ଇଚ୍ଛା ମୃତ୍ୟୁକୁ ବୈଧ କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ମରଣାସନ୍ନ ଜଣେ ବ୍ୟକ୍ତିଙ୍କୁ ଇଚ୍ଛା ମୃତ୍ୟୁର ଅଧିକାର ଦେଇଛନ୍ତି । ମରଣାସନ୍ନ ଶଯ୍ୟାଶାୟୀ ବ୍ୟକ୍ତି ଜଣଙ୍କ ଇଚ୍ଛା ମୃତ୍ୟୁ ଅଧିକାର ପାଇଁ ଲେଖିଥିବା ‘ଲିଭିଂ ୱିଲ୍’କୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ମରଣାସନ୍ନ ବ୍ୟକ୍ତିଙ୍କୁ ଜୀବନ ହାରିବାର ଅଧିକାର ମିଳିବ । କେବେ ଶେଷ ନିଶ୍ୱାସ ତ୍ୟାଗ କରିବେ ତାହା ମରଣାସନ୍ନ ବ୍ୟକ୍ତିଙ୍କ ଇଚ୍ଛା ଉପରେ ନିର୍ଭର କରିବ । ଲୋକଙ୍କୁ ସମ୍ମାନର ସହ ମରିବାର ପୂର୍ଣ୍ଣ ଅଧିକାର ରହିଛି ।

‘ଲିଭିଂ ୱିଲ୍’ ଏକ ଲିଖିତ ଦସ୍ତାବିଜ୍‌ ଯେଉଁଥିରେ ଜଣେ ରୋଗୀ ସ୍ୱଇଚ୍ଛାରେ ଉଲ୍ଲେଖ କରିଥାଏ ଯେ ସେ ମରଣାସନ୍ନ ସ୍ଥିତିରେ ପହଞ୍ଚିଲେ ବା ଆଉ ନିଜ ସ୍ୱୀକୃତି ଦେଇପାରୁନଥିବା ସ୍ଥିତିରେ ପହଞ୍ଚିଲେ ତାଙ୍କୁ କିପ୍ରକାର ଚିକିତ୍ସା ଦିଆଯିବ । ‘ପାସିଭ ୟୁଥେନେଶିଆ’ (ଇଚ୍ଛା ମୃତ୍ୟୁ) ଅନୁସାରେ କୌଣସି ବ୍ୟକ୍ତି ମୃତ୍ୟୁ ଆଡକୁ ଅଗ୍ରସର ହେଉଥିବାବେଳେ ତାଙ୍କ ଚିକିିତ୍ସା ବନ୍ଦ କରିଦିଆଯାଏ ।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ. ଏମ୍‌. ଖାନ୍‌ୱିଲକର, ଡି. ୱାଇ. ଚନ୍ଦ୍ରଚୂଡ, ଅଶୋକ ଭୂଷଣ, ଏବଂ ଏକେ ସିକ୍ରିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ବର୍ଷ ଅକ୍ଟୋବର ୧୧ରେ ଏହି ମାମମଲାର ବିଚାର କରି ନିଜ ରାୟକୁ ସୁରକ୍ଷିତ ରଖିଥିଲେ । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ଏହି ରାୟକୁ ଐତିହାସିକ କୁହାଯାଉଛି । ଏହାପରେ କୌଣସି ମରଣାସନ୍ନ ବ୍ୟକ୍ତି ନିଜ ଇଚ୍ଛାରେ ମରିପାରିବେ । ତେବେ ଇଚ୍ଛା ମୃତ୍ୟୁ ପାଇଁ ସୁପ୍ରିମକୋର୍ଟ କଡ଼ା ସର୍ତ୍ତ ରଖିଛନ୍ତି । ମେଡିକାଲ ବୋର୍ଡର ରିପୋର୍ଟ ଓ ମୃତ୍ୟୁ ପାଇଁ ଇଚ୍ଛା କରୁଥିବା ଲୋକଙ୍କ ସଂପର୍କୀୟଙ୍କ ମତାମତକୁ ବିଚାରକୁ ନିଆଯିବାକୁ ସର୍ତ୍ତରେ ଉଲ୍ଲେଖ ରହିଛି । ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ଇଚ୍ଛା ମୃତ୍ୟୁ ମାଗୁଥିବା ବ୍ୟକ୍ତିଙ୍କ ସଂପର୍କୀୟ ପ୍ରଥମେ ହାଇକୋର୍ଟରେ ଆବେଦନ କରିବେ । ଏହାପରେ ଏକ ମେଡିକାଲ ବୋର୍ଡ ଏହାର ଯାଞ୍ଚ କରି ରିପୋର୍ଟ ଦବେ । ଏହି ରିପୋର୍ଟ ଆଧାରରେ ପାସିଭ ୟୁଥେନେଶିଆ ପାଇଁ ଅନୁମତି ମିଳିବ ।

ସୂଚନାଯୋଗ୍ୟ ଯେ କମନ କଜ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯେ ସମ୍ବିଧାନର ଧାରା ୨୧ ଅନୁସାରେ ଯେପରି ଜଣେ ନାଗରିକଙ୍କୁ ବଞ୍ଚିବାର ଅଧିକାର ଦିଆଯାଉଛି, ସେହିପରି ମରିବାର ଅଧିକାର ଦିଆଯାଉ । ଏହା ଉପରେ କେନ୍ଦ୍ର ସରକାର ନିଜ ପକ୍ଷ ରଖି ଇଚ୍ଛା ମୃତ୍ୟୁ ‘ଲିଭିଂ ୱିଲ୍’ ଆତ୍ମହତ୍ୟା ଭଳି ହୋଇଥିବାରୁ ଏହାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଯୁକ୍ତି ବାଢିଥିଲେ । ମାତ୍ର ସୁପ୍ରିମକୋର୍ଟ ଆଜି ‘ଲିଭିଂ ୱିଲ୍’କୁ ସ୍ୱୀକୃତି ଦେଇଛନ୍ତି ।

Leave A Reply