ହିତାଧିକାରୀ କ୍ଷତିପୂରଣ ହାତେଇଥିବା ଦ୍ବାରା ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେବେ। କୋଭିଡ କ୍ଷତିପୂରଣ ଦାବି ପାଇଁ ଜାଲ୍‌ କାଗଜପତ୍ର ବ୍ୟବହାର କରାଯାଉଥିବା ସମ୍ପର୍କରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୂଚନା ଦେଇଛନ୍ତି। ମେହେଟ୍ଟା କହିଛନ୍ତି ଯେ କ୍ଷତିପୂରଣ ପାଇବା ଲାଗି ଆରଟି-ପିସିଆର ପଜିଟିଭ୍ ରିପୋର୍ଟ ସହିତ କୋଭିଡ୍-୧୯ ଚିକିତ୍ସାର ଏକ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ତେବେ କେତେକ ରାଜ୍ୟରେ ଡାକ୍ତରମାନେ କୋଭିଡ ଚିକିତ୍ସା ସମ୍ପର୍କରେ ଜାଲ୍ ପ୍ରେସ୍‌କ୍ରିପ୍‌ସନ ପ୍ରଦାନ କରୁଥିବା ଜାଣିବାକୁ ମିଳିଛି। ମେହେଟ୍ଟାଙ୍କ ଯୁକ୍ତି ଶୁଣିବା ପରେ ଜାଲ୍‌ କୋଭିଡ୍‌ କ୍ଷତିପୂରଣ ଦାବିକୁ ରୋକିବା ଲାଗି କି ପ୍ରକାର ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ପ୍ରସ୍ତାବ ଲୋଡିଥିଲେ।

ମହାରାଷ୍ଟ୍ରରେ ୧,୪୩, ୭୦୬ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବାବେଳେ କରୋନା କ୍ଷତିପୂରଣ ଆବେଦନ ସଂଖ୍ୟା ୨,୪୧,୦୦୦ରୁ ଅଧିକ ରହିଛି। କେତେକ ରାଜ୍ୟରେ ୪୦ହଜାର କରୋନାରେ ପ୍ରାଣ ହରାଇଥିବାବେଳେ କରୋନା ମୃତ୍ୟୁ କ୍ଷତିପୂରଣ ଦାବି ସଂଖ୍ୟା ୨ଲକ୍ଷରେ ପହଞ୍ଚିଛି। ମହାରାଷ୍ଟ୍ର ସରକାର ନିକଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ୨ଲକ୍ଷ ୪୧ ହଜାର କୋଡିଭ୍‌ କ୍ଷତିପୂରଣ ଆବେଦନ ମଧ୍ୟରୁ ୬୮ହଜାର ଆବେଦନକୁ ଅଗ୍ରାହ୍ୟ କରିଦିଆଯାଇଛି। କରୋନା ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଲାଗି ଗତବର୍ଷ ଜୁନ୍‌ ୩୦ରେ ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଓକିଲ ଗୌରବ କୁମାର ବଂଶଲ ଓ ଅନ୍ୟ ଜଣେ ଓକିଲଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ବିଚାର କରି ଏହି ନିର୍ଦେଶ ଦେଇଥିଲେ। ଶୀର୍ଷ ଅଦାଲତଙ୍କ ନିର୍ଦେଶ ଆଧାରରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିଜର ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଏହି କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ।

Comments are closed.