ଉତ୍କଳୀୟ ସଂସ୍କୃତି ଓ ସାହିତ୍ୟ

ମନୋରଞ୍ଜନ ବିଷୋୟୀ

ପୁରୁଷାନୁକ୍ରମେ ଧାରାବାହିକ ଭାବରେ ମାନବ ଗୋଟିଏ ଗୋଷ୍ଠୀର ଅଂଶ ଭାବରେ ସାଊଁଟି ନେଇଥିବା ଅନୁଭୂତି ଓ ଅଭିଜ୍ଞତାର ପୁଞ୍ଜିକୁ ଆଧାର କରି ପରମ୍ପରା ‘ସଂସ୍କୃତି’ ଭାବରେ ପରିଚିତ ହୁଏ। ପ୍ରତ୍ୟେକ ମାନବଗୋଷ୍ଠୀର ଏକ ନିର୍ଦ୍ଦିଷ୍ଟ ଆଚରଣବିଧି ରହିଥାଏ। ଜନ୍ମ ପରବର୍ତ୍ତୀ ସମୟରେ ମାନବ ଏହାକୁ ଅନୁକରଣ କରିବା ନିମନ୍ତେ ବାଧ୍ୟ ହୁଏ। ଏହାର ପରିସର ମଧ୍ୟ ପରିବ୍ୟାପ୍ତ। ସଂକ୍ଷିପ୍ତରେ କହିଲେ-ମାନବୀୟ ଉତ୍କର୍ଷ କାର୍ଯ୍ୟାବଳୀକୁ ‘ସଂସ୍କୃତି’ କୁହାଯାଏ। ଏହା ସହ ଧାରାବାହିକ ନିତ୍ୟ ଆଚରଣର ପରିମାର୍ଜିତ ପରିଭାଷାକୁ ସଂସ୍କୃତି କହିଲେ ଅତ୍ୟୁକ୍ତି ହେବନାହିଁ। ପରମ୍ପରା ହେଉଛି ଏକ ପରିବ୍ୟାପ୍ତ ବୈଶିଷ୍ଟ୍ୟର କ୍ଷେତ୍ର। ଏହା ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ହୁଏନାହିଁ। କଠିନ ଶ୍ରମ ମାଧ୍ୟମରେ ଏହା ଉପଲବ୍ଧ ହୁଏ। ପରମ୍ପରା ଅନ୍ତରାଳରେ ଥାଏ ଐତିହାସିକ ବିଚାରବୋଧ ଯାହାକୁ ବାଦ୍‍ ଦେବା ସମ୍ଭବପର ନୁହେଁ। ଏହି ଐତିହାସିକ ବିଚାରବୋଧ, ବ୍ୟକ୍ତିକୁ ଦିଏ ଏକ ଉପଲବ୍ଧି ଯାହା ଅତୀତର ଇତିବୃତ୍ତ ହେବା ଅପେକ୍ଷା ଏହାର ସାଂପ୍ରତିକତାକୁ ସୂଚେଇଥାଏ। ଫଳରେ ବ୍ୟକ୍ତି ତା’ର ସମକାଳର ଅଭିବ୍ୟକ୍ତି ଅପେକ୍ଷା ସର୍ବକାଳୀନ ଅନୁଭୂତିକୁ ଆଧାର କରି କାଳଜୟୀ ରୂପ ପରିଗ୍ରହଣ କରିଥାଏ। ଅଳୀକ ଓ ମହାକାଳର ସମନ୍ୱୟରେ ପରମ୍ପରାର ପ୍ରବକ୍ତା ହୁଏ ବ୍ୟକ୍ତି।

ସଂସ୍କୃତି ଆଲୋଚନା ପ୍ରସଙ୍ଗରେ ମାଟି, ମଣିଷ ଓ ସମୟର- ତ୍ରିବିଧ ଧାରାର ସମନ୍ୱୟକୁ ଅନୁଧ୍ୟାନ କରାଯାଇପାରେ। ପ୍ରତ୍ୟେକ ମଣିଷ ମାଟିର ମୋହରେ ସମୟର ଆହ୍ୱାନରେ ଆକୁଳିତ ହେବା ସ୍ୱାଭାବିକ। ସମୟର ଆହ୍ୱାନରେ ସଭ୍ୟତାର ପଥ ପ୍ରଶସ୍ତ ହୁଏ। ପ୍ରତ୍ୟେକ ଜାତି ସ୍ମୃତି, ସଂକେତ, ଇତିହାସ, ପୁରାଣ, କଥା, ଉପକଥା, ଅତିକଥା ଭିତରେ ପରିପୁଷ୍ଟ ହୋଇଛି। ଯୁଗଯୁଗ ଧରି ଗଡ଼ିଆସୁଥିବା ଏହି ପ୍ରାଣଶକ୍ତିର ଉତ୍ସକୁ ଅଭିନବ ଭାବରେ ବ୍ୟାଖ୍ୟାୟିତ କରି ନୂତନ ହୁଏ ଊର୍ଜସ୍ୱଳ। ବାସ୍ତବିକ ପରମ୍ପରା ଆଗାମୀକୁ ଅନୁପ୍ରେରିତ କରିଥାଏ। ପରମ୍ପରାର ପୁଞ୍ଜିକୁ ସଂସ୍କୃତି ଧାରଣ କରିଥାଏ। ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ତେଣୁ ସଂସ୍କୃତି ଶବ୍ଦର ବ୍ୟାଖ୍ୟା କରି କହେ- ସମ୍‍+କୃ+ତି: ସଭ୍ୟତା, ଶିକ୍ଷା, ଭଦ୍ରତା ଓ ସାମାଜିକତା ଆଦିରେ ଧାରାବାହିକ ଅନୁଧ୍ୟାନ, ଅନୁଶୀଳନ ଓ ଅନୁଗମନ। ମାନବୀୟ ଆଚରଣ ଓ ଉଚ୍ଚାରଣ ଆଧାରରେ ଗଢ଼ିଉଠେ ପରମ୍ପରା ଓ ପରମ୍ପରାର ସଜ୍ଜୀକରଣରେ ସଂସ୍କୃତି ଜନ୍ମନିଏ। ତେଣୁ କୁହାଯାଏ- ସଂସ୍କୃତି ହେଉଛି ଏକ ପ୍ରେରଣା- ବ୍ୟକ୍ତିଗତ ଓ ସାମୂହିକ ଆତ୍ମ ଆବିଷ୍କାରର ପ୍ରେରଣା। ସଂସ୍କୃତି ହେଉଛି ଏକ ଗୁଣାତ୍ମକ ଆସ୍ପୃହା। ସଂସ୍କୃତି ଏକ ଅନ୍ୱେଷଣ, ଏକ ସତତ ଉଦ୍ୟମ, ସତତ ଆହ୍ୱାନ ଗୁଡ଼ିକୁ ଆବିଷ୍କାର କରି ସେଗୁଡ଼ିକର ସମ୍ମୁଖୀନ ହେବାର ଏକ ଉଦ୍ୟମ। ମାନବ ସଭ୍ୟତାର ଶୈଶବ କାଳୀନ ଅନୁଭୂତିଠାରୁ ସାମାଜିକ ବିକାଶଧାରାର ଇତିବୃତ୍ତକୁ ଆଧାର କରି ପାରମ୍ପରିକ ଦୃଷ୍ଟିଭଙ୍ଗୀର ସୁସଂଯତ ବିନ୍ୟାସରେ ବିକାଶ ଲାଭ କରିଛି ସଂସ୍କୃତି।

ମହାଭାରତୀୟ ସଂସ୍କୃତି ବିବିଧତା ମଧ୍ୟରେ ଏକତ୍ୱର ଦୃଷ୍ଟିଭଙ୍ଗୀକୁ ନେଇ ବିଶ୍ୱକୁ ଦେଇଛି ଅଭିନବ ପରିଚିତି। ବହୁ ଚିନ୍ତା, ବହୁ ବିଶ୍ୱାସ ଏବଂ ବହୁ ଆଚରଣର ସମନ୍ୱୟ ଭିତରେ, ଭାରତୀୟ ସଂସ୍କୃତିର ମହାନତାକୁ ଅନୁଭବ କରିହୁଏ। ନୈତିକ ସଂହତି ଓ ମୂଲ୍ୟବୋଧ ପ୍ରତି ଆନୁଗତ୍ୟ; ଭାରତୀୟ ବ୍ୟକ୍ତିମାନସରେ ସାମାଜିକ ଆବଶ୍ୟକତା ଏବଂ ବ୍ୟକ୍ତିଗତ ଆକାଂକ୍ଷା ଭିତରେ ସମନ୍ୱୟ ରକ୍ଷା କରିଥାଏ। ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଲୋକର ସନ୍ଧାନ। ଭାରତୀୟତା ହେଉଛି ଏହାର ମୂଳମନ୍ତ୍ର। ଜୀବନକୁ ଶୃଙ୍ଖଳିତ କରି ଏକ ମହତ୍ତର ପଥରେ ଅବସ୍ଥାପିତ କରିବା ଏଠାରେ ବେଶ୍‍ ଲକ୍ଷଣୀୟ। ଏଣୁ ଭାରତୀୟ ଦର୍ଶନରେ ବେଦର ଆଧିପତ୍ୟକୁ ଅସ୍ୱୀକାର କରି ନାସ୍ତିକ ଧାରାରେ ଚାର୍ବାକ, ବୌଦ୍ଧ ଓ ଜୈନ ଦର୍ଶନ ଯେଭଳି ଜନାଦୃତ, ଅନୁରୂପ ଭାବରେ ଆସ୍ତିକ ଧାରାରେ ସାଂଖ୍ୟ, ନ୍ୟାୟ, ବୈଶେଷିକ, ଯୋଗ ସେହିପରି ପ୍ରାଧାନ୍ୟ ଲାଭ କରିଥାଏ। ବିଶ୍ୱକଲ୍ୟାଣ ହେଉଛି ଏହାର ମୂଳମନ୍ତ୍ର। ‘ସର୍ବଜନହିତାୟ, ସର୍ବଜନ ସୁଖାୟ’ ସତ୍ୟରେ ଏ ସଂସ୍କୃତି ବିଶ୍ୱାସ ରଖେ। ବେଦର ‘ଅଗ୍ନିମିଳେ ପୁରୋହିତଂ’ ବାଣୀ ଆଦିମ କାଳରୁ ଏ ଯାବତ୍‍ ଭାରତୀୟ ପରମ୍ପରାରେ ଅନୁସୃତ ହୋଇଆସିଛି।

ଏହି ଧାରାରେ ମହାଭାରତୀୟତାର ଅଭିନ୍ନ ଅଂଶ ଭାବରେ ଉତ୍କଳୀୟ ସାଂସ୍କୃତିକ ଚେତନାକୁ ଅନୁଧ୍ୟାନ କରାଯାଇପାରେ। କପିଳ ସଂହିତା କହେ- ‘‘ବର୍ଷାଣାମ୍‍ ଭାରତ ଶ୍ରେଷ୍ଠ ଦେଶାନାଂମୁତ୍କଳଶ୍ରୁତଃ/ ଉତ୍କଳସ୍ୟ ସମୋଦେଶ, ଦେଶୋ ନାସ୍ତି ମହୀତଳେ।’’ ବାସ୍ତବିକ କହିବାକୁ ଗଲେ ମହାଭାରତୀୟ ମୌଳିକ ଦୃଷ୍ଟିଭଙ୍ଗୀକୁ ଅକ୍ଷୁଣ୍ଣ ରଖି ଉତ୍କଳୀୟ ସଂସ୍କୃତି ଆପଣାର ମହନୀୟତାରେ ଦୀପ୍ତିମାନ୍‍। ଲକ୍ଷ୍ୟ କଲେ ଦେଖାଯାଏ ଯେ, ଓଡ଼ିଶାର ପ୍ରାଚୀନ ସଂସ୍କୃତି ମୁଖ୍ୟତଃ ଆଦିବାସୀମାନଙ୍କ ଦ୍ୱାରା ପ୍ରଭାବିତ। ଓଡ଼ିଶାର ଆଦିମ ଅଧିବାସୀମାନେ ଥିଲେ ଶବର। ପରବର୍ତ୍ତୀ ସମୟରେ ଏଠାକୁ ଆସିଥିଲେ ଦ୍ରାବିଡ଼। ଓଡ଼ିଶାର ଉତ୍ତର ଦିଗରୁ ଆର୍ଯ୍ୟମାନେ ପ୍ରଥମେ ସମତଳ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲେ। ବହୁ ଆଦିମ ଅଧିବାସୀ ଜଙ୍ଗଲକୁ ସେମାନଙ୍କ ବାସସ୍ଥାନ ଭାବେ ବାଛିନେଇଥିଲେ ଏବଂ ଅନେକ ବଶ୍ୟତା ସ୍ୱୀକାର କରି ସେମାନଙ୍କ ସେବାକାରୀ ଭାବରେ ଜୀବନ ଅତିବାହିତ କରିଥିଲେ। ପ୍ରାଚୀନ ଓଡ଼ିଶା ଥିଲା ଜୈନ ଏବଂ ବୁଦ୍ଧଧର୍ମ ଦ୍ୱାରା ପ୍ରଭାବିତ। ପରବର୍ତ୍ତୀ ସମୟରେ ଏଠାରେ ଶୈବ, ଶାକ୍ତ ଓ ଗାଣପତ୍ୟଙ୍କ ପ୍ରଭାବ ପରିଲକ୍ଷିତ ହୋଇଥିଲା ; କିନ୍ତୁ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ଶବର ପୂଜିତ ଜଗନ୍ନାଥ ପ୍ରତିଷ୍ଠା ଲାଭ କରିଥିଲେ। ସୌଭାଗ୍ୟର କଥା ଓଡ଼ିଶାର ଅବସ୍ଥିତି ହେଉଛି ଉତ୍ତର ଓ ଦକ୍ଷିଣ ଭାରତର କେନ୍ଦ୍ରବିନ୍ଦୁ। କେବଳ ଭୌ​‌େ​‌ଗାଳିକ ଦୃଷ୍ଟିରୁ ନୁହେଁ; ଭାଷା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଏହା ହେଉଛି ଉତ୍ତର ଓ ଦକ୍ଷିଣ ମଧ୍ୟରେ ଏକ ସେତୁ।

କହିବାକୁ ଗଲେ ଓଡ଼ିଶା କ୍ଷୁଦ୍ରକ୍ଷୁଦ୍ର ଆଞ୍ଚଳିକ ଶାସକମାନଙ୍କ ଦ୍ୱାରା ଶାସିତ ହେଉଥିଲା। ମୁଖ୍ୟତଃ ଆଦିବାସୀ ମୁଖ୍ୟମାନେ ଥିଲେ ଏହାର ଶାସକ। ପ୍ରଶାସନିକ କେନ୍ଦ୍ରବିନ୍ଦୁର ଅଭାବରେ ଜନତା ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେବା ସହ ନାନା ଶାସକମାନଙ୍କ ଦ୍ୱାରା ଉତ୍ପୀଡ଼ିତ ହେଉଥିଲେ। ତେଣୁ ଏକ ସମୃଦ୍ଧ ଜନପଦ ଓ ସଂସ୍କୃତି ସଂପନ୍ନ ଜନଗୋଷ୍ଠୀ ମଧ୍ୟରୁ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଖୋଜିବା ସମ୍ଭବ ନୁହେଁ। ଏପରିକି ସାନ୍ଧ୍ୟ ଭାଷା ‘ଚର୍ଯ୍ୟାପଦ’ କେବଳ ଓଡ଼ିଆ ସାଧକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ମଧ୍ୟ ବିଶ୍ୱାସ କରାଯାଇନପାରେ। ପୁଣି ସାରଳା ଦାସ ‘ମହାଭାରତ’ କିମ୍ବା ‘ଚଣ୍ଡୀପୁରାଣ’ ସୃଷ୍ଟି କଲାବେଳେ ଆପେ ଆପେ ଶବ୍ଦ ପୁଞ୍ଜ ଗଢ଼ିନଥିଲେ। ରାଜ ଅନୁକମ୍ପା କିମ୍ବା ପଣ୍ଡିତମାନଙ୍କ ସୌଭାଗ୍ୟ ପାଇନଥିବା ଲୋକମୁଖର ଭାଷାକୁ କେବଳ ଆଦରି ନେଇଥିଲେ। ରାଜା ଓ ପଣ୍ଡିତମାନେ ସାଧାରଣ ଲୋକଙ୍କଠାରୁ ଆପଣାକୁ ଉଚ୍ଚରେ ରଖିବା ପାଇଁ ସଂସ୍କୃତକୁ ମାନ୍ୟତା ପ୍ରଦାନ କରିଥିଲେ। ଏହା କେବଳ ଓଡ଼ିଆ ନୁହେଁ ; ଭାରତର ପ୍ରତ୍ୟେକ ଅଞ୍ଚଳର ଭାଷାକୁ ଅନୁଧ୍ୟାନ କଲାବେଳେ ଜାଣିହୁଏ। କିନ୍ତୁ ଏସବୁ ସ​‌େ​‌ତ୍ତ୍ବ ଜନପ୍ରଚଳିତ ଭାଷା ସବୁ ଉପେକ୍ଷା ଭିତରେ ମଧ୍ୟ ବଞ୍ଚିରହିଥିଲା ଏବଂ ତାହା ହିଁ ଦେଇଥିଲା ବଞ୍ଚିବାର ସରଳତମ ସୂତ୍ର। ଏହି ଧାରାରେ ଲୋକସାହିତ୍ୟର ମହତ୍ତ୍ୱକୁ ମଧ୍ୟ ଅନୁଧ୍ୟାନ କରାଯାଇପାରେ। ସାରଳା ପରବର୍ତ୍ତୀ ପଞ୍ଚଦଶ ଶତାବ୍ଦୀ ବେଳକୁ ପ୍ରାନ୍ତୀୟ ଭାଷାଗୁଡ଼ିକ ଅପୂର୍ବ ସାମର୍ଥ୍ୟ ନେଇ ସମାଜରେ ଭିନ୍ନ ଏକ ପରମ୍ପରା ସୃଷ୍ଟି କରିବାର ପ୍ରୟାସ ଆରମ୍ଭ କରିସାରିଥିଲା। ବଳରାମ ଦାସଙ୍କ ‘ଜଗମୋହନ ରାମାୟଣ’, ଅଚ୍ୟୁତାନନ୍ଦଙ୍କ ‘ହରିବଂଶ’, ଜଗନ୍ନାଥ ଦାସଙ୍କ ‘ଶ୍ରୀମଦ୍‍ ଭାଗବତ’ ଏହାର ଏକ ଏକ ଶ୍ରେଷ୍ଠ ଉଦାହରଣ। ପିଣ୍ଡ ଭିତରେ ବ୍ରହ୍ମାଣ୍ଡର ପରିକଳ୍ପନା କରି ଆଧ୍ୟାତ୍ମିକତାର ପୃଷ୍ଠଭୂମି ଉପରେ ସମତାର ସମାଜ ଗଠନରେ ଏମାନେ ଥିଲେ ବ୍ରତୀ।

ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’, ‘ଲକ୍ଷ୍ମୀନାରାୟଣ ବଚନିକା’ ଓଡ଼ିଆ ପରମ୍ପରାରେ ଜୀବନାନୁସନ୍ଧାନର ଧାରାକୁ କରିଥିଲା ପ୍ରସାରିତ। ପରବର୍ତ୍ତୀ ରୀତିଯୁଗୀୟ ସ୍ରଷ୍ଟା ପୂର୍ବବର୍ତ୍ତୀ ଯୁଗର ସମାଜ ସଂପୃକ୍ତି ମନୋଭାବକୁ ଅତି ଚତୁରତାର ସହ ଗ୍ରହଣ କରିଛନ୍ତି। ସଂସ୍କୃତ ସମସ୍ପର୍ଦ୍ଧୀ ଓଡ଼ିଆ ସାହିତ୍ୟର ମହତ୍ତ୍ୱ ବଖାଣିବାକୁ ଯାଇ ଉପେନ୍ଦ୍ର ଘୋଷଣା କରିଛନ୍ତି- ‘‘ଘେନ ନୈଷଧ ପରାୟେ, ଉପଇନ୍ଦ୍ର କହେ/ ବୁଦ୍ଧେ ପ୍ରମାଦ କରାଏ।’’ ତେଲି ଭାଗବତରୁ ନୈଷଧ ସମସ୍ପର୍ଦ୍ଧୀ କାବ୍ୟ ସୃଷ୍ଟିର ଏ ଆସ୍ପର୍ଦ୍ଧାକୁ ଉପେକ୍ଷା କରିହୁଏନାହିଁ। ଦୀର୍ଘକାଳ ଧରି ପ୍ରାକୃତ ଭାଷାର ଅବହେଳା ଏବଂ ପ୍ରାକୃତ ସ୍ରଷ୍ଟାର ଦୁର୍ବଳ ମାନସିକତାକୁ ପରାହତ କରି ସଂସ୍କୃତ ସମସ୍ପର୍ଦ୍ଧୀ କାବ୍ୟ ସୃଷ୍ଟିର ଏକ ଅନୁପମ ଧାରାଟିଏ ଏ ସମୟରେ ସୃଷ୍ଟିଲାଭ କରିଛି। ବସ୍ତୁତଃ କୁହାଯାଇପାରେ ଏହାର ଶୀର୍ଷବିନ୍ଦୁରେ କବିସୂର୍ଯ୍ୟ, ବନମାଳୀ ଓ ଗୋପାଳକୃଷ୍ଣ ଅଧିକ କୁଶଳତାର ସହ ପରମ୍ପରାକୁ ଆଗେଇ ନେଇଛନ୍ତି।

୧୮୦୩ ମସିହାରେ ବ୍ରିଟିଶ୍‍ ସାମ୍ରାଜ୍ୟର ଆଧିପତ୍ୟ ଓଡ଼ିଶା ଉପରେ ବିସ୍ତାରଲାଭ କରିଥିଲା; ଓଡ଼ିଶା ଅଧିକାର ପରେ ନୂତନ ଶିକ୍ଷା ନୀତି ପ୍ରଣୟନ, ମୁଦ୍ରଣ ଶିଳ୍ପର ବିକାଶ, ପତ୍ରପତ୍ରିକାର ପ୍ରକାଶନ, ଡାକ ଓ ରେଳ ବ୍ୟବସ୍ଥା ଓଡ଼ିଶାକୁ ଅଭ୍ୟୁଦୟ ପଥରେ ଅବସ୍ଥାପିତ କରିଥିଲା। କିନ୍ତୁ ଇଂରେଜମାନଙ୍କ ଦ୍ୱୈତଶାସନ ନୀତି, ଅର୍ଥନୈତିକ ଶୋଷଣ, ନୂତନ ଜମିଜମା ବନ୍ଦୋବସ୍ତ ତଥା ଖ୍ରୀଷ୍ଟଧର୍ମ ପ୍ରଚାର ସମାଜରେ ସୃଷ୍ଟି କରିଥିଲା ଘୋର ଜନ ଅସନ୍ତୋଷ। ୧୮୬୬ ମସିହା ପ୍ରଳୟଙ୍କରୀ ‘ନଅଙ୍କ ଦୁର୍ଭିକ୍ଷ’ ସମୟରେ ଶାସକ ଗୋଷ୍ଠୀର ଅନୁଦାର ମନୋବୃତ୍ତି ଏ ଜାତିକୁ ପୁନଃ ସଂଗଠିତ ହେବା ଦିଗରେ ଅନୁପ୍ରେରିତ କରିଥିଲା। ଓଡ଼ିଶା ଇତିହାସରେ ‘ସିପାହି ବିଦ୍ରୋହ’ର ଚାଳିଶ ବର୍ଷ ପୂର୍ବରୁ ‘ପାଇକ ବିଦ୍ରୋହ’ ଆରମ୍ଭ ହୋଇଥିଲା। ବ୍ରିଟିଶମାନଙ୍କ ଶୋଷଣ ନୀତି ଓ ଅସାଧୁ କର୍ମଚାରୀଙ୍କ ଅତ୍ୟାଚାରରେ ଓଡ଼ିଶା ତଳିତଳାନ୍ତ ହୋଇଯାଇଥିଲା। ଏପରି କି ନୂତନ ଶାସନ ବ୍ୟବସ୍ଥା ସଂପର୍କରେ ଅନଭିଜ୍ଞ ଓଡ଼ିଶାର ଜମିଦାର ଶ୍ରେଣୀ ସୂର୍ଯ୍ୟାସ୍ତ ଆଇନ ବଳରେ ହରାଇଥିଲେ ସେମାନଙ୍କ ପ୍ରତିଷ୍ଠା।

ସମୟାନୁକ୍ରମେ ଊନବିଂଶ ଶତକର ବିଭିନ୍ନ ସମୟରେ ପ୍ରାଚୀନ ଓଡ଼ିଶାର ଅଙ୍ଗଚ୍ଛେଦ ସଙ୍ଗେ ସଙ୍ଗେ ଓଡ଼ିଆଭାଷାର ସ୍ୱାତନ୍ତ୍ର୍ୟ ଲୋପ ଦିଗରେ ସୁଚିନ୍ତତ ଉଦ୍ୟମ କରାଯାଇଥିବା ଲକ୍ଷ୍ୟ କରିହୁଏ। ୧୮୬୮ ମସିହା ଡିସେମ୍ବର ମାସରେ କଟକ ଡିବେଟିଂ କ୍ଳବ୍‍ରେ ଏକ ଅଭିଭାଷଣ ପ୍ରଦାନ କରି ଐତିହାସିକ ତଥା ପ୍ରତ୍ନତତ୍ତ୍ୱବିତ୍‍ ରାଜେନ୍ଦ୍ରଲାଲ୍‍ ମିତ୍ର କହିଥିଲେ ଯେ- ଉତ୍କଳର ଯଥାର୍ଥ ହିତାକାଂକ୍ଷୀ ଯେ ହେବ, ସେ ପ୍ରଥମେ ଓଡ଼ିଆ ଭାଷା ଉଠାଇ ଦେଇ ବଙ୍ଗ ଭାଷା ପ୍ରଚଳନ ପାଇଁ ଚେଷ୍ଟା କରିବ। ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷା ପ୍ରଚଳନ ନିମନ୍ତେ ବଙ୍ଗବାସୀଙ୍କ ପକ୍ଷରୁ ଉଦ୍ୟମ ତଥା ବାଲେଶ୍ୱର ଭର୍ଣ୍ଣାକୁଲାର ସ୍କୁଲର କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ‘ଉଡ଼ିଆ ଏକ୍‍ଟା ସ୍ୱତନ୍ତ୍ର ଭାଷା ନୟ’ ଆନ୍ଦୋଳନ ଏ ଜାତିକୁ ଆତ୍ମଜାଗୃତି ଦିଗରେ ପ୍ରରୋଚିତ କରିଥିଲା। ଶିକ୍ଷିତ ଓଡ଼ିଆମାନଙ୍କ ସାମୂହିକ ଉଦ୍ୟମ ଫଳରେ କେବଳ ଏ ଭାଷା ସ୍ୱୀକୃତି ଲାଭ କରିନଥିଲା; ଅନ୍ୟପକ୍ଷରେ ଆତ୍ମଜାଗୃତି ନିମନ୍ତେ ଏହା ଏକ ଉନ୍ନତ କ୍ଷେତ୍ର ପ୍ରସ୍ତୁତ କରିଥିଲା।

ବସ୍ତୁତଃ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ଜନସାଧାରଣଙ୍କ ରୁଚିରେ ପରିବର୍ତ୍ତନ ଆଣିଥିଲା। ଶିକ୍ଷାୟତନରେ ମାତୃଭାଷାରେ ଶିକ୍ଷାଦାନ ଓ ବିବିଧ ପ୍ରକାରର ପାଠ୍ୟପୁସ୍ତକ ଅଧ୍ୟୟନ ଦ୍ୱାରା ସେ ସମୟରେ ଏକ ଶିକ୍ଷିତ ମଧ୍ୟବିତ୍ତ ସମାଜର ସୃଷ୍ଟି ସମ୍ଭବ ହୋଇଥିଲା। ଏଇ ଶିକ୍ଷିତ ମଧ୍ୟବିତ୍ତ ସମାଜ ସେ ସମୟରେ ସାମାଜିକ ପୁର୍ନଗଠନର ନେତୃତ୍ୱ ନେଇଥିଲେ। ସାହିତ୍ୟ କ୍ଷେତ୍ରରେ ନବ୍ୟ ଶିକ୍ଷିତ ଗୋଷ୍ଠୀ ନୂତନତାର ସ୍ୱପ୍ନ ଦେଖିଥିଲେ। ଲୋକମାନଙ୍କ ଚିତ୍ତରେ ନୂତନ ରୁଚିବୋଧ ଓ ଦୃଷ୍ଟିକୋଣ ପାଶ୍ଚାତ୍ୟ ଚେତନା ସହ ପ୍ରାଚ୍ୟ ଚେତନାର ସମନ୍ୱୟ ସଂସ୍ଥାପିତ କରି ଆଧୁନିକ ସାହିତ୍ୟ ସୃଷ୍ଟି ନିମନ୍ତେ କ୍ଷେତ୍ରପ୍ରସ୍ତୁତ କରିଥିଲା। ଭାରତୀୟ ସର୍ଜନାଧାରାରେ ଉଭୟ ଆତ୍ମିକ ଓ ଆଙ୍ଗିକ ପରିବର୍ତ୍ତନ ପଥରେ ଯାତ୍ରା ଆରମ୍ଭ କରିଥିଲା। ସଙ୍ଗୀତ, ଛାନ୍ଦ, ଆବୃତ୍ତି ଧର୍ମିତାକୁ ନେଇ ପ୍ରଭାବ ବିସ୍ତାର କରିଥିବା ପଦ୍ୟ ସାହିତ୍ୟ ବଦଳରେ କ୍ରମେ ଗଦ୍ୟ ସାହିତ୍ୟ ମୁଖ୍ୟ ପ୍ରକାଶ ଧାରା ଭାବରେ ଉଭା ହୋଇଥିଲା। ପରିଶେଷରେ କହିବାକୁ ଗଲେ ଗତାନୁଗତିକ ଧାରାରେ ଗଢ଼ିଆସୁଥିବା ମହାଭାରତୀୟ ପରମ୍ପରା ଇଂରେଜମାନଙ୍କ ଆଗମନ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ଦିଗରେ ପାଦ ଥାପିଛି। ଇଂରେଜମାନଙ୍କ ଭାରତ ଅଧିକାର ରାଜନୈତିକ ଦୃଷ୍ଟିରୁ କେବଳ ଗୁରୁତ୍ୱ ନୁହେଁ, ଏହା ପାରମ୍ପରିକ, ଆଧ୍ୟାତ୍ମିକ, ସାମାଜିକ, ଅର୍ଥନୈତିକ, ନୈତିକ ଆଦି ସ୍ତରରେ ଆଣିଛି ଅପୂର୍ବ ପରିବର୍ତ୍ତନ।

Comments are closed.