ଭୁବନେଶ୍ଵରରେ ମେ ୨୧ଓ କଟକରେ ମେ ୨୨ମଧ୍ୟାହ୍ନ ୧୧.୪୩ ରେ ଶୂନ୍ୟ ଛାୟା
ଶୂନ୍ୟ ଛାୟା ଦିବସ
ଭୁବନେଶ୍ବର: କଥାରେ ଅଛି ଛାଇ ଆମର ଭାଇ କେବେ ଆମର ପିଛା ଛାଡଇ ନାହିଁ । ପିଲାଟି ଦିନରୁ ଶୁଣି ଆସିଥିବା ଏହି କଥାଟିର ଅର୍ଥ ହେଲା ଛାଇ ସଦାବେଳେ ଆମ ସାଙ୍ଗରେ ରହିଥାଏ । ସମସ୍ତେ ବିପଦ ଆପଦରେ ସଙ୍ଗ ଛାଡିଲେବି ଛାଇ କେବେବି ଆମକୁ ଛାଡିବ ନାହିଁ । ଯେତେବେଳ ଯାଏଁ ଆମେ ଖରାରେ ବା ଆଲୋକରେ ଥିବା ସେଯାଏଁ ଛାଇ ଆମ ପିଛା ଛାଡିବ ନାହିଁ । କିନ୍ତୁ ମଜାର କଥା ହେଲା ଯେ ଏହି ଉକ୍ତିଟି ଠିକ ନୁହେଁ ବୋଲି ଜ୍ୟୋତିର୍ବିଜ୍ଞାନୀ କୁହନ୍ତି। ବର୍ଷରେ ଏପରି ଦୁଇଟି ଦିନ ଅଛି ଯେବେ ଦିନ ଦୁଇ ପହର ରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଆମର ପିଛା ଛାଡିଦିଏ ଅର୍ଥାତ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ । ଏହାର କାରଣ ବର୍ଷର ସେହି ଦୁଇଟି ଦିନ ମଧ୍ୟାହ୍ନରେ ସୂର୍ୟ୍ୟ ଆମର ଠିକ ମୁଣ୍ଡ ଉପରେ ରହେ ଓ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ । ଏହି ଘଟଣାକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ରୂପେ ନାମିତ କରିଛନ୍ତି । ଆସନ୍ତୁ ଜାଣିବା ଏପରି କାହିଁକି ଘଟେ ଓ ଏପରି ନାମକରଣ କରିବାର ଯଥାର୍ଥତା କଣ ରହିଛି ।
ଆମେ ସବୁଦିନ ଦେଖୁ ଯେ ସୂର୍ୟ୍ୟ ସବୁବେଳେ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାଏ । ସେ ସମୟରେ ଆମେ ବାହାରକୁ ଗଲେ ସବୁବେଳେ ସୂର୍ୟ୍ୟର ବିପରୀତ ଦିଗରେ ଆମର ଏକ ଛାଇ ସୃଷ୍ଟି ହୋଇଥାଏ ଯେତେବେଳ ଯାଏଁ ସୂର୍ୟ୍ୟ ଆଲୋକ ଥାଏ ସେତେବେଳଯାଏଁ ଛାଇ ରହିଥାଏ । ସୂର୍ୟ୍ୟ ଦିଗବଳୟର ଯେତେ ନିକଟରେ ଥାଏ ଛାଇର ଲମ୍ବ ସେତେ ଅଧିକ ହୋଇଥାଏ ଓ ସୂର୍ୟ୍ୟ ମୁଣ୍ଡଉପରକୁ ଆସିଗଲେ ଛାଇଟି ଖୁବ ଛୋଟ ହୋଇଯାଏ । କିନ୍ତୁ କେବେବି ଏହା ପୁରା ଉଭେଇ ଯାଏ ନାହିଁ । ପ୍ରକୃତରେ ସୂର୍ୟ୍ୟ ସବୁଦିନ ଠିକପୂର୍ବ ଦିଗରେ ଉଦୟ ହୁଏ ନ।ହିଁ କି ସବୁଦିନ ଠିକ ପଶ୍ଚିମ ରେ ଅସ୍ତ ଯାଏନାହିଁ । ବର୍ଷରେ କେବଳ ଦୁଇଟି ଦିନ ସୂର୍ୟ୍ୟ ପ୍ରକୃତ ପୂର୍ବ ଦିଗରେ ଉଦୟ ହୁଏ ଓ ମଧ୍ୟାହ୍ନରେ ଆମର ଠିକ ମୁଣ୍ଡ ଉପରେ ରହେ ଓ ସେ ସମୟରେ ଆମର ଛାଇ ଦେଖାଯାଏ ନାହିଁ।
ପୃଥିବୀ ନିଜ କକ୍ଷ ପଥ ସହ ୨୩.୫ ଡିଗ୍ରୀ ଢଳି ରହିଛି ଫଳରେ ସୂର୍ୟ୍ୟ ସବୁଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଏକା ଯାଗାରେ ଅସ୍ତ ଯାଏ ନାହିଁ ।୨୧ ମାର୍ଚ୍ଚ ଠାରୁ ସୂର୍ୟ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତିକରି ୨୧ ଜୁନ ଦିନ ଉତ୍ତର ଦିଗର ସବୁଠାରୁ ଦୂରକୁ ଚାଲିଯାଏ ଓ ସେଠାରୁ ପୁଣି ଦକ୍ଷିଣ କୁ ଫେରିବାରେ ଲାଗେ । ୨୧ ସେପ୍ଟେମ୍ବର ଦିନ ବିଷୁବରେଖା ଉପର ଦେଇ ୨୧ ଡିସେମ୍ବର ଦିନ ଦକ୍ଷିଣ ର ଶେଷ ବିନ୍ଦୁ ମକର କ୍ରାନ୍ତି ରେ ଆସି ପହଞ୍ଚି ଥାଏ । ପୁଣି ତା ପର ଦିନଠାରୁ ସୂର୍ୟ୍ୟ ର ଉତ୍ତର ଦିଗକୁ ଗତି ଆରମ୍ଭ ହୁଏ । ଏହି ପ୍ରକ୍ରିୟା ଅନବରତ ଚାଲୁ ରହିଛି ।ସୂର୍ୟ୍ୟ ପ୍ରତ୍ୟେକ ବର୍ଷ ଜୁନ ମାସ ୨୧ ତାରିଖରେ ଉତ୍ତର ଗୋଲାର୍ଦ୍ଧ ର ୨୩.୫ ଡିଗ୍ରୀ ରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ ଓ ସେହିଠାରୁ ଦକ୍ଷିଣ ଦିଗକୁ ଗତି କରି ଥାଏ ଯାହାକୁ ଆମେ ସୂର୍ୟ୍ୟ ର ଦକ୍ଷିଣାୟଣ ଗତି କହିଥାଉ । ଏହିପରି ଦକ୍ଷିଣ ଦିଗକୁ ଢଳି ଢଳି ୨୨ ଡିସେମ୍ବର ଦିନ ବିଷୁବ ରେଖା ଠାରୁ ୨୩.୫ ଡିଗ୍ରୀ ଦକ୍ଷିଣ ରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ । ସେହିଦିନ ସେହି ଅଞ୍ଚଳଗୁଡିକରେ ମଧ୍ୟାହ୍ନ ସମୟରେ ସୂର୍ୟ୍ୟ ସିଧା ସଳଖ ମୁଣ୍ଡ ଉପରେ ରହିଥାଏ ଫଳରେ ସେଠାରେ “ଶୂନ୍ୟ ଛାୟା” ଘଟିଥାଏ ।
ତେଣୁ କନ୍ୟାକୁମାରୀ ଠାରୁ ଭାରତର ମଧ୍ୟ ଭାଗରେ ଥିବା କର୍କଟ କ୍ରାନ୍ତି ମଧ୍ୟରେ ଥିବା ସବୁ ଅଞ୍ଚଳ ରେ ଏପ୍ରିଲ ରୁ ଜୁନ ଓ ଜୁନ ରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଘଟଣାଟି ଦେଖାଯାଏ ।ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ର ପାତିର ଆବଶ୍ୟକ ନାହିଁ । ଏକ ସମତଳ ଜାଗାରେ ଖୁଣ୍ଟ, ଚାରିକୋଣିଆ ବାକ୍ସ,ବୋତଲ, ଇଟା,ଭଳି କିଛି ଜିନିଷ ଖରା ପଡୁଥିବା ସ୍ଥାନରେ ଲମ୍ବ ଭାବରେ ରଖନ୍ତୁ ଓ ନିର୍ଦ୍ଧାରିତ ତାରିଖ ଦିନ ମଧ୍ୟାହ୍ନର କିଛି ସମୟ ପୂର୍ବ ରୁ ଲକ୍ଷ କରନ୍ତୁ କିପରି ବସ୍ତୁ ଟିର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇଯାଉଛି ଓ ପରେ ପୁଣି କିଛି ସମୟ ପରେ ଧୀରେ ଧୀରେ ଦେଖାଯାଉଛି। ଆସନ୍ତୁ ସମସ୍ତେ ଏହି ସୁନ୍ଦର ଦୃଶ୍ୟ କୁ ଉପଭୋଗ କରିବା ସହ ଏହାପଛରେ ରହିଥିବା କାରଣଗୁଡିକ ଜାଣିବା ସହ ଆମ ସମାଜରେ ବୌଜ୍ଞାନିକ ମନୋବୃତି, ବୌଜ୍ଞାନିକ ଅନୁଚିନ୍ତା ଓ ଭିନ୍ନ ଚିନ୍ତାଧାରାର ପ୍ରସାରରେ ସହାୟକ ହେବା ବୋଲି ଭୁବନେଶ୍ଵର ପଠାଣି ସାମନ୍ତ ପ୍ଲାନେଟାରିୟମ ପୂର୍ବତନ ନିର୍ଦ୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସ୍ଥାନ | ତାରିଖ | ସମୟ | ତାରିଖ | ସମୟ |
ଭୁବନେଶ୍ବର | ମେ ୨୧ | ୧୧:୪୩ | ଜୁଲାଇ ୨୨ | ୧୧:୫୩ |
କଟକ | ମେ ୨୨ | ୧୧:୪୩ | ଜୁଲାଇ ୨୨ | ୧୧:୫୩ |
ବୁର୍ଲା | ମେ ୨୮ | ୧୧:୫୨ | ଜୁଲାଇ୧୫ | ୧୧:୫୬ |
ରାଉରକେଲା | ଜୁନ୍ ୨ | ୧୧:୫୮ | ଜୁଲାଇ ୧୦ | ୧୧:୫୬ |
ବଲାଙ୍ଗିର୍ | ମେ ୨୩ | ୧୧:୫୪ | ଜୁଲାଇ ୨୦ | ୧୧:୪୯ |
ବାରିପଦା | ମେ ୩୧ | ୧୧:୪୧ | ଜୁଲାଇ ୧୨ | ୧୧:୪୯ |
Comments are closed.