BJD Bijuli 480×75 Mob

ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ମୃତ

BJD Bijuli 480×75 Mob
0

ସୁନ୍ଦରଗଡ଼ : ସୁନ୍ଦରଗଡ ସଦର ବନାଞ୍ଚଳ ଅଧିନସ୍ଥ ଜାମତଲିଆ ସେକ୍‍ସନର କଈସରା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମଙ୍ଗଳବାର ରାତି ପ୍ରାୟ ସାଢେ ବାରଟା ସମୟରେ ଯଦୁମଣି ଭୈଷାଲଙ୍କ ପତ୍ନୀ କିଆବତି ଭୈଷାଲ(୬୫)ନିଜ ଘରେ ଶୋଇଥିବା ସମୟରେ ଏକ ଦନ୍ତା ହାତୀ କିଆବତି ଓ ତାଙ୍କ ସ୍ୱାମୀ ଶୋଇଥିବା କୋଠରିର କାନ୍ଥ ଭାଙ୍ଗି ନିଜ ଶୁଣ୍ଢରେ କିଆବତିକୁ ଉଠାଇ କଚାଡି ମାରିଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ କୋଠରି ମାନଙ୍କରେ ଶୋଇଥିବା ପରିବାରର ଅନ୍ୟ ସଦସ୍ୟ ମାନେ ଶବ୍ଧ ଶୁଣି ସତର୍କ ହୋଇଯାଇଥିଲେ ଫଳରେ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିଲା। ରାତିରେ ହିଁ ବନ କର୍ମଚାରୀ ମାନେ ଖବର ପାଇଥିଲେ ଏବଂ ସଙ୍ଗେ ସଙ୍ଗେ ସଦର ବନାଞ୍ଚଳ ଅଧିକାରୀ ରୁଣେନ୍ଦ୍ର କୁମାର ସ୍ୱାଇଁ, ଜାମତଲିଆ ବନପାଳ ମନୋଜ ନାଏକ, ସାଲେପାଲି ବନପାଳ ପଞ୍ଚନାରାୟଣ ସରାଫ, ବନରକ୍ଷୀ ସଂଜୀବ ବୁଡା ଓ ହାତୀ ଘଉଡାଇବା ପାଇଁ ରହିଥିବା ସ୍ୱତନ୍ତ୍ର ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ଦନ୍ତା ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇଥିଲେ। ଧିରେ ଧିରେ ଜଙ୍ଗଲ କମି କମି ଯାଉଥିବାରୁ ହାତୀ ମାନେ ଜନବସତି ମୁହା ହୋଇ ଏପରି ଘଟଣା ମାନ ଘଟୁଥିବା ବନ ଅଧିକାରୀ ମାନେ କହିଛନ୍ତି। ହାତୀ ମାନଙ୍କୁ ଜନବସତି ଠାରୁ ଦୂରରେ ରଖିବା ପାଇଁ ବନ କର୍ମଚାରୀ ମାନେ ସର୍ବଦା ଚେଷ୍ଟିତ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି। ଘଟଣା ଘଟିବାପରେ ବୁଧବାର ବନ ବିଭାଗ ତରଫରୁ ମୃତକଙ୍କ ପରିବାରକୁ ଶୁଦ୍ଧିକ୍ରୀଆ ପାଇଁ ମୃତକଙ୍କ ପୁତ୍ର ହାରାଚାନ୍ଦ ଭୋଷାଲଙ୍କୁ ତୁରନ୍ତ ଅଗ୍ରିମ ରାଶି ପାଞ୍ଚ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସରକାରୀ ନିୟମ ଅନୁସାରେ ଅବଶିଷ୍ଟ ୩ ଲକ୍ଷ ୯୫ ହଜାର ଟଙ୍କା ଅନୁକମ୍ପା ରାଶି ଓ ଘର ମରାମତି ପାଇଁ ମଧ୍ୟ ଯଥାଚିତ ରାଶି ଯୋଗାଇ ଦିଆଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply