ରେସନ କାର୍ଡର ଡିଜିଟାଲାଇଜେସନ, ବାଦ୍‌ ପଡ଼ିଲା ୫ କୋଟି ଭୂତ କାର୍ଡ

ନୂଆଦିଲ୍ଲୀ : ଭାରତର ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ବିଶ୍ବରେ ଏକ ବେଞ୍ଚମାର୍କ ପ୍ରତିଷ୍ଠା କରିଛି। ଦେଶରେ ୮୦.୬ କୋଟି ରେସନ କାର୍ଡ ହିତାଧିକାରୀ ଥିବାବେଳେ ଏମାନଙ୍କ ମଧ୍ୟରେ ବହୁ ଭୂତ ହିତାଧିକାରୀ ଅଛନ୍ତି। ଏମାନଙ୍କୁ ଚିହ୍ନଟ କରିବା ଓ ତାଲିକାରୁ କାଟିବା ସରକାରଙ୍କ ପାଇଁ ଏକ ଆହ୍ବାନ ଥିଲା। ତେବେ ଡିଜିଟାଲାଇଜେସନ (ଆଧାର ପ୍ରମାଣୀକରଣ ଓ ଇଲୋକ୍ଟ୍ରାନିକ୍ସ ଇ-କେୱାଇସି)ଫଳରେ ୫.୮ କୋଟି ରେସନ କାର୍ଡ ଜାଲ୍‌ ଥିବା ଜଣାପଡ଼ିବା ପରେ ସେଗୁଡ଼ିକୁ କଟାଯାଇଛି। ଏହି ଉପାୟରେ ଖାଉଟି ସାମଗ୍ରୀର ବାଟମାରଣା ଅନେକାଂଶରେ ରୋକାଯାଇପାରିଥିବା କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଦେଶରେ ବହୁ ଜାଲ୍‌ ରେସନ କାର୍ଡ ହିତାଧିକାରୀ ଅଛନ୍ତି, ଯାହାକୁ ଭୂତ ହିତାଧିକାରୀ କୁହାଯାଉଛି। ବହୁ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନଙ୍କ ନାମ ରେସନ କାର୍ଡରୁ କଟିନାହିଁ। ତାଙ୍କ ନାମରେ ପରିବାର ଲୋକ ନଚେତ ରେସନ ବଣ୍ଟନକାରୀ ଖାଉଟି ସାମଗ୍ରୀ ଆତ୍ମସାତ୍‌ କରୁଛନ୍ତି। ସେହିପରି ଅନେକ ଥିଲାବାଲା ଯେପରିକି ସରକାରୀ ଚାକିରିଆ, ଟିକସଦାତା, ସରକାରୀ ଦଳ ସମର୍ଥିତ ଆଦି ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ରେସନ କାର୍ଡ ରହିଛି। ବହୁ ସମୟରେ ଏହାକୁ ନେଇ ରାଜନେତା ବୟାନବାଜୀ ମଧ୍ୟ କରନ୍ତି। ତଥାପି ଭୂତ ହିତାଧିକାରୀଙ୍କ ନାମ ରେସନ କାର୍ଡରୁ କାଟିବା ପାଇଁ କୌଣସି ବ୍ୟବସ୍ଥା ହୋଇପାରୁ ନ ଥିଲା। କାରଣ ଦେଶରେ ଏବେ ୮୦.୬ କୋଟିରୁ ଅଧିକ ହିତାଧିକାରୀ ଅଛନ୍ତି।

ଏତେ ସଂଖ୍ୟକ ହିତାଧିକାରୀଙ୍କ ଯାଞ୍ଚ କରିବା ମଧ୍ୟ ସହଜ ନୁହେଁ। ତେଣୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ମୋଟ ୨୦.୪ କୋଟି ରେସନ କାର୍ଡର ଡିଜିଟାଲାଇଜେସନ କରାଯାଇଛି। ଯେଉଁଥିରେ ୯୯.୮ ପ୍ରତିଶତ ରେସନ କାର୍ଡ ଆଧାର ସହିତ ସଂଯୁକ୍ତ କରାଯାଇଥିବାବେଳେ ୯୮.୭ ପ୍ରତିଶତ ହିତାଧିକାରୀଙ୍କ ପରିଚୟ ବାୟୋମେଟ୍ରିକ ପ୍ରମାଣୀକରଣ ମାଧ୍ୟମରେ ଯାଞ୍ଚ କରାଯାଇଛି। ୬୪ ପ୍ରତିଶତ ହିତାଧିକାରୀଙ୍କ ଇ-କେୱାଇସି କରାଯାଇଥିବାବେଳେ ବାକି ହିତାଧିକାରୀଙ୍କ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ଦେଶରେ ବିଭିନ୍ନ ରେସନ ସାମଗ୍ରୀ ବିକ୍ରୟ କେନ୍ଦ୍ରରେ ୫.୩୩ ଲକ୍ଷ ଇ-ପିଓଏସ୍‌ ଯନ୍ତ୍ର ଲଗାଯାଇଛି। ଯାହା ରେସନ ସାମଗ୍ରୀ ବଣ୍ଟନ ସମୟରେ ଆଧାର ପ୍ରମାଣୀକରଣ ସହ ଉଚିତ ହିତାଧିକାରୀଙ୍କୁ ରେସନ ଦିଆଯାଇଥିବା ସୁନିଶ୍ଚିତ କରିଥାଏ। ବର୍ତ୍ତମାନ ୯୮ ପ୍ରତିଶତ ରେସନ ସାମଗ୍ରୀ ବଣ୍ଟନ ପାଇଁ ଆଧାର ପ୍ରମାଣୀକରଣ ବ୍ୟବହାର କରାଯାଉଛି। ହିତାଧିକାରୀ ଇ-ପିଓଏସ୍‌ରେ ଆଙ୍ଗୁଳି ଛାପ ଦେଇ ରେସନ ସାମଗ୍ରୀ ନେଉଛନ୍ତି। ଫଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ସାମଗ୍ରୀ ବଣ୍ଟନ ବନ୍ଦ ହେବା ସହ ରେସନ ସାମଗ୍ରୀ ଚୋରିକୁ ରୋକାଯାଇପାରିଛି। ସେହିପରି ଯୋଗାଣ ଦିଗରେ,

ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଖାଦ୍ୟ ଯୋଗାଣର ପ୍ରକୃତ ସମୟର ମନିଟରିଂ ପାଇଁ ରେଳବାଇ ସହିତ ଏକ ଯାନ ଅବସ୍ଥାନ ଟ୍ରାକିଂ ସିଷ୍ଟମକୁ ଅନ୍ତର୍ଭୁକ୍ତ କରି ଏଣ୍ଡ-ଟୁ-ଏଣ୍ଡ ଯୋଗାଣ ଶୃଙ୍ଖଳା ପରିଚାଳନା ପ୍ରଣାଳୀ କାର୍ଯ୍ୟକାରୀ କରିଛି। ‘ଗୋଟିଏ ଦେଶ ଗୋଟିଏ ରେସନ ଯୋଜନା’ ଫଳରେ ହିତାଧିକାରୀ ସେମାନଙ୍କ ବିଦ୍ୟମାନ କାର୍ଡ ବ୍ୟବହାର କରି ଭାରତର ଯେକୌଣସି ସ୍ଥାନରେ ଖାଉଟି ସାମଗ୍ରୀ ସଂଗ୍ରହ କରିପାରୁଛନ୍ତି।

Comments are closed.