ଗୋକର୍ଣ୍ଣପୁରରେ ଛେଳି ମଡ଼କ ଆତଙ୍କ, ୧୫ଦିନରେ ୫୦୦ ମୃତ

ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ଛେଳି ମଡ଼କ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି। ଛେଳି ମଡ଼କ ଆରମ୍ଭ ହେବାର ଦୀର୍ଘ ଏକ ମାସ ବିତିଯାଇଥିଲେ ସୁଦ୍ଧା ଥମିବାର ନାଁ ନେଉନି। ଗତ ୧୫ ଦିନ ମଧ୍ୟରେ ଗୋକର୍ଣ୍ଣପୁର ପଞ୍ଚାୟତରେ ପ୍ରାୟ ୫ଶହ ଛେଳିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛେଳି ମଡ଼କକୁ ନେଇ ଛେଳି ପାଳକମାନେ ଚିନ୍ତାରେ ପଡିଛନ୍ତି। ଛେଳି ମୃତ୍ୟୁ ରୋକିବାରେ ପ୍ରାଣୀ ବିଭାଗ ବିଫଳ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଥମେ ଗୋକର୍ଣ୍ଣପୁର ପଞ୍ଚାୟତର ନରସିଂହପୁର ଗ୍ରାମରେ ପ୍ରାୟ ୨ଶହ ଛେଳିଙ୍କ ମୃତ୍ୟୁ ହେବା ପରେ ବର୍ତ୍ତମାନ ଗୋକର୍ଣ୍ଣପୁର ଗ୍ରାମରେ ପ୍ରାୟ ୩ଶହ ଛେଳିଙ୍କ ମୃତ୍ୟୁ ହୋଇଛି।

ଗତ ୧୫ଦିନ ମଧ୍ୟରେ ଗୋକର୍ଣ୍ଣପୁର ଗ୍ରାମର ଛେଳି ପାଳକ କାଳିଆ ପାତ୍ର,ବୁଡ଼ୁ ପାତ୍ର, ଜିତୁ ପାତ୍ର, କାମେଶୁ ପାତ୍ର, ଚୂନ୍ଦୁରୁ ପାତ୍ର, ସୁବାଷ ପାତ୍ର, ମୂଷା ପାତ୍ରଙ୍କ ପ୍ରାୟ ୩ଶହରୁ ଊର୍ଦ୍ଧ୍ବ ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଛେଳି ପାଳକଙ୍କ ଅଭିଯୋଗ ଯେ ପ୍ରାଣୀ ବିଭାଗ ପକ୍ଷରୁ ସେମାନଙ୍କ ଜନ୍ତୁଙ୍କୁ କୌଣସି ମାଗଣା ଟିକା କିମ୍ବା ଔଷଧ ଦିଆଯାଉନାହିଁ। ଫଳରେ ସେମାନେ ଏହି ଟୀକା ଓ ଔଷଧ ବାହାରୁ କିଣିଥାନ୍ତି। ସ୍ଥାନୀୟ ପଶୁ ଚିକିତ୍ସକଙ୍କୁ ଔଷଧ କିମ୍ବା ଟିକା ଦେବାପାଇଁ ଡ଼ାକିଲେ ସେମାନେ ବିଳମ୍ବରେ ପହଞ୍ଚୁଛନ୍ତି। ଛେଳି ପାଳକ ମାନେ ଦୀର୍ଘ ୩୦ ବର୍ଷ ଧରି ଛେଳି ପାଳନ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଏପରି ଛେଳି ମଡ଼କ କେବେ ଦେଖିନଥିବା କହିଛନ୍ତି। ଛେଳି ମୃତ୍ୟୁ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଛେଳି ପାଳକମାନେ ଚିନ୍ତାରେ ରହିଛନ୍ତି।

ଛେଳି ମୃତ୍ୟୁ ଥମୁନଥିବାରୁ ଗୁହାଳରେ ରହିଥିବା ଅନ୍ୟ ଛେଳିଙ୍କ ମୃତ୍ୟୁ ଘଟିବା ଆଶଙ୍କା କରୁଛନ୍ତି ଛେଳି ପାଳକ। ନିମୋନିଆ ରୋଗରେ ପୀଡ଼ିତ ହୋଇ ଛେଳି ଗୁଡ଼ିକ ପ୍ରାଣ ହରାଉଥିବା ପ୍ରାଣୀ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଛେଳି ମଡ଼କ ଗୋଟିଏ ଗାଁରୁ ଅନ୍ୟ ଗାଁ କୁ ବ୍ୟାପୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଗାଁରେ ନାନା ଆଶଙ୍କା ଦେଖାଦେଇଛି। ଏପରି ଯଦି ମଡ଼କ ବୃଦ୍ଧି ପାଏ ତେବେ ଆଗାମୀ ଦିନରେ ଆଉ କେହି ଛେଳି ପାଳନ ନକରି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯିବୁ ବୋଲି ଛେଳି ଚାଷୀମାନେ କହିଛନ୍ତି। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଛେଳି ପାଳକ ମାନେ ଦାବି କରିଛନ୍ତି।

ଛେଳି ମଡ଼କ ସମ୍ପର୍କରେ ଗଞ୍ଜାମ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ମନୋଜ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏକାଧିକ ଚାଷୀଙ୍କ ୫୦ରୁ ଅଧିକ ଛେଳି ମରିଥିବା ଆମକୁ ସୂଚନା ମିଳିଛି। ନିମୋନିଆ କାରଣରୁ ଛେଳି ଗୁଡ଼ିକ ମୃତ୍ୟୁ ମୁଖରେ ପଡିଥିବା ଜଣାପହିଛି। କେନ୍ଦ୍ରୀୟ ଲାବୋରେଟୋରୀ ଟିମ୍‌ ନମୁନା ସଂଗ୍ରହ କରିଛନ୍ତି। ଘଟଣା ଉପରେ ନଜର ରଖିବାକୁ ସେହି ଅଞ୍ଚଳର ପ୍ରାଣୀ ଚିକିତ୍ସକଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Comments are closed.