କର୍ମନିଯୁକ୍ତି ସମ୍ପର୍କରେ ସର୍ଭେ କରିବେ ସରକାର

0

ନୂଆଦିଲ୍ଲୀ : ବର୍ଷକୁ ୨କୋଟି କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ସରକାରଙ୍କ ଏହି ବ୍ୟର୍ଥତା ବିରୋଧୀଙ୍କ ପାଇଁ ଏକ ପ୍ରମୁଖ ଅସ୍ତ୍ର ହୋଇଛି। ବିରୋଧୀଙ୍କ ମୁକାବିଲା ପାଇଁ ସରକାର ଇପିଏଫ୍‍ଓ ତଥ୍ୟକୁ ଭରସା କରୁଛନ୍ତି; କିନ୍ତୁ ଏଥିରେ ସଫଳ ହେଉ ନାହାନ୍ତି। ଏହି ପରିପ୍ରେକ୍ଷୀରେ ବିରୋଧୀଙ୍କ ସମାଲୋଚନାକୁ ପ୍ରତିହତ କରିବା ପାଇଁ ଏବେ ଏକ ନୂଆ ପନ୍ଥା ଗ୍ରହଣ କରିଛନ୍ତି। ଅନୌପଚାରିକ କ୍ଷେତ୍ରରେ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ସେ ସମ୍ପର୍କରେ ସର୍ଭେ କରାଯାଉଛି। ୨୦୧୯ ନିର୍ବାଚନ ପୂର୍ବରୁ ଏ ସର୍ଭେ ଶେଷ କରି ବିରୋଧୀଙ୍କୁ ଜବାବ ଦେବାକୁ ସରକାର ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

prayash

ସୂଚନାନୁଯାୟୀ, ଶ୍ରମ ମନ୍ତ୍ରଣାଳୟକୁ ପ୍ରତି ତିନି ମାସରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ଏଥିରେ ଆୟକର ଦେଉ ନଥିବା ୧୦ଜଣରୁ କମ୍‍ କର୍ମଚାରୀ ନିଯୁକ୍ତ ହୋଇଥିବା ସଂସ୍ଥାକୁ ସାମିଲ କରାଯିବା ସହ ଏହାକୁ ଆତ୍ମନିଯୁକ୍ତି ସୁଯୋଗ ବୋଲି ଦର୍ଶାଯାଉଛି। ଦେଶର ୯୦ପ୍ରତିଶତ କର୍ମନିଯୁକ୍ତି ଅନୌପଚାରିକ କ୍ଷେତ୍ରରେ ହୋଇଥିବା ଏଥିରେ ଉଲ୍ଲେଖ ରହୁଛି। ସେଣ୍ଟର ଫର ଇଣ୍ଡିଆନ୍‍ ଇକୋନମି ଦ୍ୱାରା ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ, ଦେଶରେ ବେକାରୀ ସଂଖ୍ୟା ଗତ ନ’ମାସ ମଧ୍ୟରେ ସର୍ବାଧିକ ବୃଦ୍ଧି ପାଇଛି। ଏହା ଉପରୋକ୍ତ ସମୟ ମଧ୍ୟରେ ୬.୨୩ ପ୍ରତିଶତ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୪୦୬ନିୟୁତ ନିଯୁକ୍ତି ହ୍ରାସ ପାଇଛି। ଏହି ପରିପ୍ରେକ୍ଷୀରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଶ୍ରମ ଆଇନକୁ କୋହଳ କରି ଏହା ଦ୍ୱାରା ଘରୋଇ କମ୍ପାନୀଙ୍କୁ ଅଧିକ ଠିକା କର୍ମଚାରୀ ନିଯୁକ୍ତି ଦେବାର ବାଟ ତିଆରି କରୁଛନ୍ତି। ପୂର୍ବରୁ କମ୍ପାନୀମାନଙ୍କୁ ସର୍ବନିମ୍ନ ୨୦କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିରେ ଯୋଗଦାନକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଏବେ ଏହି ସଂଖ୍ୟାକୁ ୧୦ ପର୍ଯ୍ୟନ୍ତ ହ୍ରାସ କରାଯାଇଛି; ଅର୍ଥାତ୍‍ ୧୦ଜଣ ବା ଅଧିକ କର୍ମଚାରୀଙ୍କୁ ନେଇ କମ୍ପାନୀମାନେ ଭବିଷ୍ୟନିଧି ପାଣ୍ଠିରେ ଏକାଉଣ୍ଟ ଖୋଲିପାରିବେ ବୋଲି ସରକାର ନିୟମ କରିଛନ୍ତି। ଏହାଦ୍ୱାରା ବାସ୍ତବ ନିଯୁକ୍ତି ସମ୍ପର୍କିତ ତଥ୍ୟ ମିଳିବ ବୋଲି ଆଶା ରଖିଛନ୍ତି ସରକାର।

Leave A Reply