ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ସମ୍ବଲପୁର-ଧର୍ମେନ୍ଦ୍ର ପ୍ରଧାନ

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇ ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କଲି । ମା’ଙ୍କ ଆଶିଷ ଓ ଜନଆଶୀର୍ବାଦ କାରଣରୁ ସମ୍ବଲପୁର ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବାର ସୁଯୋଗ ପାଇଛି । ଏଥିପାଇଁ ମୁଁ ସମ୍ବଲପୁରବାସୀଙ୍କ ପାଖରେ ଚିର ଋଣୀ ।

ସମ୍ବଲପୁରକୁ ଏକ ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଗୁଣ୍ଡୁଚି ମୂଷାର ଦାୟିତ୍ୱ ନେବି, ଏହା ମୋର ସଂକଳ୍ପ । ମୁଁ ଯେଉଁ କାମରେ ବି ରୁହେ, ଶେଷ ସମୟ ପର୍ଯ୍ୟନ୍ତ ସମ୍ବଲପୁରବାସୀଙ୍କ ସେବାରେ ରହିବି । ସମ୍ବଲପୁରକୁ ଏକ ଜ୍ଞାନ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ସମସ୍ତେ ଉଦ୍ୟମ କରିବା । ମା’ଙ୍କ କରୁଣା ଓ ଶୁଭ ଦୃଷ୍ଟି ସମ୍ବଲପୁର ସମେତ ସମଗ୍ର ବିଶ୍ୱବାସୀଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।

ଉଲ୍ଲେଖନୀୟ ଯେ, ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସମ୍ବଲପୁରର ଅନେକ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣଙ୍କୁ ମଧ୍ୟ ଶ୍ରୀ ପ୍ରଧାନ ଅଭିବାଦନ ଜଣାଇଥିଲେ ।

Comments are closed.