ସହିଦନଗରରେ ଅସାମାଜିକଙ୍କ ଆତଙ୍କ – ଅପରାଧୀଙ୍କ ହବ ପାଲଟିଛି ତିନିକୋଣିଆ ହାଟ

ଭୁବନେଶ୍ବର : ସହିଦନଗରରେ ଅସମାଜିକ ଆତଙ୍କ ରଚୁଛନ୍ତି। ତିନିକୋଣିଆ ହାଟ ଅପରାଧୀଙ୍କ ହବ ପାଲଟିଛି। ସରକାରୀ ଜମିରେ ଗଢ଼ି ଉଠିଥିବା ହୋଟେଲ ଓ ନିକଟ ପାର୍କରେ ଦୁର୍ବୃତ୍ତଙ୍କ ଆଡ୍ଡା ଜମୁଛି। ନିଜ ଦବଦବା ଜାହିର କରିବା ପାଇଁ ସ୍ଥାନୀୟ ଲୋକଙ୍କ ଅସାମାଜିକ ଧମକ ଚମକ ଦେବା ସହ ମାଡ ମାରିବାକୁ ପଛାଉ ନାହାନ୍ତି। ରାତି ୧୦ଟା ପରେ ସ୍ଥାନୀୟ ବାସିନ୍ଦା ଘରୁ ଗୋଡ କାଢ଼ିବା ପାଇଁ ଭୟ କରୁଛନ୍ତି। ଗତ ୧୩ ତାରିଖ ଦିନ ଦ୍ବିପ୍ରହରରେ ଏକ ସ୍କୁଲ ବସକୁ ଅଟକାଇ ଦୁର୍ବୃତ୍ତ ମାନେ ଚାଳକକୁ ମାଡ ମାରିବା ସହ କୁନି କୁନି ପିଲାଙ୍କୁ ବି ଆକ୍ରମଣ କରିଥିଲେ। ଘଟଣାରେ ପୁଲିସ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୪ରୁ୫ ଜଣ ଏବେସୁଦ୍ଧା ଫେରାର ରହିଛନ୍ତି। ଏହି ଘଟଣା ଉପରୁ ପୂର୍ଣ୍ଣଚ୍ଛେଦ ନଘଟୁଣୁ ସେହି ସ୍ଥାନରେ ଦୁର୍ବୃତ୍ତ ମାନେ ଗତ ସୋମବାର ରାତିରେ ପୁଣି ଆତଙ୍କ ସୃଷ୍ଟି କରିଛନ୍ତି।  ନିଜ କାରକୁ ଘ ର ସମ୍ମୁଖରେ ପାର୍କିଂ କରୁଥିବା ୪/୫ ଜଣ ଦୁର୍ବୃତ୍ତ ଆସି ନିଶାସକ୍ତ ଅବସ୍ଥାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଦୀପକ କୁମାର ସଡଙ୍ଗୀ ଆଜି ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ନିକଟରେ ଥିବା ଆନନ୍ଦବଜାର ନାମକ ହୋଟେଲ ମାଲିକ ଦୀପୁ ଓ ତାଙ୍କ ସହଯୋଗୀ ଗାଲିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଶ୍ରୀ ସଡଙ୍ଗୀ ଅଭିଯୋଗରେ ଦର୍ଶାଇଛନ୍ତି।ସୂଚନା ଅନୁସାରେ, ତିନିକୋଣିଆ ହାଟ ଓ ନିକଟରେ ଥିବା ପାର୍କରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ଗତ କିଛି ଦିନ ତଳେ ଉକ୍ତ ପାର୍କ ନିକଟରୋ ଏକ ସ୍କୁଲ ବସକୁ ଅଟକାଇ ଦୁର୍ବୃତ୍ତମାନେ ଚାଳକକୁ ଆକ୍ରମଣ କରିବା ସହ କୁନି କୁନି ପିଲାଙ୍କୁ ମାଡ ମାରିଥିଲେ। ପିଲାଙ୍କ କାନ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳକୁ ଦୌଡି ଆସିଥିଲେ। ସେମାନଙ୍କ କବଳରୁ ପିଲାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ଥାନୀୟ ଲୋକ ଦୁର୍ବୃତ୍ତଙ୍କ ଶିକାର ହୋଇଥିଲେ।

ଏସଂକ୍ରାନ୍ତରେ ଅଭିଯୋଗ ହେବା ପରେ ପୁଲିସ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ସୁଦ୍ଧା ଅନ୍ୟ ୪/୫ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି। ଗୋଟିଏ ଘଟଣାରେ ଅଭିଯୁକ୍ତ ଫେରାର ରହିଥିବା ବେଳେ ସେହି ସ୍ଥାନରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ତିନିକୋଣିଆ ହାଟ ନିକଟରେ ସରକାରୀ ଜାଗାକୁ ଜବରଦଖଲ କରି କେତେକ ଦୋକାନ ବଜାର ଗଢ଼ିଉଠିଛି। ସେ ମଧ୍ୟରେ ୨/୩ଟି ହୋଟେଲ ରହିଛି। ଉକ୍ତ ହୋଟେଲ ରାତି ତମାମ ଖୋଲା ରହୁଛି। ରାତି ୧୦ରୁ ୩ଟା ପର୍ଯ୍ୟନ୍ତ ବାହାରେ ତାଲା ଭିତରେ ଖୋଲା ରହୁଛି। ଦୋକାନ ଭିତରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ବେଆଇନ ଭାବେ ମଦ, ଧଳାଜହର ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ କାରବାର ହେଉଥିବା ଅଭିଯୋଗ ହୋଇଛି। ସେହିପରି ନିକଟ ପାର୍କରେ ମଧ୍ୟ ସମାନ ଅବସ୍ଥା। ଉକ୍ତ ପାର୍କକୁ ଦୁର୍ବୃତ୍ତ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି। ଏହି କାରବାରରେ ସମ୍ପୃକ୍ତ ଯୁବକ ମାନେ ନିଶାସକ୍ତ ଅବସ୍ଥାରେ ଆତଙ୍କ ରଚୁଛନ୍ତି। ପୁଲିସର ନଜର ଆଢ଼ୁଆଳରେ ଏସବୁ ଚାଲିଛି। ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରାନଯିବା ଅପରାଧୀଙ୍କୁ ବେଶ୍‌ ସୁହାଇଛି। ଶ୍ରୀ ସଡଙ୍ଗୀଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟାରେ ସେ କାରକୁ ନିଜ ଘର ସମ୍ମୁଖରେ ପାର୍କିଂ କରୁଥିଲେ। ଏହି ସମୟରେ ହୋଟେଲ ମାଲିକ ଦୀପୁ ଓ ତା’ ସହଯୋଗୀ ତାଙ୍କ ନିକଟକୁ ଆସି ହଠାତ ଗାଳିଗୁଲଜ କରିଥିଲେ। କ’ଣ ପାଇଁ ଗାଳି କରୁଛ ପଚାରିବାରୁ ଦୁର୍ବୃତ୍ତ ମାନେ ତାଙ୍କୁ ହତ୍ୟା ଧମକ ଦେଇଥିଲେ।

ଏସଂକ୍ରାନ୍ତରେ ଶ୍ରୀ ସଡଙ୍ଗୀ ସଙ୍ଗେ ସଙ୍ଗେ ପୁଲିସ ନିୟନ୍ତ୍ରଣ କକ୍ଷ ୧୧୨କୁ ଜଣାଇଥିଲେ। ଘଟଣାସ୍ଥଳରେ ପିସିଆ ପହଞ୍ଚି ଥିଲେ ମଧ୍ୟ ଅଭିଯୋଗ ଶୁଣି ପଳାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତିନିକୋଣିଆ ହାଟ ଓ ନିକଟ ପାର୍କ ଅସାମାଜିକଙ୍କ ସୁରକ୍ଷା ସ୍ଥାନ ହୋଇଛି। ଫଳରେ ସ୍ଥାନୀୟ ବାସିନ୍ଦା ନିଜକୁ ଅସୁରକ୍ଷିତ ମଣିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରାଯିବା ସହ ଅସାମାଜିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Comments are closed.