ସମାଜ ଡିଜିଟାଲ ଡେସ୍କ: ରାତ୍ର ପାଟ୍ରୋଲିଂ ସମୟରେ ଯାଞ୍ଚ ବେଳେ ଅଟକାଇବାରୁ ଜଣେ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି ୩ ମଦ୍ୟପ। ଦକ୍ଷିଣ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଶନିବାର ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଥିବା କନଷ୍ଟେବଳ ହେଉଛନ୍ତି କିରାନପାଲ ସିଂହ(୨୮)। ପୁଲିସ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ଅଛି।
ସୂଚନା ଅନୁସାରେ, କନଷ୍ଟେବଳ କିରାନପାଲ ସିଂହ ପାଟ୍ରୋଲିଂ ସମୟରେ ୩ ଯୁବକଙ୍କୁ ଅଟକାଇଥିଲେ। ସେ ଯୁବକମାନଙ୍କୁ ସେମାନଙ୍କ ପରିଚୟ ପତ୍ର ମାଗିଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଧରିଥିବା ଏକ ଫୋନକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଫଳରେ କିରାନପାଲ ତାଙ୍କୁ ଫୋନଟି ମାଗିଥିଲେ। ହେଲେ ସେ ଫୋନ ଦେବା ପରିବର୍ତ୍ତେ ଛୁରିରେ କିରାନପାଲଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ କିରାନପାଲଙ୍କ ଛାତି ଏବଂ ପେଟରେ ଛୁରି ଭୁସି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଏବଂ ପୁଲିସର ମିଳିତ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଅଭିଯୁକ୍ତ ଦୀପକ ଏବଂ କ୍ରିଶକୁ ଧରିଥିଲେ। ଅନ୍ୟତମ ଅଭିଯୁକ୍ତ ରକି ଫେରାର ରହିଛି। ଅଭିଯୁକ୍ତମାନେ ଏକାଧିକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଗତ ୨ମାସ ମଧ୍ୟରେ ଦିଲ୍ଲୀରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ହତ୍ୟା କରାଯିବାର ଏହା ୨ୟ ଘଟଣା।
ଯାଞ୍ଚ ପାଇଁ ଅଟକାଇବାରୁ କନଷ୍ଟେବଳଙ୍କୁ ହତ୍ୟା କଲେ ୩ ମଦ୍ୟପ
Popular Categories



