ଭାରତୀୟ ଶିଶୁ ଚିକିତ୍ସକ ସଂଘ ପକ୍ଷରୁ ପରିପୂରକ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼଼: ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ କ୍ଷୀର ଖୁଆଇବାକୁ ପରାମର୍ଶ ଦିଆଯାଇଥାଏ। ଏହି ବିଷୟରେ ବର୍ତ୍ତମାନ ଜନସାଧାରଣ ସଚେତନ ମଧ୍ୟ। କିନ୍ତୁ ୬ ମାସ ପରେ ଶିଶୁକୁ କ’ଣ ଓ କିପରି ଖାଦ୍ୟ ଖାଇବାକୁ ଦେବାକୁ ହୋଇଥାଏ ସେ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ଅନେକ ଭ୍ରାନ୍ତ ଧାରଣା ରହିଛି। ବହୁତ ସମୟରେ ଦେଖାଯାଇଛି ଗାଁ ଗହଳିର ମା’ମାନେ ୬ ମାସରେ ବାହାର ଖାଦ୍ୟ ଆରମ୍ଭ ନକରି ୯ ମାସ, ବେଳେ ବେଳେ ଏପରିକି ବର୍ଷକ ଯାଏ କେବଳ ମା’କ୍ଷୀର ଦେଉଥାନ୍ତି। ସହର ସମ୍ପର୍ଣ୍ଣ ଘର ମାନଙ୍କରେ ୬ ମାସ ପୂର୍ବରୁ ଶିଶୁକୁ ବାହାର ଖାଦ୍ୟ ଆରମ୍ଭ କରିବାକୁ ବ୍ୟଗ୍ର। ଦୁଇଟି ଯାକ ଶିଶୁପାଇଁ ପ୍ରତିକୂଳ। ତେଣୁ ୬ ମାସ ପୁର୍ଣ୍ଣ ହେବା ହିଁ ହେଉଛି ପରିପୂରକ ଖାଦ୍ୟ ଆରମ୍ଭ କରିବାର ପ୍ରକୃଷ୍ଟ ସମୟ ବୋଲି ଭାରତୀୟ ଶିଶୁ ଚିକିତ୍ସକ ସଂଘ କେନ୍ଦୁଝର ଶାଖା ସମ୍ପାଦକ ତଥା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମହେଶ ପ୍ରସାଦ ମହାନ୍ତ ଏହା କହିଛନ୍ତି।

ଏହି ସମୟରେ ମା’କ୍ଷୀର ସହିତ ଘରେ ମିଳୁଥିବା ଚାଉଳ ଚୁନାରେ ପ୍ରସ୍ତୁତ କ୍ଷୀରି, ବହଳିଆ ଡାଲି (ଡାଲି ପାଣି ନୁହେ), ପାଚିଲା କଦଳୀ ଚକଟା, ଆଳୁ ଚକଟା ଆଦି ନରମ ଆଡବହଳ ଖାଦ୍ୟ ଆରମ୍ଭ କରିବା ଦରକାର। ପ୍ରଥମେ ଦିନକୁ ୨ଥରରୁ ଆରମ୍ଭ କରି ସମୟକ୍ରମେ ୩ ଅଥବା ୪ଥର ପରିପୂରକ ଖାଦ୍ୟ ଦେବା ଦରକାର। ଧୀରେ ଧୀରେ ୮ମାସ ପରେ ଚକୁଳି ପିଠା, ଇଡ଼ଲି, ସୁଜି ଉପମା, ଭାତ-ଡାଲି, ଖିଚିଡି ଆଦି ଆଉ ଟିକେ ଟାଣୁଆ ଓ ଖଦଡ ଖାଦ୍ୟ ଦେଇ ହେବ। ଦୋକାନରେ ମିଳୁଥିବା ଶିଶୁଖାଦ୍ୟ ଉପରୋକ୍ତ ଘରୋଇ ଖାଦ୍ୟଗୁଡ଼ିକରୁ ନିକୃଷ୍ଟ। ଆପଲ ସିଝା ନଦେଇ ନିଜ ଅଞ୍ଚଳରେ ବିଭିନ୍ନ ଋତୁରେ ମିଳୁଥିବା ଫଳକୁ ଚକଟି ବା ଦଳି ଶିଶୁକୁ ଦେବା ଦରକାର (ଫଳ ସିଝାଇଲେ ଖାଦ୍ୟପ୍ରାଣ ନଷ୍ଟ ହୋଇଯାଏ)। ପରିପୂରକ ଖାଦ୍ୟ ଭାବେ କଞ୍ଚା ଅମୃତଭଣ୍ଡା, କଞ୍ଚା କଦଳୀ ଓ ଗାଜର ସିଝାଇ ଡାଲମା କରି ଦେବା ମା’ମାନଙ୍କ ମଧ୍ୟରେ ଖୁବ ପ୍ରଚଳିତ। ତେବେ ପାଚିଲା ଅମୃତଭଣ୍ଡା ଓ କଦଳୀ ମଧ୍ୟ ଶିଶୁପାଇଁ ଖୁବ ଉପଯୋଗୀ ହୋଇଥାଏ। ୧୦ ମାସ ପରେ ଅଣ୍ଡା କେଶର, ମାଂସ କଲିଜା, ଛେନା ଆଦି ପୁଷ୍ଟିକର ଖାଦ୍ୟ ଦେଇ ହେବ। ବର୍ଷେ ହେବା ବେଳକୁ ଘରେ ପ୍ରସ୍ତୁତ ସବୁ ପ୍ରକାର ଖାଦ୍ୟ ଦିଅନ୍ତୁ। ପିଲାକୁ କେବେ ବି ଜବରଦସ୍ତି ଖୁଆଇବା ଉଚିତ ନୁହେଁ, ବରଂ ପିଲାର ରୁଚି, ଆଗ୍ରହ ଏବଂ ଇଛା ଅନୁସାରେ କଥା କହି ଖେଳାଇ ତାକୁ ଖୁଆଇବା ଉଚିତ୍‌‌। ୯ରୁ୧୦ ମାସ ସମୟରେ ଶିଶୁକୁ ନିଜେ ଖାଇବାକୁ ଦେଲେ ଶିଶୁର ଖାଇବା ପ୍ରତି ଆଗ୍ରହ ଆସିଥାଏ ବୋଲି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀ ମହାନ୍ତ ଏହା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଧରଣୀଧର ଭେଷଜ ମହାବିଦ୍ୟାଳୟରେ ବୁଧବାର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଏକ କୁଇଜ୍‌‌ ଓ ବକ୍ତୃତା ମାଧ୍ୟମରେ ସଚେତନତା କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା। ଇଷିତା ମିଶ୍ର, ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ, ବ୍ୟୟୋମ ରଞ୍ଜନ ତ୍ରିପାଠୀ, ମିହିର ଶର୍ମା, ଅଭିନନ୍ଦନ ପଣ୍ଡା, ଇରଫାନ ଅଲି ଖାଁ, ଧନଞ୍ଜୟ ମୁର୍ମୁ, ଈଶ୍ୱର ଚନ୍ଦ୍ର , ଅନ୍ୱେଷା ମହାନ୍ତି, ନିବେଦିତା ପୃଷ୍ଟି, ପୁଣ୍ୟତୋୟା ଦାଶ, ମଧୁସ୍ମିତା ସାହୁ, ଜୟ ପ୍ରକାଶ ମହାପାତ୍ର, ଦିବ୍ୟଲୋଚନ ମହାନ୍ତ, ନଭେରା ଖାଁ, ସୃତି ସୋରେନ, ଇନ୍ଦ୍ରମଣି ମହାନ୍ତି , ବିପୁଳ ସଙ୍କେତ ଦତ୍ତ, ରିଚା ଶୁକ୍ଲା, ସ୍ୱାଗତିକା ଭୂୟାଁ, ସୁପର୍ଣ୍ଣା ନାୟକ, ଅନନ୍ୟା ପ୍ରିୟଦର୍ଶିନୀ ଓ ବୈଷ୍ଣବୀ ମିଶ୍ର ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଦ୍ୱିତୀୟ ବାର୍ଷିକ ଛାତ୍ର ରୁଦ୍ର ମାଧବ ଜେନା ବିଶେଷ ଭାବେ ଏହି କାର୍ଯ୍ୟକର୍ମରେ ସହାୟତା ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଡିନ୍‌‌ ପ୍ରଫେସର ଚିନ୍ମୟୀ ମହାପାତ୍ରଙ୍କ ତତ୍ତ୍ୱ୍ୱାବଧାନରେ ଏହି କାର୍ଯ୍ୟକର୍ମଟିକୁ ସହକାରୀ ଡିନ୍‌‌ ପ୍ରଫେସର ଡାକ୍ତର ପ୍ରଭାତ କୁମାର ଥାଟୋଇ, ପ୍ରଫେସର ଡାକ୍ତର ମଞ୍ଜୁଲତା ଦାଶ, ପ୍ରଫେସର ଡାକ୍ତର ସୁଚିସ୍ମୀତା ପଣ୍ଡା, ଶିଶୁ ବିଭାଗ ପ୍ରଫେସର ଡାକ୍ତର ସାଧନା ପଣ୍ଡା, ଡାକ୍ତର ବିଭୁ ପ୍ରସାଦ ନାୟକ, ଡାକ୍ତର ନାରାୟଣ ସନ୍ତୁକା, ଡାକ୍ତର ରିଗ ସୁନ୍ଦର ପଣ୍ଡା, ଡାକ୍ତର ସୌମ୍ୟଦର୍ଶିନୀ ଭୂୟାଁ, ଡାକ୍ତର ମନୋଜ ଦାଶ, ଡାକ୍ତର ଦିପାନ୍ୱୀତା ରାଉତରାୟ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ। ଶେଷରେ ଭାରତୀୟ ଶିଶୁ ଚିକିତ୍ସକ ସଂଘ କେନ୍ଦୁଝର ଶାଖା ସମ୍ପାଦକ ଡାକ୍ତର ଶ୍ରୀ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.