ଆନନ୍ଦପୁର: କେନ୍ଦୁଝର ଜିଲା ଆନନ୍ଦପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପ୍ରଚାର କରିଛନ୍ତି। ୩ୟ ପର୍ଯ୍ୟାୟରେ ଏଠାରେ ନିର୍ବାଚନ ହେବାକୁ ଥିବାବେଳେ ବିଜେଡି ପ୍ରାର୍ଥୀମାନଙ୍କ ଲାଗି ଭୋଟ ମାଗିବା ପାଇଁ ଦଳର ସୁପ୍ରିମୋ ଆଜି ଅଣାପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯେପରି କି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ), ମମତା ଯୋଜନା, ମେଧାବୃତ୍ତି , ମଧୁବାବୁ ପେନ୍ସନ, କାଳିଆ ଯୋଜନା, ମିଶନଶକ୍ତି, ଲକ୍ଷ୍ମୀ ବସ୍ ଯୋଜନା ଆଦି ଭଲ କି ବୋଲି ପଚାରି ବୁଝିଥିଲେ। ଶେଷରେ ନବୀନ ପଟ୍ଟନାୟକ ଏବଂ ଶଙ୍ଖ ଚିହ୍ନ ଭଲ କି ବୋଲି ନବୀନ ପଚାରିଥିଲେ। ଜନସାଧାରଣ ବି ଉତ୍ସାହ ଦେଖାଇ ନବୀନଙ୍କ ପ୍ରଶ୍ନର ଉତ୍ତରରେ ହଁ ଭରିଥିଲେ। ବିଜେଡି ପୁନର୍ବାର କ୍ଷମତାକୁ ଆସିଲେ ଆସନ୍ତା ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ। ବିଜୁ ଜନତା ଦଳ ସରକାର ବିଜୁଳି ମାଗଣାରେ ଦେବ, ଆପଣମାନେ ଖୁସି ତ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ।
ଏହା ପରେ ବିଜେଡି ନେତା ଭି.କେ. ପାଣ୍ଡିଆନ ଲୋକଙ୍କୁ ଉଦ୍ବୋଧନ ଦେଇଥିଲେ। ବିଜେଡି ପ୍ରତି ଲୋକଙ୍କ ଉତ୍ସାହ ଦେଖି ବିରୋଧୀଙ୍କ ନିଦ ଭାଙ୍ଗିଗଲା ବୋଲି ପାଣ୍ଡିଆନ କହିଥିଲେ। ଲୋକମାନେ ଏତେ ଖରାରେ ଦୂରରୁ ଆସିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ପୂର୍ବରୁ ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ସେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଥିଲେ। ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାକୁ ୧ ନମ୍ବର କରିବ ବୋଲି କହୁଛି। ବିଜେପି ପ୍ରଥମେ ନିଜ ରାଜ୍ୟଗୁଡ଼ିକୁ ୧ ନମ୍ବର କରୁ ବୋଲି ସେ ଆହ୍ୱାନ କରିଥିଲେ।



