ଅଭିଳାଷ ନୁହେଁ, ଲକ୍ଷ୍ୟ ନେଇ ଭଲ ଲୋକ ରାଜନୀତିକୁ ଆସନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ପୋଡକାଷ୍ଟରେ ଉଦ୍ୟୋଗୀ ତଥା ନିବେଶକ ନିଖିଲ କାମଥଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଶୁକ୍ରବାର ଜାରି ହୋଇଥିବା ପୋଡ୍କାଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବାଲ୍ୟ ଜୀବନଠାରୁ ଆରମ୍ଭ କରି ରାଜନୀତି ଓ ବ୍ୟକ୍ତିଗତ ଜୀବନର ବିଭିନ୍ନ ଉପଲବ୍ଧି ସମ୍ପର୍କରେ କହିଛନ୍ତି। ପୋଡ୍କାଷ୍ଟରେ କାମଥ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଥିବାବେଳେ ମୋଦୀ ଏହାର ଉତ୍ତର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତର ଗୁଜରାଟର ମେହସାନ ଜିଲାର ଏକ ଛୋଟ ସହର ବଦନଗରରେ ତାଙ୍କର ବାଲ୍ୟ ଜୀବନ ବିତିଥିଲା। ସେ ଗାଏକୱାଡ ଷ୍ଟେଟ୍ ପ୍ରାଇମେରୀ ସ୍କୁଲ ଓ ଭାଗବତଚାର୍ଯ୍ୟ ନାରାୟଣଚାର୍ଯ୍ୟ ହାଇସ୍କୁଲରେ ପାଠ ପଢିଥିଲେ। ବିଦ୍ୟାଳୟରେ ପାଠ ପଢିବା ସମୟରେ ସେ ଜଣେ ହାରାହାରି (ଆଭରେଜ୍) ଛାତ୍ର ଥିଲେ। ତେଣୁ ତାଙ୍କ ପ୍ରତି କେହି ବିଶେଷ ଧ୍ୟାନ ଦେଉ ନଥିଲେ। ତେବେ ବିଦ୍ୟାଳୟର ଜଣେ ଶିକ୍ଷକ ଭେଲଜିଭାଇ ଚୌଧୁରୀ ତାଙ୍କ ଠାରେ ଥିବା ବିଶେଷ ଦକ୍ଷତାକୁ ଚିହ୍ନି ପାରିଥିଲେ। ଏ ସମ୍ପର୍କରେ ଶିକ୍ଷକ ଜଣଙ୍କ ତାଙ୍କ ବାପାଙ୍କୁ କହିଥିଲେ ବୋଲି ମୋଦୀ କହିଛନ୍ତି। ସ୍କୁଲରେ ପାଠ ପଢିବା ସମୟରେ ସେ ଏକଦା ଚୀନ ଦୂତାବାସ ନିକଟକୁ ଚିଠି ଲେଖିଥିଲେ। ଚୀନ ଦାର୍ଶନିକ ଜୁଆଙ୍ଗଜାଙ୍ଗ ଅନେକ ସମୟ ବଦନଗର ସହରରେ ବିତାଇଥିଲେ। ଜୁଆଙ୍ଗଜାଙ୍ଗ ସମ୍ପର୍କରେ ଏକ ଚଳଚ୍ଚିତ୍ର ତିଆରି କରିବାକୁ ନିବେଦନ କରି ସେ ଦୂତାବାସ ନିକଟକୁ ଚିଠି ଲେଖିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ବହୁତ କମ୍ ବୟସରେ ଘର ଛାଡିଥିଲେ। ଘର ଛାଡିବା ପରେ ସେ ପରିବାର ଓ ବନ୍ଧୁଙ୍କ ସହିତ ଯୋଗାଯୋଗ ବନ୍ଦ କରିଦେଇଥିଲେ। ପ୍ରଥମ କରି ଗୁଜରାଟର ମୁଖ୍ୟମନ୍ତ୍ରୀ ହେବା ପରେ ସେ ତାଙ୍କର ପୁରୁଣା ସହପାଠୀଙ୍କୁ ଏକାଠି କରିଥିଲେ। ପ୍ରାୟ ୩୦-୩୫ଜଣ ସହପାଠୀଙ୍କୁ ସେ ସରକାରୀ ବାସଭବନକୁ ଡକାଇଥିଲେ। ମାତ୍ର ସହପାଠୀମାନେ ତାଙ୍କୁ ସାଙ୍ଗ ପରିବର୍ତ୍ତେ ଜଣେ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିଥିଲେ। ଘର ଛାଡି ସେ ଆରଏସଏସ୍ରେ ଯୋଗ ଦେଇଥିଲେ। ଆରଏସଏସ୍ରେ କାର୍ଯ୍ୟ କରିବା ସମୟରେ ଯେଉଁମାନେ ତାଙ୍କୁ ଘରକୁ ଡାକି ଖାଇବାକୁ ଦେଇଥିଲେ ସେମାନଙ୍କୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରିଥିଲେ। ଏହା ସହିତ ତାଙ୍କ ଶିକ୍ଷା ପାଇଁ ଯେଉଁ ଶିକ୍ଷକଙ୍କ ଅବଦାନ ରହିଥିଲା ସେମାନଙ୍କୁ ମଧ୍ୟ ସେ ସମ୍ମାନିତ କରିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସମସ୍ତ ପରିବାର ଓ ପରିଜନଙ୍କୁ ନିମନ୍ତ୍ରଣ କରି ପରସ୍ପର ମଧ୍ୟରେ ନିବିଡତାକୁ ଦୃଢ କରିବା ଦିଗରେ ପ୍ରୟାସ କରିଥିଲେ। ଏପରି କରି ସେ ନିଜର ମୂଳ ସ୍ଥିତି ସହ ଯୋଡି ହୋଇ ରହିବାକୁ ଚେଷ୍ଟା କରିଥିଲେ।
ପୋଡକାଷ୍ଟରେ ମୋଦୀ ୨୦୧୪ରେ ପ୍ରଥମ କରି ଦେଶର ପ୍ରଧାନମନ୍ତ୍ରୀ ହେବାର ଅଭିଜ୍ଞତା ସମ୍ପର୍କରେ କହିଛନ୍ତି। ମୋଦୀ କହିଛନ୍ତି ଯେ ପ୍ରଥମ କରି ପ୍ରଧାନମନ୍ତ୍ରୀ ହେବା ପରେ ଲୋକେ ମୋତେ ଜାଣିବାକୁ ଚେଷ୍ଟା କରୁଥିଲେ ଓ ମୁଁ ଦିଲ୍ଲୀକୁ ଜାଣିବାକୁ ଚେଷ୍ଟା କରୁଥିଲି। ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଅତୀତର ଆପେକ୍ଷିକ ସ୍ଥିତି ସମ୍ପର୍କରେ ଚିନ୍ତା କରିଥିଲି। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋର ଚିନ୍ତାଧାରା ବଦଳି ଯାଇଛି। ମୋର ମନୋବଳ ଦୃଢ ହୋଇଛି ଓ ମୋର ସ୍ବପ୍ନ ବଢିଯାଇଛି। ପ୍ରଧାନମନ୍ତ୍ରୀ ଭାବେ ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ ଉପରେ ସେ ଗୁରୁତ୍ବ ଦେଇଥିଲେ। ଯେପରିକି ସମସ୍ତଙ୍କ ପାଇଁ ଶୌଚାଳୟ, ବିଜୁଳି, ପାନୀୟ ଜଳ ଇତ୍ୟାଦି। ଏହା ସହିତ ସରକାରୀ ଯୋଜନାର ଶତ ପ୍ରତିଶତ ଲାଭ ଯେପରି ଲୋକଙ୍କ ନିକଟରେ ପହଞ୍ଚିବ ତାକୁ ସେ ପ୍ରାଧାନ୍ୟ ଦେଇଥିଲେ। ବିଭିନ୍ନ ସରକାରୀ ଯୋଜନାରେ ଦିଆଯାଉଥିବା ରିଆତି (ସବ୍ସିଡି) ଅର୍ଥ ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ସବ୍ସିଡି ଅର୍ଥ ବାଟମାରଣ ହେଉଥିଲା। ଫଳରେ ହିତାଧିକାରୀଙ୍କ ନିକଟରେ ସମ୍ପୂର୍ଣ୍ଣ ଅର୍ଥ ପହଞ୍ଚିପାରୁ ନଥିଲା। ୨୦୪୭ ସୁଦ୍ଧା ଦେଶର ସମସ୍ତ ସମସ୍ୟାକୁ ସମାଧାନ କରି ଏକ ବିକଶିତ ଭାରତ ଗଠନର ସ୍ବପ୍ନ ମନରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରୀ ଯୋଜନାର ଶତ ପ୍ରତିଶତ ସଫଳତା ଦ୍ବାରା ବାସ୍ତବ ସାମାଜିକ ନ୍ୟାୟ ଓ ସମାନତା ଆସିପାରିବ। ଏହି ସଫଳତା ପାଇବା ପାଇଁ ଏଆଇ ଜରୁରୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋ ପାଇଁ ଏଆଇ ହେଉଛି ଆସ୍ପିରେସନାଲ ଇଣ୍ଡିଆ (ଆକାଂକ୍ଷି ଭାରତ)। ମୋଦୀ କହିଛନ୍ତି ଯେ ସବୁ ମଣିଷଙ୍କର ଭୁଲ୍ ହୋଇଥାଏ। ସେ ଭଗବାନ ନୁହଁନ୍ତି, ଜଣେ ମଣିଷ ହୋଇଥିବାରୁ ଅନେକ କିଛି ଭୁଲ୍ କରିଛନ୍ତି। ରାଜନୀତିକୁ ଭଲ୍ ଲୋକ ଆସିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ରାଜନୀତିକୁ ଭଲ ଲୋକମାନେ ‘ଲକ୍ଷ୍ୟ’ ନେଇ ଆସିବା ଦରକାର, ‘ଅଭିଳାଷ’ ନୁହେଁ।
ରାଜନୀତିରେ ଜଣେ ରାଜନେତାର ଦକ୍ଷତା କଣ ବୋଲି ପ୍ରଶ୍ନର ଉତ୍ତରରେ ମୋଦୀ କହିଛନ୍ତି ଯେ ରାଜନେତା ହେବା ଓ ରାଜନୀତିରେ ସଫଳ ହେବା ଦୁଇଟି ଭିନ୍ନ ପ୍ରସଙ୍ଗ। ରାଜନୀତିରେ ସଫଳ ହେବାର ମୂଳ ମନ୍ତ୍ର ହେଲା ନିଷ୍ଠାପର, ପ୍ରତିଶ୍ରୁତିବଦ୍ଧ ଏବଂ ଲୋକଙ୍କ ସୁଖ ଓ ଦୁଃଖ ପ୍ରତି ସହାନଭୂତିଶୀଳ ହେବା। ଜଣେ ପ୍ରଭାବଶାଳୀ ରାଜନେତା ପରିବର୍ତ୍ତେ ଭଲ ଟିମ୍ ଲିଡର ହେବାକୁ ସମସ୍ତେ ଚେଷ୍ଟା କରିବା ଉଚିତ୍।
Comments are closed.