www.samajalive.in
Sunday, December 7, 2025
26.1 C
Bhubaneswar

 ବିଜୁଳି ଶୁଳ୍କ ବଢିଲେ ହେବ ଜନ ଆନ୍ଦୋଳନ : ସମାଜବାଦୀ ପାର୍ଟି

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବିଜୁଳି କମ୍ପାନୀମାନଙ୍କର ୨୦୨୨-୨୩ ବର୍ଷ ପାଇଁ ବାର୍ଷିକ ଆୟବ୍ୟୟର ଅଭିଯୋଗ ଶୁଣାଣି କରିବାକୁ ଯାଉଛନ୍ତି। ଏହି ଜନଶୁଣାଣିକୁ ଢାଲ କରି ଆସନ୍ତା ଆର୍ଥିକ ବର୍ଷ ପାଇଁ ବିଜୁଳି ଶୁଳ୍କ ବଢିବ ବୋଲି ଶୁଣାଯାଉଛି। ଯେତେବେଳେ ରାଜ୍ୟବାସୀ କରୋନା ସଂକ୍ରମଣ ଯୋଗୁ ଜୀବନ ଜୀବିକାର ସଂଘର୍ଷ ଭିତରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ସେହି ସମୟରେ ଓଇଆରସିକୁ ଢାଲ କରି ବିଜୁଳି କମ୍ପାନୀମାନେ ଶୁଳ୍କ ବଢାଇ ୯୨ଲକ୍ଷ ଖାଉଟିଙ୍କୁ ଶୋଷଣ କରିବାକୁ ଯାଉଛନ୍ତି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି। ଯଦି ଆଗାମୀ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବଢେ, ତେବେ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ରାଜରାସ୍ତାରେ ଜନ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ବିଜୁଳି କମ୍ପାନୀ, ଓଇଆରସି କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି।
ଏଠାରେ ଉଲ୍ଲେଖ ଥାଉକି, ଗତ ଦୁଇବର୍ଷ ଧରି ସମଗ୍ର ବିଶ୍ୱ ଯେତେବେଳେ କରୋନା ସଙ୍କଟ ଭିତର ଦେଇ ଗତି କରୁଥିଲା, ଜୀବନ ଜୀବିକା କଷ୍ଟକର ହୋଇପଡ଼ିଥିଲା। ସେ ସମୟରେ ମଧ୍ୟ ଓଡ଼ିଶାର ବିଜୁଳି କମ୍ପାନୀମାନେ ଓଇଆରସିକୁ ଢାଲ ଭଳି ବ୍ୟବହାର କରି ୟୁନିଟ୍ ପିଛା ୨ ଦଫାରେ ୫୦ ପଇସା ବିଜୁଳି ଦଳ ବଢାଇଥିଲେ। ସେତେବେଳେ ୫୦ ୟୁନିଟ୍ ପର୍ଯ୍ୟନ୍ତ ୨.୫୦ ଥିଲାବେଳେ ତାହା ଗତ ସେପ୍ଟେମ୍ବର ମାସରେ ୨୦ ପଇସା ଏବଂ ମାର୍ଚ୍ଚ ମାସରେ ୩୦ ପଇସା ବୃଦ୍ଧି ପାଇ ତାହା ୩ଟଙ୍କା ଆସି ପହଞ୍ଚିଛି। ପୁନଶ୍ଚ ନିଜର ପରିବହନ ଜନିତ କ୍ଷତି କମାଇ ନପାରି ନିଜର ଅପାରଗତା ଓ ଦୁର୍ନୀତିକୁ ଭରଣା କରିବା ପାଇଁ ବିଜୁଳି କମ୍ପାନୀମାନେ ଆଗାମୀ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଶୁଳ୍କ ବଢାଇବା ପାଇଁ ଜନଶୁଣାଣିକୁ ଆଳ ଭାବରେ ବ୍ୟବହାର କରୁଛନ୍ତି। କମ୍ପାନୀମାନଙ୍କର ଏହି ବାରମ୍ବାର ଶୋଷଣ, ଅତ୍ୟାଚାର ଓ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବିରୁଦ୍ଧରେ ଏକ ସଂଗଠିତ ଜନଆନ୍ଦୋଳନର ଆବଶ୍ୟକତା ରହିଛି।

 

- Advertisement -

ଏଠାରେ ପ୍ରକାଶଥାଉକି, ସମଗ୍ର ଭାରତବର୍ଷରେ ୧୯୯୪-୯୫ ମସିହାରେ ଓଡ଼ିଶା ଥିଲା ଦେଶର ପ୍ରଥମ ରାଜ୍ୟ, ଯିଏ ବିଶ୍ୱବ୍ୟାଙ୍କରୁ ଋଣ ଆଣି ବିଜୁଳିର ଘରୋଇକରଣ ଆରମ୍ଭ କରିଥିଲା। ସେତେବେଳେ ୫୬ ପ୍ରତିଶତ ପରିବହନ ଜନିତ କ୍ଷତି କରୁଥିବା ଓ ୩୦୦କୋଟି ଟଙ୍କାର ଆର୍ଥିକ କ୍ଷତିର ବୋଝ ମୁଣ୍ଡାଇଥିବା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ଼କୁ ଭାଙ୍ଗି ବିଭିନ୍ନ କମ୍ପାନୀ ଗଠନ କରିବା ପାଇଁ ସରକାର ପଦକ୍ଷେପ ନେଇଥିଲେ। ଉତ୍ପାଦନ, ଆବଣ୍ଟନ ଓ ପରିବହନକୁ ତିନିଭାଗରେ ବିଭକ୍ତ କରାଯାଇ ବିଜୁଳି କ୍ଷେତ୍ରରେ ସଂସ୍କାର ଅଣାଯାଇଥିଲା ଏବଂ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦିଆଯିବ। କିନ୍ତୁ ଦୁଃଖର କଥା ୨୬ ବର୍ଷର ସଂସ୍କାର ପରେ ମଧ୍ୟ ଆଜି ପରିବହନ ଜନିତ କ୍ଷତି ବା (ଏ.ଟି ଆଣ୍ଡ ସି) କ୍ଷତି ୨୯ ପ୍ରତିଶତ ରହିଛି। ଗୋଟିଏ ପ୍ରତିଶତ ପରିବହନ ଜନିତ କ୍ଷତିକୁ ଯଦି କମାଇ ଦିଆଯାଇ ପାରିବ, ତାହେଲେ ବାର୍ଷିକ ୭୫ କୋଟି ଟଙ୍କା ସଞ୍ଚୟ କରାଯାଇ ପାରିବ। କିନ୍ତୁ ଅପରାଗତା, ଦୁର୍ନୀତି ଓ ପାରଦର୍ଶିତା ଅଭାବରୁ କ୍ଷତି ଭରଣା ହୋଇପାରୁ ନାହିଁ। ଯାହାଫଳରେ ଏହାକୁ ଭରଣା କରିବା ପାଇଁ କମ୍ପାନୀମାନେ ଓଇଆରସି ଜନଶୁଣାଣିକୁ ଆଳ କରି ପ୍ରତିବର୍ଷ ଗ୍ରାହକଙ୍କ ମୁଣ୍ଡ ଉପରେ ସେହି କ୍ଷତିକୁ ଭରଣା କରିଚାଲିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଗରେ ମଧ୍ୟ କମ୍ପାନୀମାନଙ୍କର ଏହି ଶୋଷଣ ଅବ୍ୟାହତ ରହିଛି। କେତେବେଳେ ସ୍ମାର୍ଟ ମିଟର ବଦଳାଇବା ନାମରେ ସ୍ମାର୍ଟ ମିଟର ଦେବେ ବୋଲି କହି ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଉଛନ୍ତି ତ ଆଉ କେତେବେଳେ ନିର୍ଦ୍ଦିଷ୍ଟ ତାରିଖ ଠାରୁ ବିଳମ୍ବରେ ବିଲ୍ ଦେଇ ଅତିରିକ୍ତ ଟିକସ ଆକାରରେ ଗ୍ରାହକଙ୍କୁ ଶୋଷଣ କରିଚାଲିଛନ୍ତି। ପ୍ରତିବାଦ କଲେ ଶୁଣିବାକୁ କେହି ନାହିଁ। ସରକାର ମଧ୍ୟ ଏହି କମ୍ପାନୀମାନଙ୍କ ସମ୍ମୁଖରେ ସତେ ଯେମିତି ଅସହାୟ ହୋଇଯାଇଛନ୍ତି। ଯଦି ଆଗାମୀ ୧୫ରୁ ଆରମ୍ଭ ହୋଇ ୨୮ରେ ଶେଷ ହେବାକୁ ଥିବା ଜନଶୁଣାଣିକୁ ଆଳ କରି ପୁଣିଥରେ ୯୨ଲକ୍ଷ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝ ଲଦି ଦିଆଯାଏ, ତେବେ ରାଜ୍ୟବାସୀ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ଶ୍ରୀ ବେହେରା ଚେତାଇ ଦେଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories