ଚିକିତ୍ସା ଅବହେଳାରୁ ଘରୋଇ ନର୍ସିଂହୋମରେ ଶିଶୁ ମୁତ୍ୟୁ ଅଭିଯୋଗ, ଥାନାରେ ୨ଟି ମାମଲା ରୁଜୁ
ସମ୍ବଲପୁର: ଚିକିତ୍ସାରେ ଅବେହଳା ଯୋଗୁଁ ଏକ ନବଜାତ ଶିଶୁର ମୃତ୍ୟୁ ବୁଢ଼ାରଜା ନିକଟରେ ସ୍ଥିତ ଅସ୍ଥା ନର୍ସିଂହୋମ ନାମକ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବାର ସଙ୍ଗୀନ ଅଭିଯୋଗ ହୋଇଛି। ଧମା ଥାନା ଅର୍ନ୍ତଗତ ବଲାରଙ୍ଗା ନିବାସୀ ଭବାନୀ ଶଙ୍କର ନାୟକ ତାଙ୍କର ଗର୍ଭବତୀ ସ୍ତ୍ରୀଙ୍କୁ ଗତ ୫ ତାରିଖରେ ଆସ୍ଥା ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେହିଦିନ ସନ୍ଧ୍ୟା ୬.୫୬ ମିନିଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ରବିବାର ରାତ୍ରିରେ ନବଜାତ ଶିଶୁ ମୃତ୍ୟୁବରଣ କରିଥିବାର ନେଇ ଡାକ୍ତରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ପରିବାରଙ୍କୁ ସୂଚନା ଦିଆଯାଇଥିଲା। ଫଳରେ ପରିବାର ପକ୍ଷରୁ ଅଚାନକ ଶିଶୁର ମୃତ୍ୟୁର କାରଣ ଜାଣିବା ପାଇଁ କତ୍ତୃପକ୍ଷଙ୍କୁ ପଚାରିବାରୁ କୌଣସି ସ୍ପଷ୍ଟ ଉତ୍ତର ମିଳି ନ ଥିଲା।
ଏଣୁ ଚିକିତ୍ସାରେ ଅବହେଳା ଦର୍ଶାଇବା ସହିତ ପରିବାର ଲୋକେ ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାରୁ ରବିବାର ସକାଳ ସମୟରେ ଅଇଁଠାପାଲି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣା ସମ୍ପର୍କରେ ପିଡିତ ଭବାନୀ ଶଙ୍କର ନାଏକ ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ୪୧୩/୨୦୨୩ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଶିଶୁର ମୃତଦେହକୁ ଜବତ କରାଯାଇ ପୋଷ୍ଟମଟମ ପାଇଁ ପଠାଇ ଦିଆଯାଇଛି। ଅପରପକ୍ଷରେ ଏହି ଘଟଣାରେ ପରେ ଘରୋଇ ଡାକ୍ତରଖାନା କତ୍ତୃପକ୍ଷ ମଧ୍ୟ ଅଇଁଠାପାଲି ଥାନାରେ ଡାକ୍ତରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆସ୍ଥା ନର୍ସିଂହୋମର ଡା. ପ୍ରଶାନ୍ତ ମିଶ୍ରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ଏକ ଅସ୍ତ୍ରୋପଚାରରେ ବ୍ୟସ୍ତ ରହିଛନ୍ତି। ଏଥି ସହ ଆହୁରୀ କହିଥିଲେ ଯେ, ଛୁଆ ଠିକ ଥିବା ବେଳେ ଅଚାନକ କିଭଳି ଭାବରେ ମୃତ୍ୟୁବରଣ କରିଛି ଏବଂ କାରଣ ଜାଣିବା ପାଇଁ ଆମେ ଥାନାରେ ଅଭିଯୋଗ କରିଛୁ। ଶିଶୁକୁ ପୋଷ୍ଟମଟମ ପାଇଁ ପଠାଇଥିବା ବେଳେ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଡା. ମିଶ୍ର କହିଛନ୍ତି। ଏହି ଘଟଣା ସମ୍ପର୍କରେ ଅଇଁଠାପାଲି ଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଥିବାରୁ ୨ଟି ମାମଲା ରୁଜୁ କରାଯାଇଥିବାର ପୁଲିସ କହିଛି। ସୂଚନାଯୋଗ୍ୟ ଯେ, କିଛି ବର୍ଷ ତଳେ ଏହି ନର୍ସିଂହୋମରେ ଜଣେ କାର୍ଯ୍ୟରତ ମହିଳା ବିଚାରପତି ମଧ୍ୟ ପ୍ରସବ ସମୟରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ ନେଇ ମଧ୍ୟ ସେ ସମୟରେ ଚିକିତ୍ସାରେ ଅବହେଳା କରାଯାଉଥିବାର ଅଭିଯୋଗ ସେ ସମୟରେ ହୋଇଥିଲା।
Comments are closed.