ପୁଅ ଆସିଲାନି, ମାଁଙ୍କୁ ଦେଲେ ମୁଖାଗ୍ନି ଦେଲେ ୬ ଝିଅ

ସମ୍ବଲପୁର: ମା’ଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ମୃତଦେହ ସତ୍କାର ଓ ମୁଖାଗ୍ନି ଦେବା ପାଇଁ ଆସିଲା ନାହିଁ । ଫଳରେ ୬ ଜଣ ଝିଅ ମାଁଙ୍କୁ ମୁଖାଗ୍ନି ଦେଇ ଅନ୍ତିମ ବିଦାୟ ଦେବାର ଏକ ବିରଳ ଦୃଶ୍ୟ ସମ୍ବଲପୁର ଠାରେ ଦେଖିବାକୁ ମିଳିଛି। ଗୁରୁବାର ହୀରାକୁଦର ହିଣ୍ଡାଲକୋ ଅଧିକାରୀ କଲୋନୀ ଠାରେ ଦୀର୍ଘ ବର୍ଷ ଧରି ରହିଥିବା ସରଳ ଓ ଧର୍ମପରାୟଣା ମହିଳା ଦେବୀ ସାହୁଙ୍କ ୮୦ ବର୍ଷ ବୟସରେ ବୁଧବାର ସନ୍ଧ୍ୟା ସମୟରେ ପରଲୋକ ହୋଇଯାଇଥିଲା। ହୀରାକୁଦର ହିଣ୍ଡାଲକୋ କମ୍ପାନୀରେ କାର୍ଯ୍ୟରତ ସ୍ୱାମୀ ଭୂବନ ସାହୁଙ୍କ ୨୦୦୫ ମସିହରେ ଦେହାନ୍ତ ପରେ ଦୀର୍ଘ ୧୭ ବର୍ଷ ଧରି ଝିଅମାନଙ୍କ ଘରେ ସ୍ୱର୍ଗତ ଦେବୀ ସାହୁ ସମ୍ବଲପୁରର ଗୁଜୁରାତି କଲୋନୀ ଠାରେ ରହୁଥିବା ତାଙ୍କ ତୃତୀୟ ଝିଅ ଉର୍ମିଳା ଓ ଆଇନଜୀବୀ ପ୍ରହଲ୍ଲାଦ ସାହୁଙ୍କ ଘରେ ରହି ଆସୁଥିଲେ। ବିଗତ କିଛି ଦିନ ହେବ ସେ ଶର୍ଯ୍ୟାଶାୟୀ ରହି ଘରେ ଚିକିତ୍ସିତ ହେଉଥିଲେ। ଶେଷ ସମୟରେ ୬ ଝିଅ ସୁଶୀଳା, ନିର୍ମଳା, ଉର୍ମିଳା, ଶର୍ମିଳା, ପ୍ରମିଳା ଓ ସୁନୀଳାଙ୍କ ସହିତ ଜ୍ୱାଇଁ ଅଲେଖ ଦାଶ, ପ୍ରହଲ୍ଲାଦ ସାହୁ, ମାଧବାନନ୍ଦ ବେହୁରା, ଦେବେଶ ଧଳ, ବେଣୁଧର ପ୍ରଧାନ ଓ ନାତିନାତୁଣୀମାନେ ଉପସ୍ଥିତ ରହିଥିଲେ। ଗୁରୁବାର ସକାଳ ସମୟରେ ମହାନଦୀର ପଠାରେ ଥିବା ସ୍ଥାନୀୟ ରାଜଘାଟ ଠାରେ ଝିଅମାନେ ମିଳିତ ଭାବରେ କାନ୍ଧ ଦେବା ସହିତ ଭାବବିହ୍ୱଳ ବିଦାୟ ଦେଇ ମୁଖାଗ୍ନି ଦେଇ ଥିଲେ। ରାଜଘାଟ ଠାରେ ଅନୁଷ୍ଠିତ ଅନ୍ତିମ ସଂସ୍କାର ସମୟରେ ସମ୍ବଲପୁର ଚଷା ସମାଜର ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁପରିଜନ ଓ ପରିଚିତ ବ୍ୟକ୍ତି ମାନେ ଦେବୀ ସାହୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ବିଦାୟ ଦେଇଥିଲେ।

ବିଡମ୍ବନାର ବିଷୟ ଯେ ସ୍ୱର୍ଗିୟା ଦେବୀ ସାହୁ ଙ୍କ ଏକ ପୁତ୍ର ସନ୍ତାନ ରହିଥିବାବେଳେ ଦୀର୍ଘ ବର୍ଷ ହେବ ନିଜର ମାଁ ଙ୍କ ଠାରୁ ଦୂରେଇ ରହୁଛନ୍ତି। ମା’ଙ୍କ ମୃତ୍ୟୁ ହେବା ପରେ ମଧ୍ୟ ପୁଅ ମା’ଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ଆସିଲା ନାହିଁ। ଏଣୁ ୬ ଝିଅ ମା’ଙ୍କ ମୃତଦେହ ବୋହିବା ଠାରୁ ଆରମ୍ଭ କରି ମୁଖାଗ୍ନି ଦେବା, ଶୁଦ୍ଧିକ୍ରିୟା ପାଇଁ ମଧ୍ୟ ଦୃଢ଼ ସଂକଳ୍ପ ନେଇଛନ୍ତି। ଏହି ଘଟଣାଟି ଆଜି ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଝିଅ ମାନଙ୍କ ସାମାଜିକ ଦାୟିତ୍ୱବୋଧ ଏବଂ କର୍ତ୍ତବ୍ୟ ନିଷ୍ଠାକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Comments are closed.