mission shakti banner

ନୂତନ ଟେକ୍ନୋଲୋଜି : ୨୫୦ ଟି ଜ୍ୟାକ ଉଠାଇ ରଖିଛି ତିନି ମହଲା ଘର

BSKY banner  750×100
0

ସମ୍ବଲପୁର : ଧୀରେ ଧୀରେ ସମ୍ବଲପୁର ସହରରେ ବହୁ ପୁରୁଣା ଘର ଗୁଡିକର ନିଅଁର ଉଚ୍ଚତା ରାସ୍ତାର ଉଚ୍ଚତା ଠାରୁ କମ୍‍ ହୋଇଯାଇଥିବାରୁ ଟିକିଏ ବର୍ଷା ହେବା ଦ୍ୱାରା ସେହି ଘରଗୁଡ଼ିକ ମଧ୍ୟକୁ ବର୍ଷା ପାଣି ସହ ନାଳ ପାଣି ପଶିଯାଉଛି। ସେହିଭଳି ୧୯୯୭ ମସିହା ରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଫିଜିକ୍ସ ବିଭାଗର ପୂର୍ବତନ ପ୍ରଫେସର ଗଣନାଥ ଦାଶ ବୁଢାରଜାର ଏକଜ୍ୟୁଟିଭ କଲୋନୀ ରେ ଏକ ତିନି ମହଲା ବିଶିଷ୍ଟ ଗୃହ ନିର୍ମାଣ କରିଥିଲେ। ପୁର୍ବରୁ ରାସ୍ତା ଗୁଡିକୁ ଖୋଳାଯାଇ ଘରମାନଙ୍କ ଉଚ୍ଚତାକୁ ଧ୍ୟାନରେ ରଖି ରାସ୍ତା ମରାମତି କରାଯାଉଥିଲା। କିନ୍ତୁ ସମୟ ର ପରିବର୍ତ୍ତନ ସହ ରାସ୍ତା ମରାମତିର ନୀତି ପରିବର୍ତ୍ତନ ଓ ସମୟ ବଞ୍ଚାଇବା ପାଇଁ ଏବେ ରାସ୍ତା ଗୁଡିକୁ ଖୋଳା ନ ଯାଇ ପୁରୁଣା ରାସ୍ତା କୁ ଉଚ୍ଚ କରି ନିର୍ମାଣ କରାଯାଉଛି। ଏଣୁ କଲୋନୀ ର ରାସ୍ତା ର ବାରମ୍ବାର ମରାମତି ଯୋଗୁଁ ଉଚ୍ଚତା ବୃଦ୍ଧି ହେବାରେ ଲାଗିଛି। ତେଣୁ ଟିକିଏ ବର୍ଷା ହେବା ମାତ୍ରେ ତାଙ୍କ ଘରେ ପାଣି ପଶୁଥିଲା ଏବଂ ଏଥି ପାଇଁ ସେ ପରିବାରବର୍ଗ ସହ ବହୁ ହଇରାଣ ହରକତର ସମ୍ମୁଖୀନ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ପ୍ରଫେସର ଦାଶ ବହୁ ପରିଚିତ ବ୍ୟକ୍ତି ଙ୍କ ସହ ପରାମର୍ଶ କରିବା ପରେ ମଧ୍ୟ କୌଣସି ସମାଧାନର ବାଟ ପାଇ ପାରି ନ ଥିଲେ।

ଶେଷରେ ଇଣ୍ଟରନେଟର ସାହାଯ୍ୟରେ ହାଉସ ଲିଫ୍ଟଙ୍ଗର ନୂତନ ଟେକ୍ନୋଲୋଜି ସମ୍ବନ୍ଧରେ ଜାଣିବାକୁ ପାଇଥିଲେ। ଏହା ପରେ ହାଉସ ଲିଫ୍ଟଙ୍ଗର କାର୍ଯ୍ୟ କରୁଥିବା ତଥା ଭାରତ ସରକାରଙ୍କ ସ୍ୱିକୃତୀପ୍ରାପ୍ତ ହରିୟାଣାର ଏକ ଘରୋଇ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଏହା ପରେ ପ୍ର. ଦାଶ ଏହି କାର୍ଯ୍ୟ କରିବେ କି ନାହିଁ ସେଥିପାଇଁ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ କଥାବାର୍ତ୍ତା ଚାଲୁରହିଥିଲା। ପରେ ପରିବାରବର୍ଗ କଥାବାର୍ତ୍ତା ହେବା ପରେ ସେହି ସଂସ୍ଥାର ପ୍ରତିନିଧିଙ୍କୁ ପ୍ରାୟ ତିନି ମାସ ପୁର୍ବରୁ ସମ୍ବଲପୁରକୁ ପରିଦର୍ଶନରେ ଆସିବା ପାଇଁ ପ୍ର. ଦାଶ ଆମନ୍ତ୍ରିତ କରିଥିଲେ। ସଂସ୍ଥାର ପ୍ରତିନିଧି ମଣ୍ଡଳ ସମ୍ବଲପୁରକୁ ଆସି ଘର ପରିଦର୍ଶନ ପରେ ଖର୍ଚ୍ଚର ଆକଳନ କରି ପ୍ର. ଦାଶ ଙ୍କୁ ଜଣାଇଥିଲେ। ଏହା ପରେ ଏହି କାର୍ଯ୍ୟର ସଫଳତା ଉପରେ ଥିବା ସନ୍ଦେହ ଦୂର କରିବା ପାଇଁ ସଂସ୍ଥାର ପ୍ରତିନିଧି ମଣ୍ଡଳିର ସଦସ୍ୟ ମାନେ ପ୍ର. ଦାଶ ଙ୍କୁ କହିଥିଲେ ଯେ ଏଭଳି କାର୍ଯ୍ୟ ପ୍ରାୟ ୧୫ ବର୍ଷ ହେଲା କରିଆସୁଛନ୍ତି ଏବଂ ଦେଶର ବହୁ ରାଜ୍ୟ ରେ ଏଭଳି କାର୍ଯ୍ୟ କୁ ସଫଳତା ର ସହିତ କରାଯାଇସାରିଛି। ଏହା ସହ କାର୍ଯ୍ୟ ସମୟରେ ସେମାନେ ମଧ୍ୟ ଏହି ଘରେ ରହି କାର୍ଯ୍ୟକୁ ସମ୍ପାଦନ କରିବେ ବୋଲି କହିଥିଲେ। ଏହା ପରେ ପ୍ର. ଦାଶ ଓ ତାଙ୍କର ପରିବାରବର୍ଗଙ୍କ ଆତ୍ମବିଶ୍ୱାସ ହୋଇଥିଲା। ଏହା ପରେ ଏପ୍ରିଲ ୨୭ରୁ ହାଉସ ଲିଫ୍ଟଙ୍ଗ ସଂସ୍ଥା ୨୪ ଜଣ ଶ୍ରମିକଙ୍କ ସହିତ ଏହି କାର୍ଯ୍ୟ ଆରମ୍ଭ କରିଛି। ଘରକୁ ୨୫୦ ଟି ଜ୍ୟାକ ଉଠାଇ ରଖିଛନ୍ତି ଏବଂ ତଳପଟରୁ ଇଟା ର କାନ୍ଥ ଯୋଡା ଚାଲିଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ରୁପେ ସମ୍ପାଦନ କରିବା ପାଇଁ ପ୍ରାୟ ୪୫ ଦିନ ଲାଗିବ। କାର୍ଯ୍ୟାରମ୍ଭ ହେବାର ୧୨ ଦିନ ମଧ୍ୟରେ ନୁତନ ଟେକନୋଲୋଜ ର ପ୍ରୟୋଗ ରେ ଜ୍ୟାକ ଲଗାଇ ପ୍ର. ଦାଶଙ୍କ ନିଅଁ ସହିତ ଏବେ ପୂର୍ବ ନିଅଁ ଉଚ୍ଚତାରୁ ତିନି ଫୁଟ ଉପରକୁ ଉଠିସାରିଛି। ଏବେ କଲୋନୀ ରାସ୍ତା ରୁ ପ୍ର. ଦାଶ ଙ୍କ ଘର ପ୍ରାୟ ସାଢେ ୩ ଫୁଟ ଉଚ୍ଚ ହୋଇସାରିଛି। ଘରର ଉଚ୍ଚତା ବୃଦ୍ଧ ର ଏହି କାର୍ଯ୍ୟ ପାଇଁ ସଂସ୍ଥା ତାର ଲେବର ଚାର୍ଜ ନେଉଥିବା ବେଳେ ସିମେଣ୍ଟ, ବାଲି, ଇଟା, ଲୁହାଛଡ ଆଦି ନିର୍ମାଣ ସାମଗ୍ରୀ ଘର ମାଲିକ ଯୋଗାଇ ଦେଉଛନ୍ତି। ସମ୍ବଲପୁର ରେ ଏଭଳି ନୂତନ ଟେକ୍ନୋଲୋଜି ଦ୍ୱାରା ପ୍ରଥମ ଥର ପାଇଁ ଘରର ଉଚ୍ଚତା ବୃଦ୍ଧି କରାଯାଉଥିବାରୁ ଏବେ ଏହା ଏକ ଆକର୍ଷଣର ବିଷୟ ହେବା ସହ ସହର ତଥା ଆଖପାଖ ଜିଲାରୁ ମଧ୍ୟ ଲୋକେ ଏହା ଦେଖିବା ପାଇଁ ଆସୁଛନ୍ତି।

Leave A Reply