ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌‌ଯାପିତ

କେନ୍ଦୁଝରଗଡ଼଼: ଚଳିତ ମାସ ୧୭ ତାରିଖରୁ ଜେଲରୋଡସ୍ଥିତ କେନ୍ଦୁଝରଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଗୁରୁବାର ଅପରାହ୍ନରେ ଉଦ୍‌‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟଶାଳାରେ କେନ୍ଦୁଝର ସଙ୍କୁଳର ୮ଟି ବିଦ୍ୟାଳୟରୁ ୧୪୯ଜଣ ଆଚାର୍ଯ୍ୟ, ଆଚାର୍ଯ୍ୟା ଯୋଗ ଦେଇଥିଲେ। ଏଥିରେ ଶିଶୁବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ମୌଳିକସ୍ତର, ତୃତୀୟରୁ ପଞ୍ଚମ ଶ୍ରେଣୀ ପ୍ରସ୍ତୁତିସ୍ତର ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟସ୍ତର ଭାବରେ ୪ଟି ବିଭାଗରେ କାଳାଂଶ ଅନୁଷ୍ଠିତ ହୋଇଥିଲା। ନୂତନ ଜାତୀୟ ଶିକ୍ଷାନୀତିକୁ ଆଧାର କରି ପ୍ରତ୍ୟେକ କାଳାଂଶ ଅନୁଷ୍ଠିତ ହୋଇଥିଲା। ଉକ୍ତ କର୍ମଶାଳାର ଉଦ୍‌‌ଘାଟନ ସମାରୋହରେ ଉତ୍ତର ସମ୍ଭାଗର ସମ୍ଭାଗ ସଦସ୍ୟା ତଥା ସରକାରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନାଗାର ସହାୟିକା ରଞ୍ଜିତା ମହାନ୍ତ ମୁଖ୍ୟଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଲୋଚନ ସାହୁ ମୁଖ୍ୟବକ୍ତା, ସଙ୍କୁଳ ପ୍ରମୁଖ ତଥା ତେଲକୋଇ ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଫେସର ସୁନୀଲ କୁମାର ରଥ ଓ ସମ୍ପାଦକ ସୁଂଧାଶୁ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍ମଶାଳାରେ ସାମିଲ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଗଣ୍ଡବରେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଖଗେଶ୍ୱର ମହାନ୍ତ ଉଦ୍‌‌ଯାପନ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ଚିନ୍ତନ ଆଧାରରେ ଆଚାର୍ଯ୍ୟ ଜୀବନଶୈଳୀ ସମ୍ବନ୍ଧରେ ଆଲୋକପାତ କରିଥିଲେ। ପରିଚାଳନା ସମିତି ସଭାପତି ପ୍ରଫେସର ରଥ ଶିକ୍ଷାର ମହତ୍ତ୍ୱ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିବା ବେଳେ ସମ୍ପାଦକ ଶ୍ରୀ ପଣ୍ଡା କର୍ମଶାଳା ବ୍ୟବସ୍ଥାର ରୂପରେଖ ଉପରେ ନିଜର ବକ୍ତବ୍ୟ ରଖିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଯୁଗ୍ମ ସମ୍ପାଦକ ଦୀପକ କୁମାର ମହାକୁଳ ଉପସ୍ଥିତ ଥିଲେ। ମୁକୁନା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗୋପୀନାଥ ସାହୁ ଉପସ୍ଥିତ ରହି ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜୀବନ ଚରିତ ଉପରେ ଏକ ସ୍ୱତନ୍ତ୍ର କାଳାଂଶରେ ନିଜର ଅଭିବ୍ୟକ୍ତି ବାଢ଼ିଥିଲେ। ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ରଙ୍ଗାଧର ବେହେରା ସରସ୍ୱତୀ ବନ୍ଦନା ଓ ପ୍ରାର୍ଥନାର ଭାବାର୍ଥ ସମ୍ପର୍କରେ ଅଲୋଚନା କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ଅଲେଖ ମହାନ୍ତ ପ୍ରାରମ୍ଭରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଙ୍କୁଳ ଅନ୍ତର୍ଗତ ବିଦ୍ୟାଳୟଗୁଡିକର ପ୍ରଧାନାଚାର୍ଯ୍ୟ ଦୁଃଶାସନ ମହନ୍ତ, ବଳଭଦ୍ର ପ୍ରଧାନ, ନିରଞ୍ଜନ ସାହୁ, କାହ୍ନୁଚରଣ ମହାନ୍ତ, ବରୁଣ ପ୍ରଧାନ, ସୁରେଶ ମହାନ୍ତ, ନିତ୍ୟାନନ୍ଦ ମହାନ୍ତ ଓ ବୈଜୟନ୍ତୀ ମହାନ୍ତ ପ୍ରମୁଖ କର୍ମଶାଳା ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.