ପ୍ରମୁଖ ଶାସନ ସଚିବ ତଥା ଜିଏସଟି କମିଶନରଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା

କେନ୍ଦୁଝରଗଡ : ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଜିଏସଟି କମିଶନର ସଞ୍ଜୟ କୁମାର ସିଂହ ତିନିଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ତଦାରଖ ସହ ସମୀକ୍ଷା କରିଛନ୍ତି । ବୁଧବାର ଯୋଡା ଓ ବଡ଼ବିଲ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ସମୀକ୍ଷା ପରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେବା ସହ କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ସମୀକ୍ଷା ବୈଠକ ପରେ କେନ୍ଦୁଝର ସଦର ଉପଖଣ୍ଡ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଗସ୍ତ କରି ସେଠାରେ ଓପିଟିସିଏଲ୍ ଆନୁକୂଲ୍ୟରେ ନିର୍ମାଣାଧିନ ଗ୍ରିଡ୍ ସବଷ୍ଟେସନର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଗ୍ରିଡ୍ ସବଷ୍ଟେସନ ନିର୍ମାଣରେ ଅହେତୁକ ବିଳମ୍ବ ପାଇଁ କ୍ଷୋଭ ପ୍ରକାଶ କରିବା ସହିତ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଗ୍ରିଡ୍ ସବଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ତାଗିଦ୍‌‌ କରିଛନ୍ତି। ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ଏବଂ ଯଦି ଚଳିତ ବର୍ଷ ମଧ୍ୟରେ ଗ୍ରିଡ୍ ସବ୍ଷ୍ଟେସନର ନିର୍ମାଣ କାର୍ଯ୍ୟ ଏବଂ ସଂଯୋଗ କରୁଥିବା ୨୨୦ କେ.ଭି. ବିଦ୍ୟୁତ୍ ଲାଇନ୍ ଏବଂ ସେଥିରୁ ବାହାରୁଥିବା ୧୩୨ କେ.ଭି. ବିଦ୍ୟୁତ୍ ଲାଇନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ନହୁଏ, ତେବେ ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏ ଦିଗରେ ଯତ୍ନବାନ ହୋଇ କାର୍ଯ୍ୟ ସମ୍ପନ୍ନ କରିବାକୁ ଠିକା ସଂସ୍ଥା ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା। ପ୍ରତିଦିନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ବିବରଣୀ ଜଣାଇବାକୁ ଓପିଟିସିଏଲ୍ର କର୍ମକର୍ତ୍ତାଙ୍କୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମୁଖ ଶାସନ ସଚିବଙ୍କ ଉକ୍ତ ତଦାରଖ ଓ ଅନୁଧ୍ୟାନ ସମୟରେ ଓପିଟିସିଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜୟରାମ ସାହୁ, ସାଧାରଣ ପରିଚାଳକ ସୁବ୍ରତ କୁମାର ନାୟକ ଓ ଉପସାଧାରଣ ପରିଚାଳକ ସୁବାସ ସିଂହ ଓ ଶଶାଙ୍କ ଶେଖର ବେହେରାଙ୍କ ସମେତ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

prayash

ଗୁରୁବାର ସକାଳେ ସର୍କିଟ୍ ହାଉସଠାରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଜିଲାପାଳ ଆଶିଷ ଠାକରେଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହାପରେ ଶ୍ରୀ ସିଂହ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମ ଗସ୍ତ କରି ସେଠାରେ ବିଜୁ ସେତୁ ଯୋଜନାରେ ବୈତରଣୀ ନଦୀ ଉପରେ ୨୦୬୦.୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣାଧିନ ପୋଲର (ଉଚ୍ଚବାଲିରୁ ଉତ୍ତରପଶି ଭାୟା ପଦ୍ମପୁର) ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଆଗାମୀ ମେ’ ମାସ ସୁଦ୍ଧା ପୋଲର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମକର୍ତ୍ତା ଓ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସେତୁ ନିର୍ମାଣ ଫଳରେ କେନ୍ଦୁଝର ଜିଲାର ୧୦ଟି ଗ୍ରାମ ପଞ୍ଚାୟତ ଏବଂ ମୟୁରଭଞ୍ଜ ଜିଲାର ୭ଟି ଗ୍ରାମ ପଞ୍ଚାୟତର ଜନସାଧାରଣ ଗମନାଗମନ ଓ ପରିବହନ କ୍ଷେତ୍ରରେ ବହୁମାତ୍ରାରେ ଉପକୃତ ହୋଇପାରିବେ। ପ୍ରତ୍ୟେକ ପ୍ରକଳ୍ପ ସ୍ଥଳରେ ବଡ ଆକାରର ସୂଚନାଫଳକ ଲଗାଇବାକୁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଥିଲେ। ଡିଏମଏଫ୍‌‌ ଓ ଓମ୍ବାଡିସି ଅନୁଦାନରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡିକର ୫ବର୍ଷ ପର୍ଯ୍ୟନ୍ତ ମରାମତି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଅଟକଳରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଗତ ଗାଇଡ୍ଲାଇନ୍ସ୍ ଅନୁଯାୟୀ ଜିଲାପାଳଙ୍କ ନିକଟକୁ ପ୍ରସ୍ତାବ ପଠାଇବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଡିଏମଏଫ୍‌‌ ଓ ଓମ୍ବାଡିସି ଅନୁଦାନରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଦୃଷ୍ଟିରୁ ବିଭାଗର କାର୍ଯ୍ୟଭାର ବଢୁଥିବାରୁ ଡ୍ରାଫ୍ଟସ୍ମ୍ୟାନ ନିଯୁକ୍ତି ପ୍ରସ୍ତାବ ଜିଲାପାଳଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଶ୍ରୀ ଠାକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଡିଏମଏଫ୍‌‌ ଓ ଓମ୍ବାଡିସି ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରିଥିଲେ। ପ୍ରମୁଖ ଶାସନ ସଚିବଙ୍କ ଉକ୍ତ ତଦାରଖ ଓ ସମୀକ୍ଷା ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍.ଭି. ହରିହର, ମୁଖ୍ୟ ଯନ୍ତ୍ରୀ ଇଂ ପ୍ରଦୀପ ଚନ୍ଦ୍ର ସାମଲ, ମୁଖ୍ୟ ଯନ୍ତ୍ରୀ (ସେତୁ) ଇଂ ରମେଶ ଚନ୍ଦ୍ର ବେହେରା, ଅଧିକ୍ଷଣ ଯନ୍ତ୍ରୀ(୧) ସରୋଜ କୁମାର ପାଢୀ, ଅଧିକ୍ଷଣ ଯନ୍ତ୍ରୀ (୨) ବିନୋଦ ବିହାରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.