ସୂର୍ଯ୍ୟରେ ସବୁଠୁ ବଡ଼ ବିସ୍ଫୋରଣ! ପୃଥିବୀ ପାଇଁ ରହିଛି ଏହି ବିପଦ

ସମାଜ ଡିଜିଟାଲ ଡେସ୍କ: ଏମିତି ଲାଗୁଛି ଯେପରି ସୂର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ଗତିବିଧି ଚରମ ସୀମାରେ ପହଞ୍ଚିଛି। ଗତ ମଙ୍ଗଳବାର ସୂର୍ଯ୍ୟଙ୍କଠାରୁ ଶକ୍ତିସମ୍ପନ୍ନ କଣିକାରେ ପରିପୂର୍ଣ୍ଣ ଆଉ ଏକ ଶକ୍ତିଶାଳୀ ଝଡ଼ ବାହାରିଛି। ଏହି କାରଣରୁ, ବର୍ତ୍ତମାନର ସୌର ଚକ୍ରର ସବୁଠାରୁ ଶକ୍ତିଶାଳୀ ସୌର ଶିଖା ପୃଥିବୀ ଆଡ଼କୁ ଗତି କରୁଛି। ଲାଇଭ ସାଇନ୍ସର ରିପୋର୍ଟ ଅନୁଯାୟୀ, ଏହି ସୌର ଶିଖା ଏକ୍ସ୮.୭ ବର୍ଗର, ଯାହା ନିକଟ ଅତୀତରେ ଆମ ଗ୍ରହ ସହ ଧକ୍କା ହୋଇଥିବା ସୌର ଶିଖାଠାରୁ ଅଧିକ ଶକ୍ତିଶାଳୀ। ଏହି ସୌର ଶିଖା କାରଣରୁ ପୃଥିବୀରେ ରେଡିଓ ବ୍ଲାକଆଉଟ୍ ଅର୍ଥାତ୍‌ ସାଟେଲାଇଟ୍‌ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି। ପୃଥିବୀର କେତେକ ସ୍ଥାନରେ, ବିଶେଷ କରି ଆମେରିକାରେ ଏହାର ପ୍ରଭାବ ଦେଖା ଦେଇପାରେ।

ଆମେରିକୀୟ ଏଜେନ୍ସି ନ୍ୟାସନାଲ ଓସେନିକ୍ ଆଣ୍ଡ୍‌ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍(ଏନଓଏଏ) କହିଛି ଯେ, ଏହି ଶିଖା କାରଣରୁ ପୃଥିବୀରେ କୌଣସି ଭୁଚୁମ୍ବକୀୟ ଝଡ଼ କିମ୍ବା ମେରୁ ଜ୍ୟୋତି ଦୃଶ୍ୟମାନ ହେବ ନାହିଁ। ଏ ସବୁ AR3664 ନାମକ ଏକ ସୂର୍ଯ୍ୟ ସ୍ପଟ୍‌ର ଫଳ। ଗତ କିଛି ଦିନ ହେବ ଏଥିରୁ ସୌର ଶିଖା ବାହାରୁଛି। ମେ’ ୧୦ ତାରିଖରେ ଏହି ସୂର୍ଯ୍ୟ ସ୍ପଟ୍‌ରୁ ଏକ୍ସ୫.୮ ବର୍ଗର ସୌର ଶିଖା ବାହାରିଥିଲା। ଗତ ମଙ୍ଗଳବାର ଏହି ସୂର୍ଯ୍ୟ ସ୍ପଟ୍‌ରୁ ଗୋଟିଏ ପରେ ଗୋଟିଏ କରି ୩ଟି ଏକ୍ସ ବର୍ଗର ସୌର ଶିଖା ବାହାରିଛି। ଏଥି ମଧ୍ୟରୁ ଏକ୍ସ୮.୭ ସବୁଠୁ ଅଧିକ ଶକ୍ତିଶାଳୀ। ସୂର୍ଯ୍ୟଙ୍କ ୧୧ ବର୍ଷର ସୌର ଚକ୍ରରେ ଏଭଳି ଶକ୍ତିସମ୍ପନ୍ନ ଶିଖା ବାହାରି ନାହିଁ ବୋଲି କୁହାଯାଇଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପୂର୍ବରୁ କହିଛି ଯେ, ସୂର୍ଯ୍ୟରେ ବାରମ୍ବାର ସୌର ବିସ୍ଫୋରଣ ହେବାର ସମ୍ଭାବନା ରହିଛି। ଏହି ବିସ୍ଫୋରଣ ୨୦୨୫ ମସିହା ପର୍ଯ୍ୟନ୍ତ ଜାରି ରହିବ। ଏହି କାରଣରୁ ସାଟେଲାଇଟ୍‌ ଏବଂ ମହାକାଶଚାରୀଙ୍କ ଉପରେ ପ୍ରଭାବ ପଡ଼ିପାରେ। ଏହା ହେଉଛି ସୌର ଚକ୍ର ୨୫, ଯାହା ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା।

ସୂର୍ଯ୍ୟଙ୍କଠାରୁ ଚୁମ୍ବକୀୟ ଶକ୍ତି ବାହାରିବାବେଳେ ସେଥିରୁ ବାହାରୁଥିବା ଆଲୋକ ଏବଂ କଣିକା ଦ୍ୱାରା ସୌର ଶିଖା ବା ସୋଲାର ଫ୍ଲେୟାର ସୃଷ୍ଟି ହୁଏ। ଆମର ସୌର ମଣ୍ଡଳରେ ଏହି ଶିଖା ଏପର୍ଯ୍ୟନ୍ତ ଦେଖାଯାଇଥିବା ସବୁଠାରୁ ଶକ୍ତିଶାଳୀ ବିସ୍ଫୋରଣ, ଯେଉଁଥିରେ କୋଟି କୋଟି ହାଇଡ୍ରୋଜେନ୍ ବୋମା ସମ ଶକ୍ତି ନିର୍ଗତ ହୋଇଥାଏ ଏବଂ ତା’ର ପ୍ରଭାବ ଦେଖାଇଥାଏ।

 

Comments are closed.